ଭୁବନେଶ୍ୱର: ‘ମେକ୍ ଇନ ଓଡ଼ିଶା’ର ଦ୍ୱିତୀୟ ସଂସ୍କରଣ କନକ୍ଲେଭ୍ ରୁ ଭାରତୀୟ ଶିଳ୍ପ ମହାସଂଘ(ସିଆଇଆଇ) ଓହରିଯିବା ପରେ ଏବେ ତାହା ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯାଇଥିବା କୁହାଯାଉଛି । ସିଆଇଆଇର ବିନା ସହଯୋଗରେ ଏହାକୁ ସଫଳ କରି ଦେଖାଇବା ଲାଗି ଶାସକ ଦଳ ଦମ୍ଭ ମାରିଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ଶିଳ୍ପ ବିଭାଗ ପକ୍ଷରୁ କିଛି ସ୍ପଷ୍ଟ କରାଯାଉନି । ଏପଟେ ‘ମେକ୍ ଇନ ଓଡ଼ିଶା’ରୁ ସିଆଇଆଇ ଓହରିବା ପଛରେ ସାଂସଦ ବୈଜୟନ୍ତ ପଣ୍ଡା ଓ ତାଙ୍କ ପତ୍ନୀ ତଥା ସିଆଇଆଇ ପୂର୍ବାଞ୍ଚଳ ଅଧ୍ୟକ୍ଷା ଜାଗୀମଙ୍ଗତ ପଣ୍ଡାଙ୍କ ଭୂମିକା ଉପରୁ ରହସ୍ୟ ହଟିନାହିଁ ।
ବିଜେଡ଼ି ସରକାରଙ୍କର ଏବେ ସବୁଠୁ ବଡ଼ଶତ୍ରୁ ହେଉଛନ୍ତି ସାଂସଦ ବୈଜୟନ୍ତ ପଣ୍ଡା । ବିଜେଡ଼ିରୁ ନିଲମ୍ବିତ ହେଲା ପରେ ସରକାରଙ୍କୁ ଖାଲରେ ପକାଇବାକୁ ସେ ନିଜର ସମସ୍ତ ବଳ କୌଶଳ ଖଟାଇଛନ୍ତି । ଏହିକ୍ରମରେ ‘ମେକ୍ ଇନ ଓଡ଼ିଶା’ ଭଳି ସରକାରଙ୍କ ଏକ ମେଗା ଇଭେଣ୍ଟ କୁ ଭଣ୍ଡୁର କରି ପାନେ ଚଖାଇବାକୁ ବୈଜୟନ୍ତ ଚକ୍ରାନ୍ତ କରିଥିବା ଅଭିଯୋଗ ହୋଇଛି । ସେଥିପାଇଁ ପତ୍ନୀଙ୍କୁ କୁଆଡ଼େ ଅସ୍ତ୍ର କରିଛନ୍ତି । ସମ୍ପ୍ରତି କେନ୍ଦ୍ର ଶିଳ୍ପ ମନ୍ତ୍ରଣାଳୟ ଷ୍ଟାଣ୍ଡିଂ କମିଟିରେ ବୈଜୟନ୍ତ ହେଉଛନ୍ତି ସଦସ୍ୟ । ପତ୍ନୀ ଜାଗୀ ସିଆଇଆଇ ପୂର୍ବାଞ୍ଚଳର ଅଧ୍ୟକ୍ଷା । ସିଆଇଆଇ ନିଷ୍ପତ୍ତି ଉପରେ ଦୁହିଁଙ୍କ ପ୍ରଭାବ ସନ୍ଦେହକୁ ଆସିବା ସ୍ୱାଭାବିକ । ବିଜେଡ଼ି ସାମ୍ବାଦିକ ସମ୍ମିଳନୀ କରି ଅଭିଯୋଗ ଆଣିଲା ପରେ ଜାଗୀ ନିଜର ସ୍ପଷ୍ଟୀକରଣ ଦେଇଥିଲେ । ତାଙ୍କୁ ରାଜନୀତିକୁ ଟାଣନ୍ତୁ ନାହିଁ ବୋଲି ବିଜେଡ଼ିକୁ ଅନୁରୋଧ କରିଥିଲେ । ସେ ୨୫ ବର୍ଷ ଧରି ଓଡ଼ିଶାରେ ବ୍ୟବସାୟ ସହିତ ସଂପୃକ୍ତ ଏବଂ ସ୍ୱାମୀଙ୍କ ରାଜନୈତିକ କାର୍ଯ୍ୟକଳାପ ସହ ତାଙ୍କର କୌଣସି ଦେଣନେଣ ନାହିଁ ବୋଲି ସଫେଇ ଦେଇଥିଲେ ।
