ଭୁବନେଶ୍ୱର: ରାଜ୍ୟର ମୁଖ୍ୟମନ୍ତ୍ରୀ ଗୁରୁତର ଅସୁସ୍ଥ ବୋଲି ଏକ ଗୁଜବ ତିଆରି କରି ତାକୁ ପ୍ରଚାର କରାଇବା ନିଜ ଦଳର ଜଣେ ସୁସ୍ଥ ରାଜନୈତିକ ବ୍ୟକ୍ତିବିଶେଷଙ୍କ ପକ୍ଷରେ ସମ୍ଭବ କି ? ବ୍ୟକ୍ତିଗତ ରାଗ ରଖି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଜନମାନସରେ ଅସୁସ୍ଥ ବୋଲି ଧାରଣା ସୃଷ୍ଟି କରୁଥିବା ଦଳୀୟ ବ୍ୟକ୍ତି ଯେତେ ପ୍ରଭାବଶାଳୀ ହେଲେ ବି କ’ଣ କୁହାଯିବ ? ସେଭଳି ବ୍ୟକ୍ତିଙ୍କ ମାନସିକତା କେତେ ହୀନ ଓ ସଂକୀର୍ଣ୍ଣ ତାହା ବୁଝାପଡୁନି କି ?
ସାଂସଦ ବୈଜୟନ୍ତ ପଣ୍ଡାଙ୍କ ରାଜନୈତିକ ସଂଯୋଜକ ଦେବାଶିଷ ମଲ୍ଲିକ ଏକ ସାମ୍ବାଦିକ ସମ୍ମିଳନୀ କରି ସାଂସଦଙ୍କର ସବୁ ଗୁମର ଖୋଲିବା ପରେ ସାଧାରଣରେ ଏମିତି ଚାଲିଛି ଆଲୋଚନା । ତେବେ ବୈଜୟନ୍ତଙ୍କ କାରସାଦି ଅଭିଯୋଗର ଏହା ନୂଆ ଖୁଲାସା ନୁହେଁ । ସେ ସମ୍ପର୍କରେ ପୂର୍ବରୁ ବିଜେଡ଼ି ଅଭିଯୋଗ କରିଥିଲା । ହେଲେ ବିଜେଡ଼ି ରାଗ ରଖି ଏଭଳି ଆରୋପ ଲଗାଉଛି ବୋଲି ବୈଜୟନ୍ତ ଓ ତାଙ୍କ ସମର୍ଥକମାନେ ପ୍ରଚାର କରିଥିଲେ । ଏବେ ବୈଜୟନ୍ତଙ୍କ ଖାସ୍ ରାଜନୈତିକ ସହଯୋଗୀ ଓ ସହକର୍ମୀଙ୍କ ମୁହଁରେ ଏହାର ଖୁଲାସା ହୋଇଥିବାରୁ ସତ କ’ଣ ଧରାପଡ଼ିଯାଇଛି । ବୈଜୟନ୍ତ ବ୍ୟକ୍ତିଗତ ସ୍ୱାର୍ଥ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅସୁସ୍ଥ ବୋଲି ପ୍ରଚାର କରାଇଥିଲେ ବୋଲି ତାଙ୍କର ଘନିଷ୍ଠ ସହଯୋଗୀ ଖୁଲାସା କରିଛନ୍ତି ।
ଜାତୀୟ ୱେବପୋର୍ଟାଲ୍ ନାରଦ ଡଟକମ୍ ରେ ମୁଖ୍ୟମନ୍ତ୍ରୀଙ୍କ ଅସୁସ୍ଥତା ନେଇ ଗତବର୍ଷ ଏକ ଚମକପ୍ରଦ ଖବର ପ୍ରକାଶ ପାଇଥିଲା । ଏହି ଖବରଟି ବିଜେଡ଼ିର ଜଣେ ସାଂସଦଙ୍କ ଦ୍ୱାରା ତିଆରି କରାଯାଇଥିବା ଦିଲ୍ଲୀ ମହଲରେ ଖବର ଖେଳିଥିଲା । ଏହି ସାଂସଦଜଣଙ୍କ ବୈଜୟନ୍ତ ପଣ୍ଡା ବୋଲି ଜୋର୍ ଚର୍ଚ୍ଚା ହୋଇଥିଲା । ସଂଯୋଗକୁ ଗତବର୍ଷ ଅଗଷ୍ଟ ୧୫ ପ୍ୟାରେଡ଼ ଅଭିବାଦନ ଗ୍ରହଣ କରୁଥିବା ବେଳେ ମୁଖ୍ୟମନ୍ତ୍ରୀ ପ୍ରବଳ ଖରାରେ ସାମାନ୍ୟ ଅସୁସ୍ଥ ଅନୁଭବ କରିଥିଲେ । କିଛି ସମୟ ପରେ ଠିକ୍ ହୋଇଯାଇଥିଲେ । ମାତ୍ର ବୈଜୟନ୍ତଙ୍କ ଚାନେଲ୍ ସେହି ଖବରକୁ ଏମିତି ପ୍ରଚାର କଲା ଯେ ଲୋକେ ଛାନିଆଁ ହୋଇଗଲେ । ଖାଲି ସେତିକି ନୁହେଁ, ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ମୁଖ୍ୟମନ୍ତ୍ରୀ ଗଣମାଧ୍ୟମକୁ ବାଇଟ୍ ଦେଇ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ମଧ୍ୟ ବୈଜୟନ୍ତ ତାଙ୍କର ଆଶୁ ଆରୋଗ୍ୟ କାମନା କରି ଜବରଦସ୍ତ ଟୁଇଟ୍ କରିଥିଲେ । ସେହି ଟୁଇଟ୍ ରେ ସେ ଏମିତି ଭାଷା ଲେଖିଥିଲେ ଯେକୌଣସି ବ୍ୟକ୍ତି ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟ ନେଇ ସନ୍ଦେହରେ ପଡ଼ିବେ । ସୁତରାଂ ମୁଖ୍ୟମନ୍ତ୍ରୀ ଅସୁସ୍ଥ ବୋଲି ବୈଜୟନ୍ତ ନିଜ ଟିଭି ଓ ଟୁଇଟର ମାଧ୍ୟମରେ ପ୍ରଚାର କରିଥିଲେ । ଅନ୍ୟାନ୍ୟ କିଛି ଗଣମାଧ୍ୟମ ସମେତ ‘ମିଡ଼ ଡ଼େ ଓଡ଼ିଶା’ ଏହାର ଖୁଲାସା କରିଥିଲା ।
ଖାଲି ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟ କଥା ନୁହେଁ, ବିଜେଡ଼ି ଉପରେ ରାଗ ସୁଝାଇବାକୁ ବୈଜୟନ୍ତ ବିଭିନ୍ନ ଅପପ୍ରଚାର ଓ କାମରେ ଲାଗିଥିବା ତାଙ୍କର ପୂର୍ବତନ ରାଜନୈତିକ ସଂଯୋଜକ ଦେବାଶିଷ କହିଛନ୍ତି । ବିଜେଡ଼ି ଉପରେ ବୈଜୟନ୍ତଙ୍କର କ’ଣ ପାଇଁ ରାଗ ତାହାର ଉତ୍ତର ସିଧା ସିଧା କହିଛନ୍ତି ଦେବାଶିଷ । ୨୦୧୪ ମସିହାରେ ସେ ଲୋକସଭାକୁ ନିର୍ବାଚିତ ହେଲା ପରେ ଫାଇନାନସ୍ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ହେବାକୁ ମନ ବଳାଇଥିଲେ । ସେଥିପାଇଁ ନବୀନ ପଟ୍ଟନାୟକଙ୍କ ସୁପାରିଶ ଲୋଡ଼ିଥିଲେ । ମାତ୍ର ନବୀନ ମନା କରିଦେବାରୁ ବୈଜୟନ୍ତ କ୍ଷୁବ୍ଧ ହୋଇପଡ଼ିଥିଲେ । ବୈଜୟନ୍ତ ସେବେଠାରୁ ମୁଖ୍ୟମନ୍ତ୍ରୀ ଓ ବିଜେଡ଼ି ଉପରେ ପ୍ରତିଶୋଧପରାୟଣ ହୋଇଛନ୍ତି । ବିଜେପିର ହାତ ଧରି ବିଜେଡ଼ି ବିରୋଧୀ ମିସନ୍ ଚଳାଇଛନ୍ତି । ଗତ ପଞ୍ଚାୟତ ନିର୍ବାଚନ ଓ ବିଜେପୁର ଉପନିର୍ବାଚନରେ ସେ ବିଜେଡ଼ି ବିରୋଧରେ ଅର୍ନ୍ତଘାତୀ କାମ କରିଥିଲେ । ସୂଚନାଥାଉକି, ବିଜେଡ଼ି ଏହି ସମାନ ଅଭିଯୋଗ ଆଣି ବୈଜୟନ୍ତଙ୍କୁ ଦଳରୁ ନିଲମ୍ବିତ କରିଥିଲା ।
କଥାକଥାକେ ତୃତୀୟ ମହଲା ଓ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ପାଣ୍ଡିଆନ୍ ଙ୍କୁ ଟାର୍ଗେଟ୍ କାହିଁକି ? ଦେବାଶିଷ କହିଛନ୍ତି, ଏହା ପଛରେ ବୈଜୟନ୍ତଙ୍କର ବ୍ୟବସାୟିକ ସ୍ୱାର୍ଥହାନୀ ରାଗ ଅଛି । ନିଜ ବ୍ୟବସାୟିକ ସ୍ୱାର୍ଥରେ ବାଧା ଆସିବାରୁ ସେ ତୃତୀୟ ମହଲା ଓ ପାଣ୍ଡିଆନ୍ ଙ୍କ ଉପରେ ରାଗ ରଖିଛନ୍ତି । ସେଥିପାଇଁ ତାଙ୍କ ଓଟିଭିକୁ ବ୍ୟକ୍ତିଗତ ଅସ୍ତ୍ର ଭାବେ ବ୍ୟବହାର କରୁଛନ୍ତି । ବିଜେଡ଼ିକୁ ବଦନାମ ଓ ଖତମ୍ କରିବା ପାଇଁ ବୈଜୟନ୍ତଙ୍କର ଚକ୍ରାନ୍ତ ୨୦୧୪ ମସିହାରୁ ଆରମ୍ଭ ହୋଇଛି । ଏକ ନିର୍ଦ୍ଦିଷ୍ଟ କୋଟରିରେ ସବୁ ନିଷ୍ପତ୍ତି ହେଉଥିବାରୁ ସେ ତାହାର ଟେର୍ ପାଉ ନ ଥିଲେ ବୋଲି ଦେବାଶିଷ କହିଛନ୍ତି । ତାହା ଜାଣିବା ପରେ ବୈଜୟନ୍ତଙ୍କ ସହ କାମ କରିବାକୁ ଉଚିତ୍ ମଣିନାହାନ୍ତି । ଯେଉଁ ମୁଖ୍ୟମନ୍ତ୍ରୀ ତାଙ୍କୁ ଦୁଇ ଦୁଇ ଥର ରାଜ୍ୟସଭା ସାଂସଦ କରାଇଛନ୍ତି ଏବଂ ଦୁଇ ଦୁଇ ଥର କେନ୍ଦ୍ରାପଡ଼ା ଲୋକସଭା ଆସନରୁ ଟିକେଟ ଦେଇ ଜିତାଇ ଆଣିଛନ୍ତି ସେହି ମୁଖ୍ୟମନ୍ତ୍ରୀ ଓ ଦଳ ବିରୋଧରେ ବୈଜୟନ୍ତ ଘାତକ ଷଡ଼ଯନ୍ତ୍ର କରିଛନ୍ତି । ବୈଜୟନ୍ତଙ୍କ ଏଭଳି କାର୍ଯ୍ୟ ତାଙ୍କୁ ବୀତସ୍ଫୃହ କରିବାରୁ ଦେବାଶିଷ ତାଙ୍କ ହାତ ଛାଡ଼ିଥିବା କହିଛନ୍ତି ।
