ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିତ୍ୱ ଓ ନେତୃତ୍ୱ ରାଜନୀତି ବାଦ ବିବାଦର ବହୁ ଉପରେ । ୭୨ ବର୍ଷ ପଦାର୍ପଣରେ ବି ତାଙ୍କର ଏହି ଅମାପ ବ୍ୟକ୍ତିତ୍ୱ ଓ ନେତୃତ୍ୱ ଥକିଯାଇନି । ଏହି ମହାନାୟକଙ୍କ ଶୁଭ ଜନ୍ମଦିନ ଅବସରରେ ‘ମିଡ଼-ଡ଼େ ଓଡ଼ିଶା’ ପରିବାର ପକ୍ଷରୁ ତାଙ୍କୁ ଅନେକ ଅନେକ ଶୁଭେଚ୍ଛା । ମହାପ୍ରଭୁ ଜଗନ୍ନାଥଙ୍କ ଅଶେଷ କୃପା ସହ ତାଙ୍କର ଦୀର୍ଘ, ସୁସ୍ଥ ଓ ନିରାମୟ ଜୀବନ କାମନା କରୁଛୁ ।
କଟକ ସହରରେ ଜନ୍ମିତ ପପୁ କଟକରେ ହିଁ ପାଠପଢ଼ା ଆରମ୍ଭ କରିଥିଲେ । କିଛି ଦିନ ସେଣ୍ଟ ଯୋଜେଫ୍ କନଭେଣ୍ଟ ସ୍କୁଲରେ ପାଠ ପଢ଼ିଲା ପରେ ଚାଲିଗଲେ ଡୁନ୍ ସ୍କୁଲ । କଳାରେ ଗ୍ରାଜୁଏସନ୍ କଲେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ । ବିଜୁ-ଜ୍ଞାନ ପଟ୍ଟନାୟକଙ୍କର ଏହି ତୃତୀୟ ଗେହ୍ଲାସନ୍ତାନ ପରବର୍ତ୍ତୀ ସମୟରେ ଜୀବନକୁ ଭିନ୍ନ ଢ଼ଙ୍ଗରେ ବିତାଇଲେ । ବାପାଙ୍କ ଉଚ୍ଚା ବ୍ୟକ୍ତିତ୍ୱର ଗର୍ବ କିମ୍ବା ରାଜନୀତିର ଛାଇ ପଡ଼ି ନ ଥିଲା ତାଙ୍କଠାରେ । ଅତ୍ୟନ୍ତ ଭଦ୍ର ଓ ସ୍ୱଳ୍ପ ମିଷ୍ଟଭାଷୀ ଯୁବକ ପପୁ ଓରଫ୍ ନବୀନ ଦିଲ୍ଲୀର ଗୋଡ଼ିମାଟି ସହ ପରିଚିତ ଥିଲେ । ପ୍ରାଚୁର୍ଯ୍ୟର ମୋହ ନ ଥିଲେ ମଧ୍ୟ ଆପେ ଆପେ ପ୍ରାଚୁର୍ଯ୍ୟ ତାଙ୍କୁ ଭିଡ଼ି ଧରିଥିଲା । ଦିଲ୍ଲୀର ଭିଭିଆଇ ସର୍କଲ ଓ ହାଇ-ଏଣ୍ଡ ପାର୍ଟିର ସେ ଥିଲେ ଆଗଧାଡ଼ିର ଅତିଥି । ଦିଲ୍ଲୀରେ ଏକ ବୁଟିକ୍ ଖୋଲି କିଛି ସମୟ ପାଇଁ ନିଜକୁ ବ୍ୟବସାୟରେ ସଂପୃକ୍ତ କରାଇଥିଲେ ସେ । ଅବସର ସମୟକୁ କେବେ ଲଣ୍ଡନ୍ ଷ୍ଟ୍ରିଟ୍ ରେ ଆଉ କେବେ ନିୟୂର୍କ କି ୱାଶିଂଟନ୍ ସହରରେ କାଟୁଥିଲେ । ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜନ.ଏଫ.କେନେଡିଙ୍କ ପତ୍ନୀ ଜାକଲିନ୍ ଥିଲେ ତାଙ୍କର ଘନିଷ୍ଠ ବାନ୍ଧବୀ । ଆମେରିକାରେ ହେଉ କି ଦିଲ୍ଲୀରେ ହେଉ କେହି କାହାରି ଆତିଥ୍ୟେୟତାର ଆମନ୍ତ୍ରଣ ଭାଙ୍ଗି ପାରୁ ନ ଥିଲେ ସେ । ଇଂରାଜୀ, ଫ୍ରେଚଂ ଓ ହିନ୍ଦୀ ଭାଷାରେ ପୋଖତ୍ ନବୀନ ଖାଲି ଯେ ମଉଜମସ୍ତି କରି ସମୟ କାଟୁଥିଲେ ତାହା ନୁହେଁ । ପ୍ରକୃତିର ସେ ଥିଲେ ଜଣେ ନୀରବ ସାଧକ । ପ୍ରକୃତି ଓ ସଂସ୍କୃତିକୁ ଅତ୍ୟନ୍ତ ଭଲ ପାଉଥିଲେ ସେ । ଆଉ ଏହି ପ୍ରକୃତିପ୍ରେମୀ ତାଙ୍କୁ ଜଣେ ପ୍ରସିଦ୍ଧ ଲେଖକର ସ୍ୱୀକୃତି ଆଣିଦେଇଥିଲା । ଏ ସେକେଣ୍ଡ ପାରାଡାଇଜ୍, ଏ ଡିଜର୍ଟ କିଙ୍ଗଡମ୍ ଏବଂ ଦ ଗାର୍ଡେନ୍ ଅଫ ଲାଇଫ ଭଳି ତିନିଟି ପ୍ରସିଦ୍ଧ ପୁସ୍ତକ ରଚନା ତାଙ୍କର ଅନବିଦ୍ୟ ସୃଷ୍ଟି । ଆନ୍ତର୍ଜାତୀୟସ୍ତରରେ ଏହି ତିନିଟି ଯାକ ପୁସ୍ତକ ବେଶ୍ ଆଦୃତ ଲାଭ କରିଛି ।
୧୯୪୬ ଅକ୍ଟୋବର ୧୬ ଆଜିର ଦିନରେ ଭୂମିଷ୍ଟ ଏହି ପପୁ ହେଉଛନ୍ତି ଆମର ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜନୀତିରେ ତାଙ୍କର ପ୍ରବେଶ ଖାଲି ଅଚାନକ ନୁହେଁ ଆଶ୍ଚର୍ଯ୍ୟଜନକ ମଧ୍ୟ । ଶାନ୍ତ, ସରଳ, ସ୍ୱଳ୍ପଭାଷୀ ତଥା ରାଜନୀତିର ର’ ଅକ୍ଷର ବିବର୍ଜିତ ନବୀନ ତାଙ୍କ ପିତା ମହାନ୍ ଜନନାୟକ ପୂଜ୍ୟ ବିଜୁ ପଟ୍ଟନାୟକଙ୍କର ନିଧନ ପରେ ଓଡ଼ିଶା ଆସିଲେ । ପୂର୍ବରୁ କାଁ ଭାଁ ଓଡ଼ିଶା ଆସୁଥିବା ନବୀନଙ୍କ ଓଡ଼ିଶା ରାଜନୀତିରେ ପ୍ରବେଶ ବେଶ୍ କୌତୁହଳ। ବିଜୁବାବୁଙ୍କ ନିଧନ ପରେ ତାଙ୍କ ଖାଲିସ୍ଥାନ ପୂରଣ ପାଇଁ ବଡ଼ପୁଅ ପ୍ରେମ ପଟ୍ଟନାୟକଙ୍କ ଉପରେ ସମସ୍ତଙ୍କ ନଜର ଥିଲା । ଦିଲ୍ଲୀରେ ପ୍ରତିଷ୍ଠିତ ବ୍ୟବସାୟୀ ପ୍ରେମ କିନ୍ତୁ ରାଜନୀତି ଅଫର୍ କୁ ମନା କରିଦେଇଥିଲେ । ପରେ ଭଉଣୀ ଗୀତା ମେହେଟ୍ଟାଙ୍କୁ ରାଜନୀତିକୁ ଆଣିବାକୁ ଦଳର ବରିଷ୍ଠ ନେତାମାନେ ଉଦ୍ୟମ କରିଥିଲେ । ମାତ୍ର ଗୀତା ବି ରାଜି ହୋଇ ନ ଥିଲେ । ବିଜୁଙ୍କ ପରିବାରର ଶେଷ ପସନ୍ଦ ଥିଲେ ନବୀନ । ରାଜନୀତି ପ୍ରତି ଆଦୌ ରୁଚି ନ ଥିବା ନବୀନ ପ୍ରଥମରୁ ଅମଙ୍ଗ ହେଉଥିଲେ ମଧ୍ୟ ସମୟଚକ୍ରରେ ପଡ଼ି ବାପାଙ୍କ ସ୍ୱପ୍ନର ଡୋରିକୁ ଧରିବାକୁ ବାଧ୍ୟହେଲେ । ୧୯୯୬ ମସିହାରେ ବାପାଙ୍କ ମୃତ୍ୟୁ ପରେ ସିଧାସଳଖ ଦଳର ମଙ୍ଗ ଧରିଲେ ସେ । ଖାଲି ହୋଇଥିବା ଆସ୍କା ଲୋକସଭା ଆସନରୁ ଲଢ଼ି ବନିଗଲେ ଏମପି । ୧୯୯୭ ମସିହା ଡିସେମ୍ବର ୨୬ ତାରିଖରେ ଗଠିତ ଆଞ୍ଚଳିକ ଦଳ ବିଜୁ ଜନତା ଦଳର ନେତୃତ୍ୱ ଭାର ପଡ଼ିଲା ତାଙ୍କ ଉପରେ । ଦଳର ଦାୟିତ୍ୱ ସହ ୧୯୯୮ ମସିହାରେ ଅଟଳ ବିହାରୀ ବାଜପେୟୀଙ୍କ ମେଣ୍ଟ ସରକାରରେ ତାଙ୍କୁ ମିଳିଲା ଗୁରୁତ୍ୱପୂର୍ଣ୍ଣ ଇସ୍ପାତ ଓ ଖଣି ବିଭାଗର କ୍ୟାବିନେଟ୍ ମନ୍ତ୍ରୀ । ପ୍ରାୟ ଦୁଇବର୍ଷ ଧରି କେନ୍ଦ୍ରମନ୍ତ୍ରୀ ରହିଲା ପରେ ୨୦୦୦ ମସିହାରେ ରାଜ୍ୟର ମୁଖ୍ୟମନ୍ତ୍ରୀ ବନିଗଲେ ନବୀନ । ଲୋକଙ୍କ ପ୍ରବଳ ଶ୍ରଦ୍ଧା ଓ ସମର୍ଥନ ନବୀନଙ୍କୁ ମୁଖ୍ୟମନ୍ତ୍ରୀ ଗାଦିରେ ବସାଇଲା ।
ଇତିମଧ୍ୟରେ ୧୭ ବର୍ଷ ହୋଇଗଲା । ନବୀନ ଆଗକୁ ବଢ଼ୁଛନ୍ତି ସିନା କେବେ ପଛକୁ ଫେରିନାହାନ୍ତି । ଚାରିଟି ଯାକ ସାଧାରଣ ନିର୍ବାଚନରେ ଜନସାଧାରଣଙ୍କ ଅକୁଣ୍ଠ ସମର୍ଥନ ତାଙ୍କୁ ଶୀର୍ଷରେ ବସାଇଛି । ଭାରତ ରାଜନୀତି ଇତିହାସରେ ଜ୍ୟୋତି ବସୁଙ୍କ ପରେ ନବୀନଙ୍କୁ ଏକାଦିକ୍ରମେ ଦୀର୍ଘତମ ମୁଖ୍ୟମନ୍ତ୍ରୀର ମର୍ଯ୍ୟାଦା ମିଳିଛି । ନବୀନଙ୍କ ନେତୃତ୍ୱ ଓ ବ୍ୟକ୍ତିତ୍ୱର ମହକ ଖାଲି ଓଡ଼ିଶା ନୁହେଁ ସମଗ୍ର ଦେଶବାସୀଙ୍କୁ ଚହଟାଉଛି । ୨୦୧୩ ମସିହାର ପ୍ରଳୟଙ୍କରୀ ଫାଇଲିନ୍ ବାତ୍ୟା ବେଳେ ପ୍ରାକୃତିକ ଦୁର୍ବିପାକ ଏଡାଇବାକୁ ତାଙ୍କର ନିଷ୍ଠାପର ଉଦ୍ୟମକୁ ଜାତିସଂଘ ପ୍ରଶଂସାରେ ପୋତି ପକାଇଥିଲା । ୧୦ ଲକ୍ଷ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରି ଜାତିସଂଘର ଭୂୟସୀ ପ୍ରଶଂସା ଗୋଟାଇଥିଲେ ନବୀନ । ପ୍ରସିଦ୍ଧ ‘ଇଣ୍ଡିଆ ଟୁଡେ’ ମାଗାଜିନ୍ ର ଜାତୀୟ ସର୍ଭେରେ ନବୀନ ଦେଶର ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ ସ୍ଥାନିତ ହୋଇଥିଲେ । ସେହିଭଳି ଏନଡିଭି ଓପନିଅନ୍ ପୋଲ୍ ରେ ଦକ୍ଷ ମୁଖ୍ୟମନ୍ତ୍ରୀ ଭାବେ ଦେଶରେ ତାଙ୍କ ସ୍ଥାନ ଥିଲା ଦ୍ୱିତୀୟ । ନିକଟରେ ‘ଆଉଟଲୁକ୍’ ପତ୍ରିକା ତାଙ୍କୁ ଦେଶର ଶ୍ରେଷ୍ଠ ପ୍ରଶାସକ ମାନ୍ୟତା ଦେଇଛି । ରାଜନୈତିକ ପଣ୍ଡିତମାନଙ୍କ ପାଇଁ ନବୀନଙ୍କ ଆକର୍ଷଣ ଏବେ ଗବେଷଣାର ବିଷୟ ପାଲଟିଯାଇଛି । ଓଡ଼ିଶାବାସୀଙ୍କ ହୃଦୟରେ ସେ ବସାବାନ୍ଧି ସାରିଛନ୍ତି । ‘କଥା କମ୍ କାମ ବହୁତ’ ରେ ବିଶ୍ୱାସ କରୁଥିବା ନବୀନଙ୍କ ସହ ଜନସାଧାରଣ ଏଭଳି ଯୋଡି ହୋଇଛନ୍ତି ଯାହାକି ଭାରତବର୍ଷରେ ଅନନ୍ୟ ଭାବେ ବିବେଚନା କରାଯାଉଛି । ରାଜ୍ୟରେ ସେ ହୋଇଛନ୍ତି ଅପ୍ରତିଦ୍ୱନ୍ଦୀ ।
ନବୀନଙ୍କ ଏହି ଅକଳନୀୟ ଲୋକପ୍ରିୟତା ପଛରେ ରହିଛି ତାଙ୍କର ବ୍ୟକ୍ତିତ୍ୱ ଓ ନେତୃତ୍ୱର ପରାକାଷ୍ଠା । ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରଠୁଁ ଆଜିପର୍ଯ୍ୟନ୍ତ ତାଙ୍କ ସ୍ୱଚ୍ଛତା ଓ ଭାବମୂର୍ତ୍ତି ଉପରେ କଳଙ୍କ ଲାଗିପାରିନି । ଅତୀତର ପୃଷ୍ଠା ଖୋଲିଲେ ଦଳରେ ଅନ୍ତରଙ୍ଗ, ସହଯୋଗୀ ମନ୍ତ୍ରୀ, ବିଧାୟକ, ନେତା ଯିଏ ହୋଇଥାଆନ୍ତୁ ନା କାହିଁକି ଦୁର୍ନୀତିର ସାମାନ୍ୟ ଗନ୍ଧ ଲାଗିଥିବା କାହାରିକୁ ଛାଡ଼ିନାହାନ୍ତି ନବୀନ । ଦୁର୍ନୀତିର ଦାଗ ଥିବା ବ୍ୟକ୍ତିଙ୍କୁ କଠୋର ଶାସ୍ତି ଦେଇଛନ୍ତି । ଖାଲି ରାଜନେତା ନୁହଁନ୍ତି, ଦୁର୍ନୀତିଗ୍ରସ୍ତ ଦାଗୀ ଅଫିସରଙ୍କୁ ଛାଡ଼ିନାହାନ୍ତି ନବୀନ । ପ୍ରଭାବଶାଳୀ ଅଫିସରଙ୍କ ସମ୍ପତ୍ତି ବ୍ୟାଜ୍ୟାପ୍ତି କରିବାକୁ ପଛଘୁଞ୍ଚା ଦେଇନାହାନ୍ତି । ସମୟ ଓ ରାଜନୀତିର କାଳଚକ୍ରରେ ନବୀନଙ୍କର କାର୍ଯ୍ୟଶୈଳୀରେ ପରିବର୍ତ୍ତନ ଆସିଥିଲେ ମଧ୍ୟ ତାଙ୍କର ନେତୃତ୍ୱ ଉପରେ ଫରକ୍ ପଡ଼ିନି । ହଁ, ବିଭିନ୍ନ କ୍ଷେତ୍ରରେ ସରକାରଙ୍କ ଉପରେ ଦୁର୍ନୀତିର ଛିଟା ଲାଗିଛି । ମାତ୍ର ନବୀନଙ୍କ ଲୋକପ୍ରିୟତାକୁ ଏହା କମାଇ ପାରିନି । ବରଂ ତାଙ୍କର ନିରନ୍ତର ଆଭିମୁଖ୍ୟ ସରକାରୀ କାର୍ଯ୍ୟକ୍ରମକୁ ଆହୁରି ଶାଣିତ କରୁଥିବା ଦେଖାଯାଏ । ଏଭଳି ନେତୃତ୍ୱ ଓ ବ୍ୟକ୍ତିତ୍ୱ ଜନମାନସଙ୍କ ହୃଦୟକୁ ଆଜି ବାନ୍ଧି ରଖିସାରିଛି । ଖାଲି ଓଡ଼ିଶା କାହିଁକି ସମଗ୍ର ଦେଶରେ ନବୀନଙ୍କ ନେତୃତ୍ୱ ପ୍ରତିଷ୍ଠିତ ହୋଇପାରିଛି । ଜାତୀୟ ରାଜନୀତିରେ ନବୀନ ଆଜି ଜଣେ ଚର୍ଚ୍ଚିତ ରାଜନେତା ।
ନବୀନ କେବଳ ବ୍ୟକ୍ତିତ୍ୱ ଓ ନେତୃତ୍ୱରେ ସଫଳ ନୁହଁନ୍ତି, ଜଣେ ଦୃଢ଼ ପ୍ରଶାସକ ଭାବେ ନିଜକୁ ପ୍ରତିଷ୍ଠିତ କରିପାରିଛନ୍ତି । ନବୀନଙ୍କର ନିର୍ମଳ ଓ ସ୍ୱଚ୍ଛ ଭାବମୂର୍ତ୍ତି ଜନସାଧାରଣଙ୍କ ହୃଦୟ ଛୁଇଁଥିବା ବେଳେ ବିରୋଧୀଙ୍କ ପାଇଁ ଇର୍ଷାର କାରଣ ହୋଇଛି । ତେବେ ରାଜନୈତିକ ବାଛବିଚାରରେ ନବୀନଙ୍କୁ ସମାଲୋଚନା କରୁଥିବା କଠୋର ବିରୋଧୀମାନେ ମଧ୍ୟ ତାଙ୍କର ବ୍ୟକ୍ତିତ୍ୱ ଓ ସଫଳ ନେତୃତ୍ୱକୁ ସ୍ୱୀକାର କରୁଛନ୍ତି । ନବୀନଙ୍କ ସଫା ଭାବମୂର୍ତ୍ତିରେ କଳା ଲଗାଇବାକୁ ଚେଷ୍ଟା କରି ମଧ୍ୟ ବିଫଳ ହୋଇଛନ୍ତି । ଲୋକଙ୍କ ଆଦର, ଭଲ ପାଇବା ନବୀନଙ୍କ ବ୍ୟକ୍ତିତ୍ୱର ବିଶେଷତ୍ୱ । ଏହା ହିଁ ବିଜୁ ଜନତା ଦଳର ଯାତ୍ରାପଥକୁ ଆଜି ପର୍ଯ୍ୟନ୍ତ ସୁଗମ କରିଛି ।
ନବୀନଙ୍କ ପ୍ରତି ଲୋକଙ୍କ ଭାବନାର ଆଉ ଏକ କୌତୁହଳ ଦିଗ ରହିଛି । ନବୀନ ବ୍ୟାଚଲର୍ । ପରିବାର ବୋଲେ ଏଠି କେହି ନାହାନ୍ତି । ବଡ଼ ଭାଇ ସପରିବାରେ ଦିଲ୍ଲୀରେ ରହୁଥିଲା ବେଳେ ଭଉଣୀ ଗୀତା ନିଜ ପରିବାର ସହ ଆମେରିକାରେ ରହନ୍ତି । ବ୍ୟାଚଲର୍ ନବୀନ ନବୀନ ନିବାସରେ ଏକା ଏକା ଜୀବନ ବିତାଇବା ଲୋକଙ୍କ ସହାନୁଭୂତି ସାଉଁଟିଛି । ପରିବାର ନ ଥିବା ନବୀନଙ୍କର ଅର୍ଥର ଅଭାବ କିମ୍ବା ଆବଶ୍ୟକତା ନ ଥିବାରୁ ଜନସାଧାରଣ ତାଙ୍କର ସ୍ୱଚ୍ଛତା ପ୍ରତି ସନ୍ଦେହର ଅବକାଶ ରଖିନାହାନ୍ତି । ଏହା ବି ନବୀନଙ୍କ ବ୍ୟକ୍ତିତ୍ୱର ଆଉ ଏକ ଆକର୍ଷଣ ଭାବେ ଲୋକଙ୍କ ହୃଦୟ ଜୟ କରିପାରିଛି ।
ଅନେକଙ୍କ ମନରେ ପ୍ରଶ୍ନ ଆସେ ନବୀନ ଏକା ଏକା ନବୀନ ନିବାସରେ କିଭଳି ସମୟ କାଟନ୍ତି ? ଅନେକ ଶୁଣିଲେ ଆଶ୍ଚର୍ଯ୍ୟ ହେବେ, ସ୍ୱଳ୍ପ ଓ ମିଷ୍ଟଭାଷୀ ନବୀନ ଖୁବ୍ ପରିଶ୍ରମୀ । ମାପିଚୁପି କଥା କହୁଥିବା ନବୀନ ଉଭୟ ସରକାର ଓ ଦଳୀୟ ବ୍ୟାପାରରେ ନିଜକୁ ସଦାସର୍ବଦା ବୁଡ଼ାଇ ରଖନ୍ତି । ଦଳର ସବୁବର୍ଗର ନେତା ଓ ସହକର୍ମୀଙ୍କ ପରାମର୍ଶ ନିଅନ୍ତି । କେଉଁଟା ଭଲମନ୍ଦ ନିଜେ ତାହାର ବିଚାର କରି ଚୂଡ଼ାନ୍ତ ନିଷ୍ପତ୍ତି ନିଅନ୍ତି । ସାମାନ୍ୟ ଅବସର ପାଇଲେ ନିଜ ହାତରେ ଗଢ଼ିଥିବା ସଚିବାଳୟ ଏବଂ ନବୀନ ନିବାସ ଗାର୍ଡେନ୍ କୁ ନିରୀକ୍ଷଣ କରନ୍ତି । ଅନେକ ହୁଏତ ଜାଣି ନ ଥିବେ ରାଜ୍ୟ ସଚିବାଳୟରେ ଏତେ ସୁନ୍ଦର ଗାର୍ଡେନ୍ ପଛରେ ରହିଛି ନବୀନଙ୍କର ପରିକଳ୍ପନା । ଆଉ ନବୀନ ନିବାସର ପ୍ରତିଟି ଗଛପତ୍ରରେ ରହିଛି ତାଙ୍କର ସ୍ପର୍ଶ । ପ୍ରକୃତିର ଏହି ସୌନ୍ଦର୍ଯ୍ୟକୁ ମନଭରି ଉପଭୋଗ କରନ୍ତି ନବୀନ । ସେତେବେଳେ ନିଜକୁ ଭାବୁକ ପାଲଟେଇ ଦିଅନ୍ତି । ବୋଧହୁଏ ଅବଶୋଷ ରହିଯାଏ ..ସୃଷ୍ଟିକୁ ଦେଖନ୍ତି ହେଲେ ସ୍ରଷ୍ଟାର ଲେଖନୀ ଧରିପାରନ୍ତିନି । ପ୍ରକୃତିର ଉପାସକରୁ ତାଙ୍କ ଭିତରେ ରହିଥିବା ଆବେଗକୁ ନିଜ କଲମ ମୁନରେ ପରିପ୍ରକାଶ କରିବାର ସମୟ ଜୁଟେନି । ଅତି ପାଖରୁ ଦେଖୁଥିବା ବ୍ୟକ୍ତି ନବୀନଙ୍କର ଭାବାବେଗକୁ ନିଶ୍ଚିତ ବୁଝିପାରିଥିବେ ।
ନିଜର ସ୍ୱଭାବ ସୁଲଭ ଗୁଣରେ ନବୀନ କାହାରି ସାଙ୍ଗରେ ବେଶୀ କଥା ହେଉ ନ ଥିଲେ ମଧ୍ୟ ତାଙ୍କ ପାଖରେ ରହିଛି ବିରାଟ୍ ସେନସ୍ ଅଫ ହ୍ୟୁମର୍ । ଯେତିକି ବନ୍ଧୁବତ୍ସଳ ସେତିକି ହୃଦୟବାନ । ଉପରକୁ ତାଙ୍କ ହୃଦୟ କଠୋର ଦିଶୁଥିଲେ ମଧ୍ୟ ଭିତରଟି ଗୋଲାପ ଫୁଲ ପରି କୋମଳ । ପଦିଏ କଥାରେ ଅନ୍ୟକୁ ହସାଇ ବେଦମ୍ କରିବାର କ୍ଷମତା ରଖିଛନ୍ତି ସେ । ବିଦେଶରେ ରହୁଥିବା ଭଉଣୀ ଗୀତା ମେହେଟ୍ଟା ତାଙ୍କର ସବୁଠାରୁ ପ୍ରିୟ ମଣିଷ । ଭଉଣୀଙ୍କ ସହ ସମୟ କାଟିବାକୁ ସେ ଖୁବ୍ ପସନ୍ଦ କରନ୍ତି । ଭଉଣୀଙ୍କ ସାମନାରେ ପାଲଟି ଯାଆନ୍ତି ଆଦରର ପପୁ । ଆଜିକାଲି ନବୀନଙ୍କ ନିଃସଙ୍ଗତାର ସାଥୀ ପାଲଟିଛନ୍ତି ତାଙ୍କର ପ୍ରିୟ ବ୍ରୁନ୍ ଓ ରକ୍ସି । କାର୍ଯ୍ୟବ୍ୟସ୍ତତା ସତ୍ୱେ ଦୁହିଁଙ୍କୁ ସମୟ ଦେବାକୁ ଭୁଲନ୍ତି ନାହିଁ । ନବୀନଙ୍କର ବିଶାଳ ବ୍ୟକ୍ତିତ୍ୱ ଆଜି ସାରା ଭାରତରେ ତାଙ୍କୁ ରୋଲ୍ ମଡ଼େଲ କରିପାରିଛି ।