ଜାଗୀଙ୍କ ପରିଚାଳନାରେ ଥିବା ଓଟିଭି ସଫେଇ ଢ଼ାଞ୍ଚାରେ ଜାଗୀ ସିଆଇଆଇ ପ୍ରସଙ୍ଗରେ ଏହି ସଫେଇ ଦେଇଥିଲେ । ଓଟିଭି ଯେମିତି କହୁଛି, ଚାନେଲ୍ ରେ ପ୍ରସାରିତ ଖବର ସହ ମାଲିକ ବୈଜୟନ୍ତଙ୍କର କିଛି ସମ୍ପର୍କ ନାହିଁ । ଅନୁରୂପ ଭାବେ ଜାଗୀ ନିଜକୁ ସ୍ୱାମୀଙ୍କ ରାଜନୈତିକ କାରବାରଠାରୁ ଅଲଗା କରିଛନ୍ତି । ତେବେ ସିଆଇଆଇ କାହିଁକି ‘ମେକ୍ ଇନ ଓଡ଼ିଶା’ କନକ୍ଲେଭରୁ ଓହରିଗଲା ସେ ନେଇ ଜାଗୀଙ୍କ ମୁହଁରେ କୌଣସି ପ୍ରତିକ୍ରିୟା ନାହିଁ । ସିଆଇଆଇ ପୂର୍ବାଞ୍ଚଳ ଅଧ୍ୟକ୍ଷା ଦାୟିତ୍ୱ ପାଇଥିବା ଓଡ଼ିଶାର ଏହି ସଚ୍ଚା ଶିଳ୍ପଦ୍ୟୋଗୀଙ୍କଠାରୁ ଓଡ଼ିଶାର ଶିଳ୍ପଜଗତ ବହୁତ କିଛି ଆଶା କରେ । ମାତ୍ର ସେ କହୁଛନ୍ତି ସିଆଇଆଇ ଓଡ଼ିଶା ଚାପ୍ଟର ସହ ତାଙ୍କର କିଛି ସମ୍ପର୍କ ନାହିଁ । ଅର୍ଥାତ୍ ଓଡ଼ିଶାରେ ଶିଳ୍ପର ବିକାଶ ହେଉ କି ନ ହେଉ ତାଙ୍କର ଯାଏ ଆସ ନାହିଁ । ଜଣେ ସ୍ୱାଭିମାନୀ ଶିଳ୍ପଦ୍ୟୋଗୀ ଭାବେ ଜାଗୀ ଓଡ଼ିଶାର ସ୍ୱାର୍ଥ ଦେଖୁଥିଲେ ଏଭଳି ମନ୍ତବ୍ୟ ଦେଇ ନ ଥାଆନ୍ତେ । ବରଂ ଏପ୍ରିଲ୍ ୪ ତାରିଖରେ ସିଆଇଆଇ ‘ମେକ୍ ଇନ ଓଡ଼ିଶା’ କନକ୍ଲେଭରୁ ଓହରିବା ନିଷ୍ପତ୍ତି ନେଲା ପରେ ସେ ଆଗୁଆ ପ୍ରତିକ୍ରିୟା ରଖିଥାନ୍ତେ । ଏଭଳି ନିଷ୍ପତ୍ତି ଓଡ଼ିଶା ସ୍ୱାର୍ଥର ପରିପନ୍ଥୀ ବୋଲି ସ୍ୱର ଉଠାଇଥାଆନ୍ତେ । ମାତ୍ର ଜାଗୀ ତାହା କରିଥିଲେ କି ? ଓଡ଼ିଶା କାର୍ଯ୍ୟକ୍ରମରୁ ସିଆଇଆଇ ଅଚାନକ ଓହରିଯିବାରେ ‘ଓଡ଼ିଶା ବ୍ୟବସାୟୀ’ ପୂର୍ବାଞ୍ଚଳ ଅଧ୍ୟକ୍ଷାଙ୍କର ଉତ୍ତର ଦାୟିତ୍ୱ ନାହିଁ ନାହିଁ କି ?
