ଭୁବନେଶ୍ୱର: ପୂର୍ବତନ ମୁମ୍ବାଇ ପୁଲିସ କମିଶନର ଅରୂପ ପଟ୍ଟନାୟକ ବିଜେଡ଼ିରେ ମିଶିଛନ୍ତି । ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସେ ବିଜେଡ଼ିରେ ଯୋଗଦେଇଛନ୍ତି । ବିଜେଡ଼ିରେ ନିଜକୁ ସାମିଲ କରି ସେ ଖୁସି ପ୍ରକଟ କରିବା ସହ ଲୋକଙ୍କ ସେବା କରିବା ପାଇଁ ଏହା ତାଙ୍କୁ ଅଧିକ ସୁଯୋଗ ଦେବ ବୋଲି ଅରୂପ କହିଛନ୍ତି । ଦଳରେ ଜଣେ କର୍ମୀ ଭାବେ ଯୋଗଦେଇଛି । ଦଳରୁ ଯାହା ନିର୍ଦ୍ଦେଶ ମିଳିବ ସେହି ଅନୁଯାୟୀ କାର୍ଯ୍ୟ କରିବି ବୋଲି ଅନୂପ ପ୍ରତିକ୍ରିୟା ଦେଇଛନ୍ତି ।
୧୯୭୯ ବ୍ୟାଚ୍ ଆଇପିଏସ୍ ଅରୂପ ପଟ୍ଟନାୟକ ଜଣେ ଦକ୍ଷ ଓ ସ୍ୱନାମଧନ୍ୟ ପୁଲିସ ଅଫିସର ଭାବେ ଜଣାଶୁଣା ଥିଲେ । ମହାରାଷ୍ଟ୍ର କ୍ୟାଡରର ଏହି ଓଡ଼ିଆ ଅଫିସର ତାଙ୍କ ଚାକିରି ଜୀବନରେ ବହୁ ଗୁରୁତ୍ୱପୂର୍ଣ୍ଣ ଓ ସମ୍ବେଦନଶୀଳ ଦାୟିତ୍ୱ ନିର୍ବାହ କରିଛନ୍ତି । ୧୯୯୩ ମୁମ୍ବାଇ ଦଙ୍ଗା ମୁକାବିଲାଠାରୁ ଆରମ୍ଭ କରି ହର୍ଷଦ ମେହେଟ୍ଟା ସିକ୍ୟୁରିଟି ସ୍କାମର ତଦନ୍ତ ଦାୟିତ୍ୱ ସଫଳତାର ସହ ତୁଲାଇଥିଲେ । ମୁମ୍ବାଇର ଅଣ୍ଡରୱାର୍ଲଡ ମାଫିଆ ଦାଉଦ ଇବ୍ରାହିମ୍ ଓ ଅରୁଣ ଗ୍ୱାଲିଙ୍କ ଇଲାକା ଡୋଙ୍ଗ୍ରି, ନାଗପଡ଼ା,ବାଇକୁଲା ଅଞ୍ଚଳର ସେ ଥିଲେ ମୋଷ୍ଟ ୱାଣ୍ଟେଡ଼୍ ପୁଲିସ ଅଫିସର । ମୁମ୍ବାଇ ଅଣ୍ଡରୱାର୍ଲଡ଼ ମାଫିଆ ସାମ୍ରାଜ୍ୟକୁ ଥରହର କରୁଥିବା ଅରୂପ ୨୦୧୧ ମାର୍ଚ୍ଚରେ ମୁମ୍ବାଇ ପୁଲିସ କମିଶନର ଦାୟିତ୍ୱ ନେଇଥିଲେ । ୨୦୧୨ ଅଗଷ୍ଟ ୧୧ ଆଜାଦ୍ ମୈଦାନ୍ ହିଂସାକାଣ୍ଡ ମାମଲାରେ ସେ ବିବାଦରେ ପଡ଼ି କମିଶନର ଦାୟିତ୍ୱରୁ ହଟିଥିଲେ । ୨୦୧୫ ମସିହାରେ ଅରୂପ ଚାକିରିରୁ ଅବସର ନେଇଥିଲେ । ଜଣେ ଦକ୍ଷ ପୁଲିସ ଅଫିସର ଭାବେ ଜଣାଶୁଣା ଅରୂପ ତାଙ୍କ ଚାକିରି ଜୀବନ କାଳରେ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରୁଥିଲେ । ମୁମ୍ବାଇରେ ଥିବା ବେଳେ ସେଠାକୁ ଚିକିତ୍ସା ପାଇଁ ଯାଉଥିବା ଓଡ଼ିଆଙ୍କୁ ସାହାଯ୍ୟ ଓ ସହଯୋଗର ହାତ ବଢ଼ାଉଥିଲେ । ସମ୍ପ୍ରତି କୋଣାର୍କ କ୍ୟାନସର୍ ଫାଉଣ୍ଡେସନ୍ ର ଟ୍ରଷ୍ଟି ଭାବେ କାର୍ଯ୍ୟ କରୁଛନ୍ତି ଅରୂପ ।