ଭୁବନେଶ୍ୱର(ମିଡ-ଡ଼େ ଓଡ଼ିଶା): ପଞ୍ଚାୟତ ନିର୍ବାଚନରେ ବିଜେଡ଼ିର ଦୁର୍ଦ୍ଦଶା ପାଇଁ ମନ୍ତ୍ରୀ ଅରୁଣ ସାହୁ ଓ ପ୍ରଣବ ପ୍ରକାଶ ଦାସ(ବବି)ଙ୍କୁ ସିଧାସଳଖ ଦାୟୀ କରିଛନ୍ତି ଦଳର ଅନେକ ନେତା ଓ କର୍ମୀ । ମୁଖ୍ୟମନ୍ତ୍ରୀଙ୍କୁ ମନାଇ ମାମଲତକାର ସାଜିଥିବା ଏହି ଦୁଇ ପାୱାରଫୁଲ୍ ଯୁବ ମନ୍ତ୍ରୀଙ୍କ ଭୁଲ୍ ଓ ଅପରିପକ୍ୱ ରଣନୀତି ଦଳକୁ ଅପମାନଜନକ ସ୍ଥିତିକୁ ନେଇଆସିଛି ବୋଲି ସେମାନେ କହିଛନ୍ତି । ସେମାନେ ଦଳୀୟ ସ୍ୱାର୍ଥକୁ ଜଗି କାମ କରିନାହାନ୍ତି ବରଂ ନିଜର ସ୍ୱାର୍ଥ ରକ୍ଷା ପାଇଁ ଗୋଟିଚାଳନା କରିଛନ୍ତି । ଦଳ ଭିତରେ ଶତ୍ରୁକୁ ଦମନ କରିବା ଉଦ୍ୟମରେ ଦଳକୁ ଅସୁବିଧାରେ ପକାଇଛନ୍ତି । ନିଜକୁ ଅତି ଜ୍ଞାନୀ ଓ ଚାଲାକ୍ ଭାବି ନବୀନ ପଟ୍ଟନାୟକଙ୍କ ଇଜ୍ଜତକୁ ବାଜି ଲଗାଇଦେଇଛନ୍ତି ବୋଲି କିଛି ବରିଷ୍ଠ ନେତା କ୍ଷୋଭଭରା ଅସନ୍ତୋଷ ପ୍ରକାଶ କରିଛନ୍ତି ।
ପ୍ରଥମ ଥର ମନ୍ତ୍ରୀ ହୋଇଥିବା ବବିଙ୍କର ବୟସ ଓ ରାଜନୈତିକ ଅଭିଜ୍ଞତା ନ ଥିଲେ ମଧ୍ୟ ଧୃତ ଭାବେ ଜଣାଶୁଣା । ବନେଇ ଚୁନେଇ କଥା କହିବାରେ ମାଷ୍ଟର । ରାଜନୀତିରେ ଏହି ଗୁଣର ଖାତିର ଥିବାରୁ ସେ ମୁଖ୍ୟମନ୍ତ୍ରୀ ଓ ତୃତୀୟ ମହଲାର ଖାସ୍ ନିକଟତର । ଏହି ଦୃଷ୍ଟିରୁ ପଞ୍ଚାୟତ ନିର୍ବାଚନ ରଣନୀତିରେ ସେ ଥିଲେ ପ୍ରମୁଖ ଭୂମିକାରେ । ସେହିଭଳି ଅରୁଣ ସାହୁ ମଧ୍ୟ କିଛି କମ୍ ପାୱାରଫୁଲ୍ ନୁହଁନ୍ତି । ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଭାଗୀୟ ମନ୍ତ୍ରୀ ଭାବେ ସେ ନିଜ ଉପରକୁ ଦଳୀୟ ରଣନୀତି ଦାୟିତ୍ୱ ଆଣିଥିଲେ । ବବିଙ୍କ ସହ ମିଶି ଅରୁଣ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁ କରିଥିଲେ । ପ୍ରଥମେ ଦଳକୁ ସୁହାଇଲା ଭଳି ପଞ୍ଚାୟତ ପୁର୍ନଗଠନ କରିଥିଲେ । ଏଥିରେ ୩୦ ପ୍ରତିଶତ ଆସନକୁ ସେମାନେ ମନେ ମନେ କରାୟତ୍ତ କରିନେଇଥିଲେ । ଦ୍ୱିତୀୟ ପଦକ୍ଷେପ ଥିଲା ଆସନ ସଂରକ୍ଷଣ । ଦଳକୁ ସୁହାଇଲା ପରି ଅଙ୍କ କଷିଲେ । ସେଥିରେ ମଧ୍ୟ ୩୦ ପ୍ରତିଶତ ଆସନ ଅକ୍ତିଆରର ସ୍ୱପ୍ନ ରଖିଲେ । ଏମିତି ମୂଳରୁ ଶୂନ୍ୟରେ ଶୂନ୍ୟରେ ୬୦ ପ୍ରତିଶତ ଆସନ ଅକ୍ତିଆରର ସ୍ୱପ୍ନ ଦେଖାଇଲେ ସୁପ୍ରିମୋ ନବୀନଙ୍କୁ । ଆଉ ଶେଷରେ ଫିଲ୍ମ ଷ୍ଟାରମାନଙ୍କୁ ପ୍ରଚାରରେ ଲଗାଇ ଏକପାଖିଆ ବିଜୟ ପତାକା ଉଡାଇବା ଯୋଜନା ପଛରେ ଦୁହିଁଙ୍କ ବ୍ରେନ୍ ଥିବା କୁହାଯାଉଛି ।
ଏମିତିରେ ଅରୁଣ ଓ ବବିଙ୍କ ପ୍ରଭାବକୁ ଦଳର ବରିଷ୍ଠ ନେତାମାନେ ଆଦୌ ସହ୍ୟ କରିପାରନ୍ତିନି । ଦଳରେ ଯାବତୀୟ ବିଭ୍ରାଟ ଓ ଗୋଷ୍ଠୀକନ୍ଦଳ ପଛରେ ଦୁହିଁଙ୍କ ଭୂମିକାକୁ ସେମାନେ ଆଡ ଆଖିରେ ଦେଖନ୍ତି । ନବୀନଙ୍କ ବିଶ୍ୱସ୍ତ ଓ ତୃତୀୟ ମହଲାର ନିକଟତର ହୋଇଥିବାରୁ ସେମାନେ ବରିଷ୍ଠ ନେତା ଓ କର୍ମୀଙ୍କୁ କୁଆଡେ କୁକୁର ମାଙ୍କଡ଼ ଭଳି ବ୍ୟବହାର କରନ୍ତି । ମନ୍ତ୍ରୀଭାବରେ ବବି ନିଜର ଭାବମୂର୍ତ୍ତି ରକ୍ଷା କରିବାରେ ସଫଳ ହୋଇଥିଲେ ମଧ୍ୟ ତାଙ୍କର କୁଟିଳ ନୀତି ଓ ଆଚାର ବ୍ୟବହାର ଦଳୀୟ ନେତା ଓ କର୍ମୀଙ୍କୁ ଅତିଷ୍ଠ କରି ରଖିଛି । ସେପଟେ ଅରୁଣଙ୍କର ନିଜସ୍ୱ ଭାବମୂର୍ତ୍ତି ନାହିଁ । ଯାବତୀୟ କଳଙ୍କରେ ଭର୍ତ୍ତି । ବ୍ରହ୍ମବିଭ୍ରାଟ୍ ଏପିସୋଡର ଖଳନାୟକ କୁହାଯାଉଥିବା ଅରୁଣ ସେହି ମାମଲାରେ ସରକାରଙ୍କୁ ବେଶ୍ ନିନ୍ଦିତ କରିଛନ୍ତି । ପପୁ ପମ୍ ପମ୍ ଙ୍କ ପରି ଭ୍ରଷ୍ଟ ଓ ଡାକ୍ତର ମୋତିଲାଲ ଗୌଡଙ୍କ ପରି ଜାଲିଙ୍କୁ ତାଙ୍କର ପୃଷ୍ଠପୋଷକତା ଦଳ ଓ ସରକାରଙ୍କ ପାଇଁ ମହଙ୍ଗା ହୋଇଛି । ନିଜର ଘନିଷ୍ଠ ଛାତ୍ର ବିଜେଡ଼ିର ସଭାପତି ବାପି ରାୟଙ୍କ ଧଳବ୍ରଦର୍ସ ଲିଙ୍କ୍ ମଧ୍ୟ ଅରୁଣଙ୍କୁ ବଦନାମ କରିଛି । ସବୁଠାରୁ ଦଳକୁ ବେଶି ବଦନାମ କରିଥିବା ମେୟର ଅନନ୍ତ ନାରାୟଣ ଜେନାଙ୍କୁ ବବି-ଅରୁଣ ଯୋଡି ସୁରକ୍ଷା ଦେଇଥିଲେ ବୋଲି ବେଶ୍ ଚର୍ଚ୍ଚା ହୋଇଥିଲା । ତାଙ୍କୁ ଗାଦିରୁ ନ ହଟାଇବା ପାଇଁ ବବି ନବୀନଙ୍କୁ ବୁଝାଇବାରେ ସଫଳ ହୋଇଥିଲେ । ହେଲେ ଆଜି ଗାଁ ଗଣ୍ଡାରେ ମେୟରଙ୍କ କଳଙ୍କ ଭୋଟରଙ୍କୁ ଦଳ ଉପରୁ ବିମୁଖ କରିବାରେ ଏକ ଭୂମିକା ନେଇଥିବା ଦଳର ଅନେକ ନେତା ସ୍ୱୀକାର କରିଛନ୍ତି । ମହିଳାଙ୍କୁ ଆକୃଷ୍ଟ କରିବା ପାଇଁ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଭୁବନେଶ୍ୱରରେ ସରକାରୀ ପଇସାରେ ମନ୍ତ୍ରୀ ଅରୁଣ ସାହୁ ବିରାଟ ସମାବେଶରେ ଆୟୋଜନ କରିଥିଲେ ମଧ୍ୟ ତାହା ଯେ ପ୍ରଭାବୀ ହୋଇନାହିଁ ତାହା ଏବେ ବୁଝାପଡ଼ିଛି ।
ଖାଲି ସେତିକି ନୁହେଁ ଦଳ ଭିତରେ ନିଜର ପ୍ରାଧାନ୍ୟ ରଖିବା ପାଇଁ ଅରୁଣ-ବବି ଯୋଡି ପ୍ରତିଦ୍ୱନ୍ଦୀଙ୍କ ଚେର କାଟିବା ମଧ୍ୟ ସାମଗ୍ରିକ ଭାବେ ଦଳକୁ କ୍ଷତି ପହଞ୍ଚାଇଛି । ବିଜେଡ଼ିର ଦୁର୍ଗ କୁହାଯାଉଥିବା କେନ୍ଦ୍ରାପଡ଼ାରେ ଅତନୁ ସବ୍ୟସାଚୀ ନାୟକଙ୍କୁ ପାନେ ଦେବା ପାଇଁ ରଚାଯାଇଥିବା ଷଡ଼ଯନ୍ତ୍ର ସଫଳ ହୋଇଥିଲେ ବି ସେଠାରେ ଦଳର ସ୍ଥିତି ଯେ ଦୋହଲିଯାଇଛି ତାହା କାହାରିକୁ ଅଜଣା ନାହିଁ । ସେ ଯାହା ହେଉ, ବରିଷ୍ଠ ନେତାମାନେ ଏବେ ସେମାନଙ୍କ ଅସନ୍ତୋଷ ସୁପ୍ରିମୋଙ୍କୁ ଖୋଲାଖୋଲି ଜଣାଇବାକୁ ସଜବାଜ ହୋଇଛନ୍ତି । ମନ୍ତ୍ରୀ ଦାମୋଦର ରାଉତ ମଧ୍ୟ ଏ ନେଇ ଖୋଲା ଇସାରା ଦେଇସାରିଲେଣି ।
News is impartial.Really I like it.