ଦେଶର ବିକାଶ ପାଇଁ ସବୁବେଳେ ଏକ ଅନୁକୂଳ କ୍ଷେତ୍ର ପ୍ରସ୍ତୁତ କରିବା ହେଉଛି ସିଆଇଆଇର ଲକ୍ଷ୍ୟ । ଶିଳ୍ପ ଜଗତ, ସରକାର ଓ ସିଭିଲ୍ ସୋସାଇଟ୍ ମଧ୍ୟରେ ଯୋଗସୂତ୍ର ରଖି ଏହା ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାରେ ସହାୟତା ଦେଇଥାଏ । ୨୦୧୮-୧୯ ମସିହା ପାଇଁ ସିଆଇଆଇର ଥିମ୍ ରହିଛି ଇଣ୍ଡିଆ ରାଇଜ। ତେବେ ଓଡ଼ିଶା କ୍ଷେତ୍ରରେ ସିଆଇଆଇର ଏଭଳି ବୈମାତୃକ ମନ କାହିଁକି ? ‘ମେକ୍ ଇନ ଓଡ଼ିଶା’ ଭଳି ରାଜ୍ୟର ଶିଳ୍ପାୟନରେ ମୂଲ୍ୟାଙ୍କ ବଢ଼ାଉଥିବା ଏକ ମେଗା କାର୍ଯ୍ୟକ୍ରମ ପାଇଁ ମୂଳରୁ ଆଗଭର ହୋଇଥିବା ସିଆଇଆଇ ଏବେ ଅନ୍ୟ କାର୍ଯ୍ୟକ୍ରମ ବାହାନାରେ ଖସିଯିବ କେମିତି ? ବିନା ଚାପରେ ସିଆଇଆଇ ଏଭଳି ନିଷ୍ପତ୍ତି ନେଇପାରିବ କି ? ଏହା ସଂସ୍ଥାର ବିଶ୍ୱନୀୟତାକୁ ପ୍ରଶ୍ନ ଉଠାଉନି କି ?
ସିଆଇଆଇର ନିଷ୍ପତ୍ତି ବିରୋଧରେ ଓଡ଼ିଶା ଚାପଟର ଅଧ୍ୟକ୍ଷ ଅରୁଣ ମିଶ୍ର ତାଙ୍କ ଇସ୍ତଫାପତ୍ରରେ ମରମ କଥାଟି ଲେଖି ନିଜକୁ ସଚ୍ଚା ଓଡ଼ିଆ ଭାବେ ପରିଚୟ ଦେଇଛନ୍ତି । ସେ ଲେଖିଛନ୍ତି, ମେକ୍ ଇନ ଓଡ଼ିଶା ଆୟୋଜନରେ ପ୍ରମୁଖ ଭୂମିକା ନେବା ପାଇଁ ସେ ଆଶା ବାନ୍ଧିଥିଲେ । ମାତ୍ର ସିଆଇଆଇର ନିଷ୍ପତ୍ତି ପରିପ୍ରେକ୍ଷୀରେ ସେ ଅଧ୍ୟକ୍ଷ ପଦରେ ରହିବାକୁ ଚାହୁଁନାହାନ୍ତି । ସିଆଇଆଇକୁ ସାଥ୍ ଦେଲା ଭଳି ଆଉ କାହାରିକୁ ରାଜ୍ୟ ଚାପଟର ଅଧ୍ୟକ୍ଷ ମନୋନୀତ କରାଯାଉ କହି ଇସ୍ତଫାପତ୍ରରେ ନିଜର ଅସନ୍ତୋଷ ଜଣାଇଛନ୍ତି । ଜାଗୀ ସେଥିରୁ କିଛି ଶିକ୍ଷାଲାଭ କରିବେ ବୋଲି ରାଜ୍ୟର ଶିଳ୍ପ ଅନୁରାଗୀମାନେ ଆଶା ରଖିଛନ୍ତି ।