ଭୁୁବନେଶ୍ୱର: ଷୋଡ଼ଶ ବିଧାନସଭାରେ ଧନଶାଳୀ ସାଙ୍ଗକୁ ବଳଶାଳୀ ବିଧାୟକଙ୍କ ସଂଖ୍ୟା ବଢ଼ିଛି । ବିଧାନସଭାକୁ ନିର୍ବାଚିତ ହୋଇ ଆସିଥିବା ୧୪୬ ବିଧାୟକଙ୍କ ମଧ୍ୟରୁ ୬୭ ଜଣଙ୍କ ନାଁରେ ରହିଛି ବିଭିନ୍ନ ଅପରାଧିକ ମାମଲା । ସେଥିମଧ୍ୟରୁ ୫୯ ଜଣ ଜଣ ବିଧାୟକଙ୍କ ନାଁରେ ରହିଛି ହତ୍ୟା, ହତ୍ୟା ଉଦ୍ୟମ ଓ ଅପହରଣ ଭଳି ସଙ୍ଗୀନ ଅପରାଧିକ ମାମଲା ।
୨୦୦୯ ରେ ବିଧାୟକ ନିର୍ବାଚିତ ହୋଇ ଆସିଥିବା ୧୪୭ ଜଣଙ୍କ ମଧ୍ୟରୁ ୪୮ ଜଣଙ୍କ ନାଁରେ ଅପରାଧିକ ମାମଲା ଏବଂ ୨୧ ଜଣଙ୍କ ନାଁରେ ସଙ୍ଗୀନ ଅପରାଧିକ ମାମଲା ଥିଲା । ୨୦୧୪ ରେ ବିଧାନସଭା ଆସିଥିବା ୫୨ ଜଣ ବିଧାୟକ ବିଭିନ୍ନ ଅପରାଧିକ ମାମଲାରେ ଛନ୍ଦି ହୋଇଥିବା ବେଳେ ୪୧ ଜଣଙ୍କ ନାଁରେ ଥିଲା ସଙ୍ଗୀନ ଅପରାଧିକ ମାମଲା । ଏଥର ଅପରାଧିକ ମାମଲାରେ ଛନ୍ଦି ହୋଇଥିବା ବିଧାୟକଙ୍କ ସଂଖ୍ୟା ଆସି ପହଞ୍ଚିଛି ୬୭ । ପ୍ରତିଶତ ହିସାବରେ ଦେଖିଲେ ଏହା ୪୬% । ଅର୍ଥାତ୍ ପାଖାପାଖି ଅଧେ ବିଧାୟକଙ୍କ ଦେହରେ ଲାଗିଛି ଦାଗ । ୨ ଜଣ ବିଧାୟକଙ୍କ ନାଁରେ ହତ୍ୟା ମାମଲା ଥିବା ବେଳେ ୧୧ ବିଧାୟକ ହତ୍ୟା ଉଦ୍ୟମ ମାମଲାରେ ଛନ୍ଦି ହୋଇଛନ୍ତି ।
ଅପରାଧିକ ମାମଲା ଖାଇଥିବା ସମୁଦାୟ ୬୭ ଜଣ ବିଧାୟକଙ୍କ ମଧ୍ୟରୁ ବିଜେଡ଼ିର ଅଛନ୍ତି ୪୬ ବିଧାୟକ । ଏହି ତାଲିକାରେ ବିଜେପିର ୧୪ ଜଣ ଏବଂ କଂଗ୍ରେସର ୯ ଜଣ ବିଧାୟକ ଅଛନ୍ତି । ପ୍ରତିଶତ ହାରରେ ଦେଖିଲେ କଂଗ୍ରେସର ସର୍ବାଧିକ ୬୭% ବିଧାୟକଙ୍କ ନାଁରେ ଅପରାଧିକ ମାମଲା ରହିଛି । ସେହିଭଳି ସଙ୍ଗୀନ ଅପରାଧିକ ମାମଲାରେ ବିଜେଡ଼ିର ୩୩ ଜଣ ବିଧାୟକ ଥିବା ବେଳେ ବିଜେପିର ୧୦ ଏବଂ କଂଗ୍ରେସର ୫ ଜଣ ବିଧାୟକ ଅଛନ୍ତି ।
