ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିତ୍ୱ ଓ ନେତୃତ୍ୱ ରାଜନୀତି ବାଦ ବିବାଦର ବହୁ ଉପରେ । ୭୩ ବର୍ଷ ପଦାର୍ପଣରେ ବି ତାଙ୍କର ସେହି ବିଶାଳ ବ୍ୟକ୍ତିତ୍ୱ ଓ ନେତୃତ୍ୱ ଥକି ଯାଇନି । ଏହି ମହାନାୟକଙ୍କ ଶୁଭ ଜନ୍ମଦିନ ଅବସରରେ ‘ମିଡ଼ ଡ଼େ ଓଡ଼ିଶା’ ପରିବାର ପକ୍ଷରୁ ତାଙ୍କୁ ଅନେକ ଅନେକ ଶୁଭେଚ୍ଛା । ମହାପ୍ରଭୁଙ୍କ ଅଶେଷ କୃପା ତାଙ୍କ ଉପରେ ସେମିତି ରହିଥାଉ । ତାଙ୍କର ସୁଦୀର୍ଘ, ସୁସ୍ଥ ଓ ନିରାମୟ ଜୀବନ କାମନା କରୁଛୁ ।
“ନବୀନ ପଟ୍ଟନାୟକ । ଦୀର୍ଘ ଦୁଇ ଦଶନ୍ଧୀ ଧରି ଓଡ଼ିଶାବାସୀଙ୍କ ହୃଦୟରେ ରାଜ୍ କରୁଥିବା ମଣିଷଟି । ଖୁବ ନିବିଡ଼ ଭାବରେ ଲୋକେ ତାଙ୍କୁ ଭଲ ପାଉଛନ୍ତି । ଶ୍ରଦ୍ଧା କରୁଛନ୍ତି । ତାଙ୍କ ବ୍ୟକ୍ତିତ୍ୱର ଆକର୍ଷଣ ଏତେ ପ୍ରଖର ଯେ ସେଠି ରାଜନୈତିକ ବାଛବିଚାର କାମ କରୁନାହିଁ । ତାଙ୍କ ବ୍ୟକ୍ତିତ୍ୱରେ କୌଣସି ଯାଦୁ ଭରି ରହିଥିବା ଅନେକଙ୍କ ବିଶ୍ୱାସ । ଏହା ନିଚ୍ଛକ ସତ ଯେ ସମସାମୟିକ ଓଡ଼ିଶା ରାଜନୀତିରେ ତାଙ୍କ ଭଳି ଉଚ୍ଚ ବ୍ୟକ୍ତିତ୍ୱସମ୍ପନ୍ନ ରାଜନେତା ଏଯାଏଁ ଦେଖାନାହାନ୍ତି । ବାପା ବିଜୁ ପଟ୍ଟନାୟକଙ୍କ ପରେ ସେ ହିଁ ଓଡ଼ିଶାର ସବୁଠାରୁ ଲୋକପ୍ରିୟ ନେତା ଭାବେ ଆଦୃତ ହୋଇସାରିଛନ୍ତି ।
୫୦ ବର୍ଷ ଅତିକ୍ରାନ୍ତେ ରାଜନୀତିର ଧାର ଧରି ନ ଥିବା ବିଜୁବାବୁଙ୍କର ଏହି ପୁଅ ଯେ ରାଜନୈତିକ ସଫଳତାରେ ବାପାଙ୍କୁ ଟପିଯିବେ ତାହା ଅନେକଙ୍କୁ ଏବେ ବି ଆଶ୍ଚର୍ଯ୍ୟ କରେ । ରାଜନୀତିରେ ପାଦ ଥାପିଲା ଦିନୁ ସଫଳତାର ସିଢ଼ି ଚଢ଼ୁଥିବା ନବୀନଙ୍କୁ ବିଫଳତା ସ୍ପର୍ଶ କରିପାରିନି । ରାଜନୀତିରେ ପରାଜୟ କ’ଣ ଜାଣିନାହାନ୍ତି । ଲଗାତର ଚାରି ଥର ଧରିଲେଣି ଓଡ଼ିଶାର ଶାସନଡୋରି । ୧୮ ବର୍ଷ ଧରି ମୁଖ୍ୟମନ୍ତ୍ରୀ ରହିଲା ପରେ ବି ତାଙ୍କର ଲୋକପ୍ରିୟତା ଅତୁଟ ରହିବା ଦେଶର ରାଜନୈତିକ ପଣ୍ଡିତଙ୍କୁ ବି ବିସ୍ମିତ କଲାଣି । ଆଗକୁ ସାଧାରଣ ନିର୍ବାଚନ ଥିବା ବେଳେ କିଛି ଜାତୀୟ ସଂସ୍ଥା ସେମାନଙ୍କ ସର୍ଭେ ରିପୋର୍ଟରେ ନବୀନଙ୍କୁ ପୁଣି ଲୋକପ୍ରିୟତାର ଶୀର୍ଷରେ ରଖିଛନ୍ତି । ଖାଲି ନିଜ ରାଜ୍ୟରେ ନୁହଁନ୍ତି, ନିକଟରେ ଇଣ୍ଡିଆ ଟୁଡେ ସର୍ଭେରେ ସେ ଦେଶରେ ୧ ନଂ ସ୍ଥାନରେ ଅଛନ୍ତି । ଓଡ଼ିଶାର ୫୯ ପ୍ରତିଶତ ଲୋକ ନବୀନ ପୁନର୍ବାର ମୁଖ୍ୟମନ୍ତ୍ରୀ ହୁଅନ୍ତୁ ବୋଲି ଚାହୁଁଛନ୍ତି ।
ଲୋକପ୍ରିୟତାର ଶୀର୍ଷରେ ଥିବା ଏହି ଜନନାୟକଙ୍କ ବୟସ ବଢ଼ିବା ସହ ରାଜନୈତିକ ଘାତ ପ୍ରତିଘାତ ବି ବଢ଼ିଚାଲିଛି । ଆଗକୁ ସାଧାରଣ ନିର୍ବାଚନ ଥିବାରୁ ପଞ୍ଚମ ଥର ପାଇଁ ସେ ସିଧାସଳଖ ଜନାଦେଶକୁ ସାମନା କରିବେ । ସେଥିରେ ପୂର୍ବ ସଫଳତା ଦୋହରାଇବେ ବୋଲି ତାଙ୍କର ପ୍ରବଳ ଆତ୍ମବିଶ୍ୱାସ ବାରି ହୋଇପଡିଲାଣି । ତେବେ ତାଙ୍କର ରାଜନୈତିକ ଭବିଷ୍ୟତ ଯାହା ହେଉ ନା କାହିଁକି ନିଜର ବଳିଷ୍ଠ ବ୍ୟକ୍ତିତ୍ୱ ତାଙ୍କୁ ଜନମାନସରେ ସୁପର୍ ହୀରୋ କରିସାରିଛି । ଆଗକୁ ତାଙ୍କର ଚଲାପଥ ଆହୁରି ସୁଗମିତ ହେଉ ଏହା ହିଁ ତାଙ୍କ ଜନ୍ମଦିନରେ ସମସ୍ତଙ୍କ କାମନା ।”