ଭୁବନେଶ୍ୱର(ମିଡ଼-ଡ଼େ ଓଡ଼ିଶା): ଡାକ୍ତର ଖାଲି ପଦବୀ ତାଲିକା ପ୍ରସ୍ତୁତିରେ ଫିକ୍ସିଂ ହେଉଛି । ଡାକ୍ତରମହଲରୁ ଏଭଳି ଅଭିଯୋଗ ଆସିିଲା ପରେ ହଇଚଇ ସୃଷ୍ଟି ହୋଇଛି । ଖାଲି ପଦବୀ ତାଲିକା ପ୍ରସ୍ତୁତି ଦାୟିତ୍ୱରେ ଥିବା ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶାଳୟର ମାନବ ସମ୍ବଳ ପରିଚାଳନା ୟୁନିଟ୍ ଏହି ଫିକ୍ସିଂ କରୁଥିବା ଅଭିଯୋଗ ହୋଇଛି । ରାଜ୍ୟରେ କାର୍ଯ୍ୟରତ ସରକାରୀ ଡାକ୍ତର, ଅନୁମୋଦିତ ପଦବୀ ସଂଖ୍ୟା ଏବଂ ଖାଲି ପଦବୀ ସଂକ୍ରାନ୍ତରେ ଡାଟା ବେସ୍ ପ୍ରସ୍ତୁତି କାର୍ଯ୍ୟ ଛାଡ଼ି ୟୁନିଟ୍ ମୁଖ୍ୟ ନିଯୁକ୍ତି ଓ ବଦଳି କାମରେ ମାତିଛନ୍ତି । ନିକଟରେ ବରିଷ୍ଠ ପ୍ରଥମ ଶ୍ରେଣୀକୁ ପଦୋନ୍ନତି ପାଇଥିବା ଡାକ୍ତରଙ୍କ ନିଯୁକ୍ତି କାଉନସେଲିଂ ବେଳେ ବ୍ୟାପକ ଅନିୟମିତତା ପାଇଁ ତାଙ୍କୁ ଦାୟୀ କରାଯାଇଛି ।
୨୦୦୯ ମସିହାରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଖୋଲିଥିଲା ମାନବ ସମ୍ବଳ ପରିଚାଳନା ୟୁନିଟ୍ ବା ଏସଏଚଆରଏମୟୁ । ଡାକ୍ତରଙ୍କ ଡାଟା ବେସ୍ ପ୍ରସ୍ତୁତି ହେଉଛି ୟୁନିଟ୍ ର ମୂଳ ଦାୟିତ୍ୱ । ଜିଲ୍ଲାୱାରୀ କେତେ ଡାକ୍ତର କେଉଁଠି ନିଯୁକ୍ତି ପାଇଛନ୍ତି, ଅନୁମୋଦିତ ଡାକ୍ତର ପଦବୀ ସଂଖ୍ୟା କେତେ, କେତେ ଡାକ୍ତର ଅନୁପସ୍ଥିତ ଅଛନ୍ତି ସଂପୃକ୍ତ ୟୁନିଟ୍ ତାହାର ଡାଟା ବେସ୍ ପ୍ରସ୍ତୁତ କରିବା କଥା । ୨୦୧୪ ମସିହାରୁ ଡାକ୍ତର ବିଷ୍ଣୁ ମହାପାତ୍ର ଏୟି ୟୁନିଟ୍ ର ମୁଖ୍ୟ ତଥା ଯୁଗ୍ମ ନିର୍ଦ୍ଦେଶକ ଭାବେ ଅବସ୍ଥାପିତ ଅଛନ୍ତି । ଆଶ୍ଚର୍ଯ୍ୟର କଥା, ୭ ବର୍ଷ ତଳୁ ଆରମ୍ଭ ହୋଇଥିବା ଡାଟା ବେସ୍ କାର୍ଯ୍ୟ ଏ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇପାରିନାହିଁ । ଅଭିଯୋଗ ହୋଇଛି, ବର୍ତ୍ତମାନ ଦାୟିତ୍ୱରେ ଥିବା ଡାକ୍ତର ମହାପାତ୍ର ଏହାକୁ ଗୌଣ ମନେକରି ଡାକ୍ତରଙ୍କ ନିଯୁକ୍ତି, ବଦଳି ଆଦି କାର୍ଯ୍ୟ ଉପରେ ମନଧ୍ୟାନ ଦେଇଛନ୍ତି ।
ଗତ ନଭେମ୍ବରରେ ବରିଷ୍ଠ ପ୍ରଥମ ଶ୍ରେଣୀ ପଦୋନ୍ନତି ପାଇଥିବା ଡାକ୍ତରଙ୍କ ବଦଳି ଓ ନିଯୁକ୍ତି କାଉନସେଲିଂ ବେଳେ ଖାଲି ପଦବୀ ତାଲିକା ପ୍ରସ୍ତୁତିରେ ବିଭ୍ରାଟ୍ ଓ ହେରଫେର ଅଭିଯୋଗ ନେଇ ଡାକ୍ତରମହଲ ପ୍ରତିକ୍ରିୟାଶୀଳ ହୋଇଛନ୍ତି । ଅନେକ ସ୍ଥାନରେ ପ୍ରକୃତ ଖାଲି ପଦବୀ ସଂଖ୍ୟାକୁ ଉହ୍ୟ ରଖାଯାଇ ଭୁବନେଶ୍ୱର, କଟକ, ପୁରୀ, ବ୍ରହ୍ମପୁର, ରାଉରକେଲା ଭଳି ବଡ଼ ବଡ଼ ସହରରେ ନିଯୁକ୍ତି ପାଇଁ ଫିକ୍ସିଂ ହୋଇଥିବା ଅଭିଯୋଗ ଆସିଛି । ମନପସନ୍ଦ ଜାଗା ବାଛିବାର ଅଧିକାରରୁ ସେମାନଙ୍କୁ ବଞ୍ଚିତ କରାଯାଇଛି ବୋଲି ଡାକ୍ତରମାନେ ଅଭିଯୋଗ କରିଛନ୍ତି । ଓଡ଼ିଶା ମେଡ଼ିକାଲ୍ ସର୍ଭିସ୍ ଆସୋସିଏସନ୍(ଓମସା) ମଧ୍ୟ ମାମଲାକୁ ଗମ୍ଭୀରତାର ସହ ନେଇଛି । ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ବ୍ୟବସ୍ଥାରେ ଥିବା ତ୍ରୁଟି ବିଚ୍ୟୁତି ସଜାଡ଼ିବାକୁ ସଂଘ ଅନୁରୋଧ କରିଛି । ଏସଏଚଆରଏମୟୁ ଟିମ୍ ମୁଖ୍ୟ ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ତୁରନ୍ତ ହଟାଇବାକୁ ସିଧାସଳଖ ଦାବି କରାଯାଇଛି ।
ତେବେ ଏଭଳି ଅଭିଯୋଗକୁ ଅଭିଯୁକ୍ତ ମୁଖ୍ୟ ଡାକ୍ତର ବିଷ୍ଣୁ ମହାପାତ୍ର ଅସ୍ୱୀକାର କରିଛନ୍ତି । ଖାଲି ଥିବା ଡାକ୍ତର ପଦବୀ ତାଲିକା ଏକ କମିଟି ଦ୍ୱାରା ପ୍ରସ୍ତୁତ ହୋଇଥାଏ । ରାଜ୍ୟ ସରକାରଙ୍କ ଅନୁମୋଦନ ପରେ ଏହା ୱେବସାଇଟରେ ଛଡ଼ାଯାଇଥାଏ । ତେଣୁ ସେଥିରେ ତାଙ୍କର କୌଣସି ଭୂମିକା ନାହିଁ ବୋଲି ସେ ସଫେଇ ଦେଇଛନ୍ତି । ସେହିଭଳି ଡାଟା ବେସ୍ କାର୍ଯ୍ୟ ପାଇଁ ନୂଆ ସଫ୍ଟୱେୟାର୍ ତାଙ୍କ ସମୟରେ ଆରମ୍ଭ ହୋଇ କାର୍ଯ୍ୟ ଜୋରସୋର ଚାଲିଛି ବୋଲି କହିଛନ୍ତି ।