ଭୁବନେଶ୍ୱର(ମିଡ-ଡ଼େ ଓଡ଼ିଶା): ମେୟର ଅନନ୍ତ ନାରାୟଣ ଜେନା(ବୁନୁ)ଙ୍କ ତଥାକଥିତ ସେକ୍ସ ଭିଡ଼ିଓ ସତ୍ୟତାର ଆଜି ପର୍ଦ୍ଦାଫାସ ହେବ । ନିଆଁଖୁଣ୍ଟା ମୁଖ୍ୟ ପ୍ରଦୀପ ପାଣ୍ଡେ ଏକ ସାମ୍ବାଦିକ ସମ୍ମିଳନୀରେ କୁଆଡେ ଏହାର ଖୁଲାସା କରିବେ । ଶ୍ରୀ ପାଣ୍ଡେ ସାମ୍ବାଦିକ ସମ୍ମିଳନୀ ଡାକିବା ପରେ ଏଭଳି ଚର୍ଚ୍ଚା ଜୋର୍ ଧରିଛି । ଆଉ ନଈ ନ ଦେଖୁଣୁ ଲଙ୍ଗଳା ହେଲା ଭଳି ଅବସ୍ଥାରେ ପଡ଼ିଯାଇଛନ୍ତି ମେୟର ମହୋଦୟ । ଗତକାଲି ଏହି ଖବର ପାଇଲା ପରଠୁ ସାମ୍ବାଦିକ ସମ୍ମିଳନୀ ଭଣ୍ଡୁର କରିବାକୁ ଝାଳନାଳ ଲଗାଇ ଦେଇଛନ୍ତି । ମେୟରଙ୍କୁ ବଞ୍ଚାଇବାକୁ ତାଙ୍କର ରକ୍ଷାକର୍ତ୍ତା ସାଜିଥିବା ଯୁବମନ୍ତ୍ରୀ ବ୍ରିଗେଡ଼ ବେଶୀ ଦମ୍ ଲଗାଇଛନ୍ତି । ଯେନତେନ ପ୍ରକାରେ ସାମ୍ବାଦିକ ସମ୍ମିଳନୀ ନ କରାଇବାକୁ ସେମାନେ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଛନ୍ତି । ମେୟରଙ୍କ କାରନାମାର ସତ୍ୟତା ଖୁଲାସା ହୋଇଗଲେ ମୁଖ୍ୟମନ୍ତ୍ରୀଙ୍କ ଆଗରେ ସେମାନେ ଚୋର ହୋଇଯିବେ ବୋଲି ଜାଣିଥିବାରୁ ସେମାନଙ୍କର ହୋସ୍ ଉଡ଼ିଯାଇଛି । ଆଗକୁ ମନ୍ତ୍ରୀମଣ୍ଡଳ ଅଦଳବଦଳ ହେବାକୁ ଥିବାରୁ ଗାଦି ଖସିଯିବ ବୋଲି ମନରେ ଛନକା ପଶିଛି ।
ବିଶ୍ୱସ୍ତ ସୂତ୍ରର ସୂଚନା ଅନୁସାରେ ମେୟରଙ୍କ ନାଁରେ ଯେଉଁ ସେକ୍ସ ସିଡ଼ିଟି ଲୋକଲୋଚନକୁ ଆସିଥିଲା ତାହାର ସତ୍ୟତାର ସରକାରୀ ପ୍ରମାଣ ଯୋଗାଡ଼ କରିଛନ୍ତି ପ୍ରଦୀପ ପାଣ୍ଡେ । କମିସନରେଟ୍ ପୁଲିସ ମାମଲାକୁ ଦିଗହରା କରିଥିବା ବେଳେ ସିଡ଼ି ଯାଞ୍ଚ ପରବର୍ତ୍ତୀ କାଗଜପତ୍ର ଲାଗିଛି ପାଣ୍ଡେଙ୍କ ହାତରେ । ଏକଥା ମେୟର ଓ ତାଙ୍କ ସୁରକ୍ଷା ପରିଷଦକୁ ମାଲୁମ ପଡ଼ିଥିବାରୁ ସେମାନଙ୍କର ନିଦ ହଜିଯାଇଛି । ପଞ୍ଚାୟତ ନିର୍ବାଚନରେ ମେୟର ପ୍ରସଙ୍ଗ ବିଜେଡ଼ି