ବୈଜୟନ୍ତଙ୍କ ରାଜନୈତିକ ବିଶ୍ୱସ୍ତ ଦେବାଶିଷଙ୍କ ମୁହଁରୁ ବୈଜୟନ୍ତଙ୍କ ଗୁମର ଖୋଲିଯିବା ପରେ ବିଜେଡ଼ି-ବୈଜୟନ୍ତ ବିବାଦ ନିର୍ଣ୍ଣାୟକ ମୋଡ଼ ନେଇଛି । କେନ୍ଦ୍ରାପଡ଼ା ଜନସାଧାରଣଙ୍କ ପ୍ରତି ବୈଜୟନ୍ତ ବିଶ୍ୱାସଘାତକତା କରିଛନ୍ତି ବୋଲି ଖୋଦ୍ ବୈଜୟନ୍ତଙ୍କ ସମର୍ଥକମହଲରୁ ପ୍ରତିକ୍ରିୟା ଆସିଲାଣି । ଅନ୍ୟପକ୍ଷରେ ଭୁବନେଶ୍ୱର ସମେତ ବୈଜୟନ୍ତଙ୍କ ସଂସଦୀୟ କ୍ଷେତ୍ର କେନ୍ଦ୍ରାପଡ଼ା ବିଜେଡ଼ି ଶିବିରରେ ଏହାର ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି । ଗତକାଲି ଭୁବନେଶ୍ୱର, କେନ୍ଦ୍ରାପଡ଼ା,ପଟ୍ଟାମୁଣ୍ଡାଇ, ମାର୍ଶାଘାଇ, ସାଲେପୁର, ନିଶ୍ଚିନ୍ତକୋଇଲି, ମାହାଙ୍ଗା, ଗରଦପୁରରେ ବୈଜୟନ୍ତଙ୍କ ବିରୋଧରେ ବିକ୍ଷୋଭ କରାଯାଇ ତାଙ୍କର କୁଶପୁତ୍ତଳିକା ଦାହ କରାଯାଇଛି । ଲୋକେ କହିଲେଣି, ବୈଜୟନ୍ତ ହେଲିକପ୍ଟରରେ ନିର୍ବାଚନମଣ୍ଡଳୀ ଯାଇ ଲୋକଙ୍କ ସହ କୁଡ଼ିଆ ଘରେ ବସିବା, ପଖାଳ ଖାଇବା, କାହା ପିଲାକୁ କୋଳେଇ ବୁଲେଇବା, କ୍ରିକେଟ ପଡ଼ିଆରେ ପିଲାଙ୍କ ସହ କ୍ରିକେଟ୍ ଖେଳିବା.. ସବୁ ଅଭିନୟ । ବୈଜୟନ୍ତଙ୍କର ଏହି ଲୋକ ଦେଖାଣିଆ ଚରିତ୍ର ଭିତରେ ରହିଛି ଖାଣ୍ଟି ରାଜନୈତିକ ଓ ବ୍ୟବସାୟିକ ସ୍ୱାର୍ଥ ।
ରାଜନୈତିକ ପର୍ଯ୍ୟବେକ୍ଷକଙ୍କ କହିବାନୁଯାୟୀ ରାଜନୀତିରେ ଦୁଇଟି ଶଦ୍ଦ ସମସ୍ତଙ୍କ ପାଇଁ ପ୍ରଜୁଯ୍ୟ । ନେତାଙ୍କ ପ୍ରତି ବିଶ୍ୱସ୍ତ ନଚେତ୍ ବେଇମାନି । ଏହି ଦୁଇଟି ଚରିତ୍ର ସହ ରାଜନୀତିରେ ଉତଥାନ ଓ ପତ୍ତନ ଯୋଡି ହୋଇଥାଏ । ବୈଜୟନ୍ତଙ୍କ କାର୍ଯ୍ୟକଳାପ ତାଙ୍କୁ କେଉଁ ଚରିତ୍ରର ଆଖ୍ୟା ଦେବ ସେ ନିଜେ ସ୍ଥିର କରନ୍ତୁ । ନିଜକୁ ଉଚ୍ଚାରେ ରଖି ଆକାଶରେ ଉଡ଼ିଲେ ଅନ୍ୟମାନେ ଛୋଟ ଦେଖାଯାଆନ୍ତି ସତ ହେଲେ ତାହା ହିଁ ଅସନ୍ତୁଳନର ମୂଳ କାରଣ ହୋଇଯାଏ । ବୈଜୟନ୍ତଙ୍କ କ୍ଷେତ୍ରରେ ଏହା ହିଁ ଘଟିଛି ବୋଲି ଜଣେ ବରିଷ୍ଠ ସାମ୍ବାଦିକ ମତ ଦେଇଛନ୍ତି ।






