ଭୁବନେଶ୍ୱର: ଏପ୍ରିଲ୍ ୧୦ ତାରିଖରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଗତକାଲି ଖୋଲିଥିଲା ଶ୍ରୀମନ୍ଦିର ଜଗମୋହନ । କେବଳ ପାଳିଆ ସେବକ ଭିତରକୁ ଯିବେ ବୋଲି ହାଇକୋର୍ଟ କଟକଣା କରିଥିବାରୁ ବିବାଦ ଚେଇଁଥିଲା । ୬ ଦିନ ସମୟ ପାଇ ବି ସେହି ବିବାଦର ସମାଧାନ ହୋଇପାରିଲାନି । ଶେଷରେ ବଳି ପଡ଼ିଗଲେ ସ୍ୱଂୟ ଜଗତର ନାଥ । ମହାପ୍ରଭୁଙ୍କୁ ଅଖିଆ ଅପିଆ ରାତି ଅନିଦ୍ରା ରଖାଯାଇ ଶାସ୍ତି ଦିଆଗଲା । ଶ୍ରୀମନ୍ଦିର ପ୍ରଶାସନ ଓ ସେବାୟତଙ୍କ ଅହଂ ଯୋଗୁଁ ମହାପ୍ରଭୁଙ୍କ ପହଡ଼ ପାରିଲାନି କି ରନ୍ଧା ସରିଥିବା ମହାପ୍ରଭୁଙ୍କ ମହାପ୍ରସାଦ ରୋଷଘରୁ ବାହାରିପାରିଲାନି । ରୋଷ ଘରେ ତାଲା ପକାଇ ସୁଆର ଚାଲିଗଲେ ।
ଗତକାଲି ମହାପ୍ରଭୁଙ୍କ ନୀତିକାନ୍ତିରେ ଏଭଳି ଗୁରୁତର ବିଭ୍ରାଟ କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ଛାତି ଥରାଇଦେଇଛି । ଏଭଳି ଗୁରୁତର ବିଭ୍ରାଟ ପାଇଁ ଭକ୍ତମାନଙ୍କ ମଧ୍ୟରେ ପ୍ରବଳ ପ୍ରତିକ୍ରିୟା ସୃଷ୍ଟି ହୋଇଛି । ବିଧାନସଭାରେ ଏହାକୁ ନେଇ ଆଜି ତୁମ୍ବିତୋଫାନ ହୋଇଛି । ସେବାୟତଙ୍କଠାରୁ ଆରମ୍ଭ କରି ଶ୍ରୀମନ୍ଦିର ପ୍ରଶାସନ ଓ ସରକାରଙ୍କ ଉପରେ ସମସ୍ତେ ବର୍ଷିଛନ୍ତି । ହାଇକୋର୍ଟ ନିର୍ଦ୍ଦେଶ ଉପରେ ଯଦି ଆପତ୍ତି ଥିଲା ତାହାର ସମାଧାନ କରାଗଲା ନାହିଁ କାହିଁକି ? ନିଶ୍ଚିତ ବିଭ୍ରାଟ ଜାଣି ମଧ୍ୟ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଶୋଇଥିଲେ କାହିଁକି ? ସରକାର ନିଜକୁ ତୃତୀୟପକ୍ଷ ବିଚାର କରି ନିରବଦ୍ରଷ୍ଟା ହେଲେ କେମିତି ? ଏମିତି ଅନେକ ପ୍ରଶ୍ନ ଆଜି ଭକ୍ତମାନଙ୍କୁ ବିଚଳିତ କରିଛି ।
ମହାପ୍ରଭୁଙ୍କ ନୀତିକାନ୍ତି ପାଳନକୁ ସୁରୁଖୁରୁ କରିବା ପରିବର୍ତ୍ତେ ସମସ୍ତଙ୍କୁ ନିଜର ଅଂହ କିଭଳି ଗ୍ରାସିଛି ଗତକାଲିର ବିଭ୍ରାଟରୁ ସ୍ପଷ୍ଟ ହୋଇଛି । ଯୋଉଠି ମହାପ୍ରଭୁଙ୍କ କାମରେ ନିଜର ଅହଂକାର ବାଜି ଲାଗୁଛି ସେଠି ସାଧାରଣ ଭକ୍ତ ଓ ଜନତାଙ୍କ ପାଇଁ ସେମାନଙ୍କର ଦାୟିତ୍ୱ କେଉଁଭଳି ହୋଇପାରେ ତାହା ଆଲୋଚନାର ବିଷୟ ହୋଇଛି । ଏଭଳି ଘଟଣା କିଭଳି ଘଟୁଛି ତାହା କାହାରି ମଗଜକୁ ଢ଼ୁକୁନି । ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ କହିବାନୁଯାୟୀ, ଯଦି ହାଇକୋର୍ଟ ନିର୍ଦ୍ଦେଶରେ କିଛି ଅସଙ୍ଗତି ଥିଲା ତେବେ ତାହା ବିଚାରକୁ ଦେଇ ଦରଖାସ୍ତ କରିବାରେ ଅସୁବିଧା ଥିଲା କେଉଁଠି ? ହାଇକୋର୍ଟ ନିଦେ୍ର୍ଦଶ ପାଳନ ପାଇଁ ଯଦି ପ୍ରଶାସନ ପ୍ରତିଶ୍ରୁତିବଦ୍ଧ ଥିଲା ତେବେ ସେଥିପାଇଁ ଉପଯୁକ୍ତ ବ୍ୟବସ୍ଥା କରାଗଲା ନାହିଁ କାହିଁକି ? ଏଭଳି ବିଭ୍ରାଟ ପାଇଁ ବିଜେପି ବିଧାୟକମାନେ ସିଧାସଳଖ ସରକାରଙ୍କୁ ଦାୟୀ କରିଛନ୍ତି । ଏଠି ପ୍ରଶ୍ନ ଉଠୁଛି, ଶ୍ରୀମନ୍ଦିର ପରିଚାଳନାରେ ନିଜର କର୍ତ୍ତୃତ୍ୱ ନାହିଁ ବୋଲି ସଫେଇ ଦେଇ ସରକାର ନିଜର ଦୋଷ ଘୋଡ଼ାଇପାରିବେ ତ ? ସରକାର ଜାଣିବା ଉଚିତ୍, ମହାପ୍ରଭୁ ସମସ୍ତଙ୍କର । କୋଟି କୋଟି ଭକ୍ତଙ୍କ ପାଖରେ ସରକାର ହିଁ ଉତ୍ତରଦାୟିତ୍ୱ ରହିବେ । ଏତେବଡ଼ ବିଭ୍ରାଟ ପାଇଁ ସରକାର ଅଲବତ୍ ଦୋଷୀ ରହିବେ ।
ସୂଚନାଯୋଗ୍ୟ, ବାଦବିବାଦ ଯୋଗୁଁ ଗତକାଲି ମହାପ୍ରଭୁଙ୍କୁ ସକାଳ ଜଳଖିଆ ଦିଆଯାଇଥିଲା ଅପରାହ୍ନ ୨ଟା ୪୫ ମିନିଟରେ । ଅପରାହ୍ନ ୩ଟା ୪୦ରେ ସକାଳ ଧୂପ ଆରମ୍ଭ ହୋଇଥିଲା । ରୋଷଘରୁ ଅଭଡ଼ା ବାହାରି ନ ପାରିବାରୁ ମହାପ୍ରଭୁଙ୍କ ମଧ୍ୟାହ୍ନ ଭୋଜନ ହୋଇପାରିଲା ନାହିଁ । ରାତିରେ ମହାପ୍ରଭୁଙ୍କ ପହଡ଼ ବି ପଡ଼ିପାରିଲାନି । ନୀତିକାନ୍ତି ଛାଡ଼ି ସେବାୟତମାନେ ଯେଝା ବାଟରେ ଚାଲିଯିବାରୁ ମହାପ୍ରଭୁ ରାତି ଅନିଦ୍ରା ରହିଲେ । ସେପଟେ ରାତି ୯ଟାରେ ଶ୍ରୀମନ୍ଦିର ସିଂହଦ୍ୱାର ସାମନାରେ ସୁଆର ଓ ସେବାୟତମାନେ ଧାରଣା ଦେଇଥିବାରୁ ଭକ୍ତମାନେ ଭିତରକୁ ପ୍ରବେଶ କରିପାରି ନ ଥିଲେ । ରାତି ୧୦ଟା ବେଳେ ମୁଖ୍ୟ ପ୍ରଶାସକ ପ୍ରଦୀପ ଜେନା ସେଠାରେ ପହଞ୍ଚିଥିଲେ ମଧ୍ୟ ସେବାୟତମାନଙ୍କ ସହ ଆଲୋଚନା ନ କରି ସିଧା ଯାଇଥିଲେ ଶ୍ରୀମନ୍ଦିର ।