ଭୁବନେଶ୍ୱର: କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କୁ ବଦନାମ କରିବା ପାଇଁ ରଚାଯାଇଛି ଭୟଙ୍କର ଷଡ଼ଯନ୍ତ୍ର । ବିରୋଧୀ ଶକ୍ତି ସହ ଏହି ଷଡ଼ଯନ୍ତ୍ରରେ ସାମିଲ ହୋଇଛନ୍ତି ତାଙ୍କ ଦଳର ଜଣେ (ଆକାଂକ୍ଷୀ) ନବାଗତ ବିଧାୟକ । ଅନୁଭବଙ୍କ ବିରୋଧରେ ଗୋଟାକ ପରେ ଗୋଟେ ଅଭିଯୋଗ ଆସିବା ପଛରେ ଏହି ବିଧାୟକଙ୍କ ଇସାରା ରହିଛି… ।
ଏକଥା ଆମେ କହୁନୁ । ରାଜନୈତିକ ମହଲରେ ଏହି ଚର୍ଚ୍ଚା ଏବେ ଦାନା ଧରିଛି । ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ନଜରକୁ ବି ଆସିଲାଣି । ଦଳୀୟ ବିଧାୟକଙ୍କ ଏଭଳି ବିଭୀଷଣ ଅବତାର ମୁଖ୍ୟମନ୍ତ୍ରୀଙ୍କୁ ବିଚଳିତ କରିଥିବା ଏକ ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି । କେବଳ ଏହି ଗୋଟିକ ଘଟଣା ନୁହେଁ ସହଯୋଗୀ ନେତାମାନଙ୍କ ପଛରେ ପଡ଼ିବା ଏବଂ ଦଳକୁ ଲଗାତର ଅଡୁଆରେ ପକାଇବା ପାଇଁ ସଂପୃକ୍ତ ବିଧାୟକଙ୍କ ନିରବଚ୍ଛିନ୍ନ ଉଦ୍ୟମ ବିଜେଡ଼ି ଶିବିରରେ ଚର୍ଚ୍ଚାର ବିଷୟ ହୋଇଛି ।
ଜଣେ ବରିଷ୍ଠ ବିଧାୟକଙ୍କ କହିବା ଅନୁଯାୟୀ, ଶିକ୍ଷାଗତ ଯୋଗ୍ୟତା ଉପରେ ଅନୁଭବଙ୍କୁ ଘାଣ୍ଟିବା ଷଡ଼ଯନ୍ତ୍ରରେ ପୂର୍ବତନ ବିଜେଡ଼ି ସାଂସଦ ଏବଂ ଏବେକାର ବିଜେଡ଼ି ବିଧାୟକଙ୍କ ପ୍ରଚ୍ଛନ୍ନ ଭୂମିକା ରହିଛି । ଏକ ଓଡ଼ିଆ ଟିଭି ଚାନେଲ୍ ର ଦିଲ୍ଲୀ ପ୍ରତିନିଧି ମଧ୍ୟ ସେଥିରେ ସାମିଲ୍ ଅଛନ୍ତି । ତେବେ ନିର୍ଦ୍ଦିଷ୍ଟ ଭାବେ କଂଗ୍ରେସ ସାମ୍ବାଦିକ ସମ୍ମିଳନୀ ଉପରେ ସେ କିଛି କହିନାହାନ୍ତି ।
ସୂଚନାଥାଉକି, ଅନୁଭବ ମହାନ୍ତିଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ ଗତକାଲି କଂଗ୍ରେସ ନେତା ତଥା ଆଇନଜୀବୀ ନିଶିକାନ୍ତ ମିଶ୍ର ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଶ୍ନ ଉଠାଇଥିଲେ । ଆରଟିଆଇ ତଥ୍ୟ ଆଧାରରେ ସେ ଅନୁଭବଙ୍କୁ ଜାଲି ଗ୍ରାଜୁଏଟ୍ ବୋଲି ଦର୍ଶାଇବା ସହ ୨୦୧୪ ରାଜ୍ୟସଭା ନିର୍ବାଚନୀ ସତ୍ୟପାଠରେ ଅନୁଭବ ନିଜ ଶିକ୍ଷାଗତ ଯୋଗ୍ୟତା ସମ୍ପର୍କରେ ମିଥ୍ୟା ତଥ୍ୟ ଦେଇଥିବା ଅଭିଯୋଗ କରିଥିଲେ । ଏହା ମିଥ୍ୟା ଓ ଉଦ୍ଦେଶ୍ୟ ପ୍ରଣୋଦିତ କହି ଅନୁଭବ ଜବାବ ଦେବା ପରେ ଆଜି ପୁଣି ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ ନିଶିକାନ୍ତ । ଅନୁଭବଙ୍କୁ ଜେଲ୍ ପଠାଇବାକୁ ଦାବି କରିଛନ୍ତି ।
ତେବେ ସେ ଯାହା ହେଉ, ଅନୁଭବଙ୍କ ବିରୋଧରେ କେବଳ ଏଇ ଗୋଟିଏ ଅଭିଯୋଗ ଆସିନାହିଁ । ନିର୍ବାଚନ ବେଳେ ପୋଷ୍ଟର ଛାପିବା ବାବଦ ବକେୟା ଟଙ୍କା ଦେଉନାହାନ୍ତି ବୋଲି ଅଳ୍ପ ଦିନ ତଳେ ଅଭିଯୋଗ ଆସିଥିଲା । କେନ୍ଦ୍ରାପଡ଼ାରୁ ଜିତି ଆସିବା ପରେ ଏମିତି ଅଧଡର୍ଜନ ବିବାଦରେ ଛନ୍ଦି ହେଲେଣି ଅନୁଭବ । ପ୍ରତିଟି ଅଭିଯୋଗକୁ ଅନୁଭବ ଖଣ୍ଡନ କରି ତାଙ୍କ ବିରୋଧରେ ଷଡ଼ଯନ୍ତ୍ର ବୋଲି ଜବାବ ଦେଉଛନ୍ତି ।
ଅନୁଭବଙ୍କ ବିରୋଧରେ ରାଜନୈତିକ ପ୍ରତିପକ୍ଷଙ୍କ ସମ୍ଭାବ୍ୟ ଭୂମିକାକୁ ବିଜେଡ଼ି ଲୋକ ସହଜରେ ଗ୍ରହଣ କରୁଥିଲେ ମଧ୍ୟ ଖୋଦ୍ ଦଳୀୟ ବିଧାୟକଙ୍କ ନାଁ ଚର୍ଚ୍ଚାକୁ ଆସିଥିବାରୁ ଚକିତ ହୋଇଛନ୍ତି । ବ୍ୟବସାୟଜନିତ କୌଣସି ପୂର୍ବରାଗର ପ୍ରତିଶୋଧ ନେବା ପାଇଁ ବିଧାୟକ ତାଙ୍କ ପଛରେ ଲାଗିଥିବା କୁହାଯାଉଛି । ଅବଶ୍ୟ ଅନୁଭବଙ୍କୁ ସେ କମ୍ ଟାର୍ଗେଟ୍ କରିଥିବା ବେଳେ ଦଳକୁ ଅଧିକ ଟାର୍ଗେଟ୍ କରିଥିବା ବରିଷ୍ଠ ମହଲରେ ଆଲୋଚନା ହେଉଛି ।