ମୁଖ୍ୟମନ୍ତ୍ରୀଙ୍କ ଅସୁସ୍ଥତା ନେଇ ବୈଜୟନ୍ତ ମିଥ୍ୟା ପ୍ରଚାର କରୁଥିଲେ: ଦେବୁ
ଭୁବନେଶ୍ୱର: ସାଂସଦ ବୈଜୟନ୍ତ ପଣ୍ଡା କେଡ଼େ ଭୟଙ୍କର ତାହା ଆଜି ଖୋଲିଦେଇଛନ୍ତି ତାଙ୍କର ରାଜନୈତିକ ସଂଯୋଜକ ଦେବାଶିଷ(ଦେବୁ) ମଲ୍ଲିକ । ବୈଜୟନ୍ତଙ୍କ ବିରୋଧରେ ବିଜେଡ଼ି ଯେଉଁସବୁ ଅଭିଯୋଗ ଆଣିଥିଲା ତାହା ଶତକଡ଼ା ଶହେ ସତ ବୋଲି ଆଜି ସେ ମାନି ଯାଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଅସୁସ୍ଥତା ନେଇ ବୈଜୟନ୍ତ ମିଥ୍ୟା ପ୍ରଚାର କରୁଥିଲେ ବୋଲି ଦେବୁ କହିଛନ୍ତି । ବୈଜୟନ୍ତଙ୍କ ଭୟଙ୍କର ଓ ମତଲବି ଚରିତ୍ରରେ ଅତିଷ୍ଠ ହୋଇ ତାଙ୍କ ହାତ ଛାଡ଼ିଦେଇଥିବା ଦେବୁ ଘୋଷଣା କରିଛନ୍ତି । ଏଭଳି ଚରିତ୍ରର ଜଣେ ବ୍ୟକ୍ତିଙ୍କ ସହ କାମ କରିବାକୁ ତାଙ୍କ ବିବେକ ବାଧା ଦେଇଛି ବୋଲି ଦେବୁ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।
ବୈଜୟନ୍ତଙ୍କ ଜଣେ ବିଶ୍ୱସ୍ତ ସହଯୋଗୀ ଥିଲେ ଦେବାଶିଷ । ଦୀର୍ଘ ୧୨ ବର୍ଷ ଧରି ତାଙ୍କ ସହ କାମ କରି ଆସୁଥିଲେ । ବୈଜୟନ୍ତଙ୍କ ରାଜନୈତିକ କାର୍ଯ୍ୟକ୍ରମର ସେ ଥିଲେ ସଂଯୋଜକ । ଆଜି ସେହି ବିଶ୍ୱସ୍ତ ଦେବାଶିଷ ସାମ୍ବାଦିକ ସମ୍ମିଳନୀ କରି ବୈଜୟନ୍ତଙ୍କ ଅସଲ ଚରିତ୍ର ପଦାକୁ ଆଣିଛନ୍ତି । ଦେବାଶିଷ କହିଛନ୍ତି, ବୈଜୟନ୍ତ ବିଜେଡ଼ିରେ ରହି ଦଳ ଓ ସରକାରଙ୍କ ବିରୋଧରେ କାର୍ଯ୍ୟ କରି ଆସୁଥିଲେ । ନିଜ ସ୍ଥିତି ବଞ୍ଚାଇବାକୁ ସେ ବିଭିନ୍ନ ଅପପ୍ରଚାରରେ ମାତିଥିଲେ । ମୁଖ୍ୟମନ୍ତ୍ରୀ ଗୁରୁତର ଅସୁସ୍ଥ ବୋଲି ମିଥ୍ୟା ପ୍ରଚାର କରୁଥିଲେ । ବିଜେପିମୁହାଁ ହୋଇଥିବା ବୈଜୟନ୍ତ ସବୁବେଳେ ବିଜେଡ଼ିକୁ ଅସୁବିଧାରେ ପକାଇବାକୁ ଚେଷ୍ଟା କରୁଥିଲେ । ଗତ ପଞ୍ଚାୟତ ନିର୍ବାଚନ ଓ ବିଜେପୁର ଉପନିର୍ବାଚନରେ ବିଜେଡ଼ି ବିରୋଧରେ କାର୍ଯ୍ୟ କରିଥିଲେ । ନିଜର ବ୍ୟବସାୟିକ ସ୍ୱାର୍ଥ ପାଇଁ ସେ ସବୁକଥାରେ ତୃତୀୟ ମହଲା ଓ ଅଣଓଡ଼ିଆ ଅଫିସରଙ୍କୁ ଟାର୍ଗେଟ୍ କରୁଥିବା ଦେବାଶିଷ କହିଛନ୍ତି ।
