ଭୁୁବନେଶ୍ୱର: କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ଓ ତାଙ୍କ ଅନୁଗତ କୁହାଯାଉଥିବା ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆଙ୍କ ଉପରେ ଦଳୀୟ କାର୍ଯ୍ୟାନୁଷ୍ଠାନ ହୋଇଛି । ଆଜି ଏ ଦୁହିଁଙ୍କୁ କଂଗ୍ରେସର ପ୍ରାଥମିକ ସଭ୍ୟ ପଦରୁ ବହିଷ୍କାର କରାଯାଇଛି । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ ଲଗାତର ଖୋଲା ମନ୍ତବ୍ୟ ଦେବା ଓ ତାଙ୍କ ନେତୃତ୍ୱକୁ ଏକପ୍ରକାର ଚାଲେଂଜ କରିବା ସେମାନଙ୍କୁ ମହଙ୍ଗା ପଡ଼ିଛି । ପିସିସି ଶୃଙ୍ଖଳା କମିଟି ସୁପାରିଶ ଆଧାରରେ ଦଳର ହାଇକମାଣ୍ଡ ଆଜି ରାତିରେ ଶ୍ରୀକାନ୍ତ ଓ କୃଷ୍ଣଙ୍କ ଉପରେ ଦଳୀୟ ଛାଟ ଲଗାଇଛନ୍ତି । ପ୍ରଥମେ ବିଧାୟକ ନବ ଦାସ, ପରଦିନ ଯୋଗେଶ ସିଂ ଏବଂ ତା ପରଦିନ ଶ୍ରୀକାନ୍ତ ଓ କୃଷ୍ଣଙ୍କ ଉପରେ ଦଳୀୟ କାର୍ଯ୍ୟାନୁଷ୍ଠାନ କଂଗ୍ରେସ ମହଲରେ ଚହଳ ପକାଇ ଦେଇଛି । ବିଶୃଙ୍ଖଳିତ ନେତାଙ୍କୁ ଆଉ ସମ୍ଭାଳିବା ସ୍ଥିତିରେ କଂଗ୍ରେସ ନାହିଁ ତାହା ହାଇକମାଣ୍ଡଙ୍କ କଠୋର ଆଭିମୁଖ୍ୟ ସୂଚେଇ ଦେଇଛି । ଆସନ୍ତା ୨୫ ତାରିଖରେ ରାହୁଲ ଗାନ୍ଧୀଙ୍କ ଓଡ଼ିଶା ଗସ୍ତ ପୂର୍ବରୁ ଏଭଳି କଠୋର କାର୍ଯ୍ୟାନୁଷ୍ଠାନ ଦଳରେ ତୀବ୍ର ଆଲୋଡ଼ନ ସୃଷ୍ଟି କରିଛି ।






