ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଆଉ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ମଧୁବାବୁ ପେନସନ ଯୋଜନାରେ ମିଳୁଥିବା ବାର୍ଦ୍ଧକ୍ୟ ଭତ୍ତାକୁ ସେ ୨୦୦ ଟଙ୍କା ବୃଦ୍ଧି କରିଛନ୍ତି । ମାସକୁ ୩୦୦ ଟଙ୍କା ଭତ୍ତା ପାଉଥିବା ଲୋକ ଏଣିକି ୫୦୦ ଟଙ୍କା ପାଇବେ । ସେହିଭଳି ୫୦୦ ଟଙ୍କା ପାଉଥିବା ଲୋକ ମାସକୁ ପାଇବେ ୭୦୦ ଟଙ୍କା । ୨୦୧୯ ଫେବୃଆରୀ ୧୫ ତାରିଖରୁ ବର୍ଦ୍ଧିତ ଭତ୍ତା ମିଳିବ । ଏଥିଯୋଗୁଁ ରାଜ୍ୟର ୪୮ ଲକ୍ଷ ଗରିବ ବୁଢ଼ାବୁଢ଼ୀ, ଭିନ୍ନକ୍ଷମ, ବିଧବା ଓ ଅସହାୟ ମହିଳା ଉପକୃତ ହେବେ ।
ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ଅବସରରେ ଆଜି ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି । ‘ସାମାଜିକ ସୁରକ୍ଷା ଉପରେ ମୁଁ ସବୁବେଳେ ଗୁରୁତ୍ୱ ଦେଇ ଆସିଛି । ସମାଜର ଗରିବ ଲୋକଙ୍କ କଲ୍ୟାଣ କଥା ମୁଁ ସବୁବେଳେ ଚିନ୍ତା କରିଛି । ମୁଁ ଚାହେଁ, ରାଜ୍ୟର ସବୁ ଯୋଗ୍ୟ ହିତାଧିକାରୀ ସାମାଜି ସୁରକ୍ଷା ପାଆନ୍ତୁ । ଗରିବ ଲୋକଙ୍କ କଲ୍ୟାଣ ମୋତେ ସବୁଠାରୁ ଅଧିକ ସନ୍ତୋଷ ଦେଇଥାଏ । ଆପଣମାନେ ଭଲରେ ରହିଲେ, ତାହା ମୋର ସବୁଠାରୁ ବଡ଼ ଖୁସି’ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ସୂଚନାଯୋଗ୍ୟ, ନିକଟରେ ରାଜ୍ୟ ସରକାର ମଧୁବାବୁ ପେନସନ୍ ଯୋଜନାରେ ଅଧିକ ୫ ଲକ୍ଷ ଲୋକଙ୍କୁ ସାମିଲ କରିଥିଲେ । ୬୦ ବର୍ଷରୁ ଅଧିକ ଲୋକଙ୍କୁ ବର୍ତ୍ତମାନ ୩୦୦ ଟଙ୍କା ଭତ୍ତା ମିଳୁଥିବା ବେଳେ ୮୦ ବର୍ଷରୁ ଅଧିକ ବୟସ ଲୋକଙ୍କୁ ୫୦୦ ଟଙ୍କା ମିଳୁଛି ।