ଭୁବନେଶ୍ୱର: ଆଇଏଏସ ଚାକିରି ଛାଡ଼ି ବିଜେପିରେ ଯୋଗଦେଇଥିବା ଅପରାଜିତା ଷଡ଼ଙ୍ଗୀଙ୍କୁ ପ୍ରଥମ ଥର ପାଇଁ ଦଳୀୟ ଦାୟିତ୍ୱ ମିଳିଛି । କେନ୍ଦ୍ରୀୟ ଯୋଜନା ଅନ୍ତର୍ଗତ ଲାଭାର୍ଥୀ ସମ୍ପର୍କ ବିଭାଗର ମୁଖ୍ୟ ଭାବେ ସେ କାର୍ଯ୍ୟ କରିବେ । ବିଜେପିର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗକୁ ଅଧିକ ଚଳଚଞ୍ଚଳ କରିବା ପାଇଁ ଦଳ ନିଷ୍ପତ୍ତି ନେଇଛି । ଏହି କ୍ରମରେ ଅପରାଜିତାଙ୍କୁ ନୂଆ ଦାୟିତ୍ୱ ଦିଆଯାଇଛି । ଦଳୀୟ ଆଭିମୁଖ୍ୟକୁ ଅଧିକ ଲୋକାଭିମୁଖୀ କରିବା ନିମନ୍ତେ ଆଇନ ଓ ସୂଚନା ଅଧିକାର ସେବାର ମୁଖ୍ୟ ଭାବେ ପିତାମ୍ବର ଆଚାର୍ଯ୍ୟଙ୍କୁ ଦାୟିତ୍ୱ ଦିଆଯାଇଛି । ସେହିଭଳି ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମ କାର୍ଯ୍ୟକୁ ଅଧିକ କ୍ରିୟାଶୀଳ କରାଇବା ପାଇଁ ଦଳର ବରିଷ୍ଠ ନେତା ତଥା ମୁଖପାତ୍ର ଗୋଲକ ମହାପାତ୍ର ଓ ରାଜ୍ୟ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ବିଭାଗର ମୁଖ୍ୟ ଦାୟିତ୍ୱ ଦିଆଯାଇଛି । ଦଳର ରାଜ୍ୟ ଉପସଭାପତି ସମୀର ମହାନ୍ତି ଆଜି ଏକ ପ୍ରେସ୍ ଇସ୍ତାହାରରେ ଏହା ଜଣାଇଛନ୍ତି ।