ଭୁବନେଶ୍ୱର(ମିଡ-ଡ଼େ ଓଡ଼ିଶା): କେନ୍ଦ୍ରାପଡ଼ା ବିଧାୟକ କିଶୋର ତରାଇଙ୍କ ଆଉ ଏକ ସଙ୍ଗୀନ ଜାଲିଆତି ପଦାକୁ ଆସିଛି । ବିଧାୟକ ନାମାଙ୍କନପତ୍ରରେ ବାପାଙ୍କ ନାଁ ବଦଳାଇ ଥିବା କିଶୋର ନିଜ ମାଆଙ୍କ କାଗଜପତ୍ରରେ ସ୍ୱାମୀ ନାଁ ବି ବଦଳାଇବାକୁ ଛାଡ଼ିନାହାନ୍ତି । ମାଆଙ୍କ ନାଁରେ ରେକର୍ଡ କରିଥିବା ଜମି ଦଲିଲରେ ସ୍ୱାମୀ ବିମ୍ବାଧର ତରାଇ ବଦଳରେ ବିମଲ ଚରଣ ତରାଇ ଲେଖାଇଛନ୍ତି କିଶୋର । ବାପା, ପତ୍ନୀଙ୍କ ନାଁ ବଦଳାଇଥିବା କିଶୋର ମାଆଙ୍କ ସ୍ୱାମୀ ନାଁ ବଦଳାଇ ଅମଣିଷପଣିଆ ଦେଖାଇଥିବା ଅଭିଯୋଗ ହୋଇଛି ।
କିଶୋର ତରାଇ ନିଜ ଗାଁ ପଟ୍ଟାମୁଣ୍ଡାଇର ତନୁପୁରରେ ମାଆ କୈକେଇ ତରାଇଙ୍କ ନାଁରେ ୨୦୦୯ ମସିହାରେ ଏକ ଜାଗା କିଣିଥିଲେ । ୧୭୦ ଡିସିମିଲ୍ ସ୍ଥିତିବାନ ଜାଗା ଖତିୟାନ୍ ରେ କୈକେଇ ତରାଇ, ସ୍ୱାମୀ ବିମଲ ଚରଣ ତରାଇ ବୋଲି ଉଲ୍ଲେଖ ରହିଛି । ଏହି ଜାଗାଟିର ମ୍ୟୁଟେସନ୍ କେସ୍ ନମ୍ବର ହେଉଛି ୨୮୧/୦୯ । କଥା ହେଉଛି, କିଶୋର ତରାଇଙ୍କ ବାପା ଅର୍ଥାତ୍ କୈକେଇଙ୍କ ସ୍ୱାମୀଙ୍କ ପ୍ରକୃତ ନାଁ ହେଉଛି ବିମ୍ବାଧର ତରାଇ । ୨୦୦୪ ମସିହାରେ ପ୍ରାର୍ଥୀପତ୍ର ଦାଖଲ ବେଳେ କିଶୋର ତାଙ୍କ ବାପାଙ୍କ ନାଁ ନିଜେ ଏହା ଉଲ୍ଲେଖ କରିଛନ୍ତି । ମାତ୍ର ୫ ବର୍ଷ ପରେ ତାଙ୍କ ମାଆଙ୍କ ସ୍ୱାମୀ ବିମଲ ଚରଣ ତରାଇ କିଭଳି ହେଲା ତାହା ବୁଝିହେଉନାହିଁ । ପୁଣି ଜାଗା ମ୍ୟୁଟେସନ୍ କରିଥିବା ତହସିଲଦାର ବି କିଭଳି କୈକେଇଙ୍କ ସ୍ୱାମୀ ନାଁ ବଦଳେଇ ରେକର୍ଡ କଲେ ତାହା ବି ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ସୂଚନାଯୋଗ୍ୟ, ୨୦୧୪ ମସିହାରେ ପ୍ରାର୍ଥୀପତ୍ର ଦାଖଲ ବେଳେ କିଶୋର ତାଙ୍କ ବାପାଙ୍କ ନାଁ ବିମଳ ଚରଣ ତରାଇ ଲେଖିଛନ୍ତି । ଖୋଳତାଡ଼ ବେଳେ ତାହା ଜଣାପଡ଼ିବା ପରେ କିଶୋର ନିଜ ବାପାଙ୍କ ନାଁ ବଦଳିଥିବା ସ୍ୱୀକାର କରିଛନ୍ତି । ଭୋଟର ତାଲିକାରେ ବାପାଙ୍କ ନାଁ ବିମଳ ଚରଣ ହୋଇଯାଇଥିବାରୁ ସେ ବାଧ୍ୟହୋଇ ନାମାଙ୍କନପତ୍ର ବେଳେ ଏହି ନାଁ ଲେଖିଛନ୍ତି ବୋଲି ସଫେଇ ଦେଇଛନ୍ତି । ତେବେ ଯଦି ତାଙ୍କ କଥା ସତ, ତାହାହେଲେ ୨୦୦୯ ମସିହାରେ ସେ ନିଜ ବାପାଙ୍କ ନାଁ ବିମଲ ଚରଣ ତରାଇ କେଉଁଠୁ ଆଣିଲେ ? ଏଭଳି ନାଁ ବଦଳେଇବା ପଛର ରହସ୍ୟ କ’ଣ ହୋଇପାରେ ? ଯଦି କୌଣସି ମନ୍ଦ ଉଦ୍ଦେଶ୍ୟ ପାଇଁ ବାପାଙ୍କ ନାଁ ବଦଳାଇଲେ ତେବେ କେଉଁ ଉଦ୍ଦେଶ୍ୟରେ ମାଆଙ୍କ ସ୍ୱାମୀ ନାଁ ବି ବଦଳେଇପାରିଲେ ? ଏଭଳି କରିବାକୁ ହାତ ଗଲା କିପରି ?
ବାପା, ପତ୍ନୀ ଓ ମାଆଙ୍କ ସ୍ୱାମୀ ନାଁ ବଦଳେଇଥିବା କିଶୋରଙ୍କର ଏହି ଜାଲିଆତି କାରନାମାର ତଦନ୍ତ ପାଇଁ କେନ୍ଦ୍ରାପଡ଼ା ଅଞ୍ଚଳର ବିଭିନ୍ନ ମହଲରେ ଦାବି ହୋଇଛି । ବିଧାୟକଙ୍କର ଏଭଳି କ୍ରମାଗତ ଜାଲିଆତି ବିଜେଡ଼ିକୁ ବଦନାମ କରିଛି ବୋଲି ସେମାନେ ଅଭିଯୋଗ କରିଛନ୍ତି । ତଦନ୍ତ କରି ତାଙ୍କ ବିରୋଧରେ କଠୋର ଦଣ୍ଡବିଧାନର ସ୍ୱର ଉଠିଛି ।