ନିଜର ରାଜନୈତିକ ସଂଯୋଜକଙ୍କ ଦ୍ୱାରା ବୈଜୟନ୍ତଙ୍କ ଗୁମର ଖୋଲିଯିବା ପରେ ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି । ଗତ କିଛି ଦିନ ଧରି ବୈଜୟନ୍ତଙ୍କ ବିରୋଧରେ ବିଜେଡ଼ିର କ୍ରମାଗତ ଅଭିଯୋଗ ସତ୍ୟ ବୋଲି ପ୍ରମାଣିତ ହୋଇଛି । ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡ଼ି ତାଙ୍କୁ ଦଳରୁ ନିଲମ୍ବିତ କରିସାରିଛି । ଏଥିରେ ଆହୁରି କ୍ଷୁବ୍ଧ ହୋଇ ବୈଜୟନ୍ତ ତାଙ୍କର ଅଭିଯାନ ଜାରି ରଖିଛନ୍ତି । କଥାକଥାକେ ତୃତୀୟ ମହଲା ଓ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କାର୍ତ୍ତିକେୟନ୍ ପାଣ୍ଡିଆନ୍ ଙ୍କୁ ଟାର୍ଗେଟ୍ ଏବେ ବି ଜାରି ରହିଛି । ନିଜ ଚାନେଲ୍ କୁ ନିରପେକ୍ଷ ଦାବି କରୁଥିବା ବୈଜୟନ୍ତ ନିଜର ପ୍ରଚାର ପାଇଁ ସେହି ଚାନେଲ୍ କୁ ହିଁ ବ୍ୟବହାର କରୁଛନ୍ତି । ଆଜି ବୈଜୟନ୍ତଙ୍କ ରାଜନୈତିକ ସଚିବଙ୍କ ମୁହଁରୁ ବୈଜୟନ୍ତଙ୍କ ଗୁମର ଖୋଲିବା ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ହୋଇଛି ।
ସେପଟେ ଦେବାଶିଷଙ୍କୁ ହାତରେ ରଖି ନିଜର ରାଜନୈତିକ ଗୋଟିଚାଳନା କରି ଆସୁଥିବା ବୈଜୟନ୍ତଙ୍କ ଅଫିସ ତାଙ୍କ ଇସ୍ତଫାରେ ବିଚଳିତ ହୋଇପଡ଼ିଛି । ଦେବାଶିଷଙ୍କ ଅଭିଯୋଗକୁ ଭିତ୍ତିହୀନ କହି ବୈଜୟନ୍ତଙ୍କ ସ୍ଥିତି ବଞ୍ଚାଇବାକୁ ଚାହିଁଛନ୍ତି । ଦେବାଶିଷ କାହାରି ପ୍ରରୋଚନାରେ ଏଭଳି ଆରୋପ ଆଣିଥିବା ବୈଜୟନ୍ତଙ୍କ ରାଜନୈତିକ ସଚିବ ସଫେଇ ଦେଇଛନ୍ତି ।
Own people of Baijayant Panda are telling the facts, and now it’s upto the people of #Odisha how they are analysing! The allegations of BJD against Mr Panda is getting a solid structure with these news, hope all other things will be cleared soon. Misuse of fourth pillar of Democracy is a dangerous thing and we hope that this disease will not affect Odisha…