ପାଇଁ ପ୍ରଭୂତ କ୍ଷତି ଆଣିଥିବା ଖୋଦ୍ ମୁଖ୍ୟମନ୍ତ୍ରୀ ଅନୁଭବ କରିଥିବା ସେମାନଙ୍କୁ ଜାଣିବାର ବାକି ନାହିଁ । ଏଭଳିସ୍ଥିତିରେ ମେୟର ପ୍ରସଙ୍ଗ ପୁଣି ଉଠୁଥିବାରୁ ବଞ୍ଚିବାର ବାଟ ଖୋଜୁଛନ୍ତି । ସତ ହୋଇଥିଲେ ମେୟରଙ୍କୁ ତ ଆଉ ରକ୍ଷା କରିହେବନି ସାଥୀରେ ନିଜକୁ ରକ୍ଷା କରିବା ମଧ୍ୟ କଷ୍ଟ ହୋଇଯିବ ଏହି ଯୁବ ମନ୍ତ୍ରୀଙ୍କୁ ।
ସୂଚନାଯୋଗ୍ୟ, ମେୟରଙ୍କ ନାଁରେ ସେକ୍ସ ଅପବାଦ ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଥିବା ବେଳେ ବିଜେଡ଼ି ଭୀଷଣ ବଦନାମ ହୋଇଥିଲା । ରାଜନୈତିକ ମହଲର ଚର୍ଚ୍ଚା ଅନୁଯାୟୀ, ମେୟରଙ୍କୁ ସୁରକ୍ଷା ଦେବାକୁ ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ(ବବି), ଅରୁଣ ସାହୁ ଏବଂ ସଞ୍ଜୟ ଦାସବର୍ମା ଅଣ୍ଟା ଭିଡ଼ିଥିଲେ । ଦଳର ବଦନାମକୁ ଖାତିର ନ କରି ଓଲଟି ସେମାନେ ମେୟରଙ୍କ ସପକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଓକିଲାତି କରିଥିଲେ । ସେକ୍ସ ସିଡ଼ିଟି ମିଥ୍ୟା ଏବଂ ହାତଗଢ଼ା ବୋଲି ମୁଖ୍ୟମନ୍ତ୍ରୀଙ୍କୁ ବୁଝାଇଥିଲେ । ମୁଖ୍ୟମନ୍ତ୍ରୀ ସେମାନଙ୍କୁ ବିଶ୍ୱାସ କରୁଥିବାରୁ ଭଳି ଯାଇଥିଲେ । ହେଲେ ପଞ୍ଚାୟତ ନିର୍ବାଚନରେ ଦଳକୁ ଏହା କିଭଳି ମହଙ୍ଗା ପଡ଼ିଥିଲା ତାହା ମୁଖ୍ୟମନ୍ତ୍ରୀ ଏବେ ଅନୁଭବ କରିଛନ୍ତି । ଏତିକିବେଳେ ମେୟରଙ୍କ ନାଁରେ ଆସିଥିବା ସିଡ଼ିଟି ସତ ବୋଲି ପ୍ରମାଣ ମିଳିଗଲେ, ମେୟରଙ୍କ ଭବିଷ୍ୟତ ଯିବା ସାଙ୍ଗକୁ ତିନି ମନ୍ତ୍ରୀଙ୍କ ମୁହଁ ବଙ୍କା ହେବା ଥୟ । ମୁଖ୍ୟମନ୍ତ୍ରୀଙ୍କୁ ସେମାନେ କିଭଳି ସାମନା କରିବେ ସେହି ଡରରେ ସେମାନଙ୍କ ନିଦ ହଜିଯାଇଛି । ମୁଖ୍ୟମନ୍ତ୍ରୀଙ୍କର ଏବେକାର ମୁଡ୍ ଯାହା ନାଲିବତୀ ଯେ ଖସି ନ ଯିବ ତାହା କିଏ କହିବ ?