ଧନଶାଳୀ ବିଧାୟକ: ଖାଲି ଅଧିକ ସଂଖ୍ୟାରେ ବଳଶାଳୀ ନୁହଁନ୍ତି, ଅଧିକ ଧନଶାଳୀ ବି ଏଥର ଆସିଛନ୍ତି ବିଧାନସଭାକୁ । ୧୪୬ ବିଧାୟକଙ୍କ ମଧ୍ୟରୁ ୯୫ ଜଣ ହେଉଛନ୍ତି କୋଟିପତି ବିଧାୟକ । ମୋଟ ବିଧାୟକ ସଂଖ୍ୟାର ଏହା ୬୫% । ୨୦୧୪ ରେ ୭୬ ଜଣ(୫୨%) କୋଟିପତି ନେତା ବିଧାନସଭାକୁ ଆସିଥିଲା ବେଳେ ୨୦୦୯ରେ କୋଟିପତି ବିଧାୟକଙ୍କ ସଂଖ୍ୟା ଥିଲା ୩୩(୨୨%) । ଏଥର ୯୫ ଜଣ କୋଟିପତି ବିଧାୟକ ତାଲିକାରେ ବିଜେଡ଼ିର ୭୯, ବିଜେପିର ୯ ଏବଂ କଂଗ୍ରେସର ୭ ବିଧାୟକ ଅଛନ୍ତି ।
୫ କୋଟି ଏବଂ ତାଠାରୁ ଉଦ୍ଧ୍ୱର୍ ସମ୍ପତ୍ତିଧାରୀ ୨୮ ବିଧାୟକ ଥିବା ବେଳେ ୨ କୋଟିରୁ ୫ କୋଟି ସମ୍ପତ୍ତି ମଧ୍ୟରେ ୩୭ ବିଧାୟକ ଅଛନ୍ତି । ୫୦ ଲକ୍ଷରୁ ୨ କୋଟି ସମ୍ପତ୍ତି ମଧ୍ୟରେ ୫୦ ବିଧାୟକ, ୧୦ ଲକ୍ଷରୁ ୫୦ ଲକ୍ଷ ମଧ୍ୟରେ ୨୭ ଏବଂ ୧୦ ଲକ୍ଷରୁ କମ ସମ୍ପତ୍ତି ମଧ୍ୟରେ ମାତ୍ର ୪ ଜଣ ବିଧାୟକ ଅଛନ୍ତିି ।
ସର୍ବାଧିକ ଧନଶାଳୀ ୩ ବିଧାୟକ ହେଉଛନ୍ତି ନବୀନ ପଟ୍ଟନାୟକ(୬୩ କୋଟି), ନବକିଶୋର ଦାସ(୩୩ କୋଟି) ଏବଂ ସରୋଜ ମେହେର(୩୧ କୋଟି) । ତାଲିକାର ସବା ତଳେ ଅଛନ୍ତି ରାୟଗଡ଼ାର ସ୍ୱାଧୀନ ବିଧାୟକ ମକରାନନ୍ଦ ମୁଦୁଲ । ତାଙ୍କ ସମ୍ପତ୍ତି ର ମୂଲ୍ୟ ମାତ୍ର ୧୫ ହଜାର । ବାଲେଶ୍ୱର ବିଧାୟକ ମଦନ ମୋହନ ଦତ୍ତଙ୍କ ସମ୍ପତ୍ତି ମୂଲ୍ୟ ୩ ଲକ୍ଷ ଏବଂ ବରୀ ବିଧାୟିକା ଶ୍ରୀମତୀ ସୁନନ୍ଦା ଦାସଙ୍କ ସମ୍ପତ୍ତି ପରିମାଣ ୬ ଲକ୍ଷ ।
ଓଡ଼ିଶା ଇଲେକ୍ସନ୍ ୱାଚ୍ ଏବଂ ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମସ୍ ପକ୍ଷରୁ ବିଧାୟକ ପ୍ରାର୍ଥୀମାନଙ୍କ ସତ୍ୟପାଠର ତର୍ଜମା କରାଯାଇ ଏହି ତଥ୍ୟ ପ୍ରକାଶ ପାଇଛି ।