ଭୁୁବନେଶ୍ୱର: ତିତଲି ବାତ୍ୟା ଓ ବନ୍ୟାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ ମିଳିବ ୧୦ ଲକ୍ଷ ଟଙ୍କା ସହାୟତା । ପୂର୍ବରୁ ଘୋଷଣା ହୋଇଥିବା ୪ ଲକ୍ଷ ସହାୟତା ରାଶି ୧୦ ଲକ୍ଷକୁ ବୃଦ୍ଧି କରାଯାଇଛି । ଆଜି ଗଜପତି ଜିଲ୍ଲା ଗଙ୍ଗାବାଡ଼ ପଞ୍ଚାୟତର ବାରଘର ଗସ୍ତ ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଅନ୍ୟ ଘୋଷଣା ଅନୁଯାୟୀ, ମୃତକ ପରିବାରର ଅନାଥ ପିଲାଙ୍କ ଦାୟିତ୍ୱ ସରକାର ନେବେ । ଅନାଥ ପିଲାଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିବେ । ସେମାନଙ୍କୁ ପାଠ ପଢ଼ାଇବା ସହ ଆତ୍ମନିର୍ଭରଶୀଳ କରାଇବେ । ସେହିପରି ପାହାଡ଼ ଉପରେ ଥିବା ବାରଘର ଗାଁ ପାହାଡ଼ ତଳକୁ ଆସିବ । ପାହାଡ଼ ତଳେ ଗ୍ରାମବାସୀଙ୍କୁ ଜମି ଦିଆଯିବ । କିଛି ଗ୍ରାମବାସୀଙ୍କୁ ମୁଖ୍ୟମନ୍ତ୍ରୀ ତତକ୍ଷଣାତ୍ ଜମି ପଟ୍ଟା ବଣ୍ଟନ କରିଥିଲେ ।
ଅନ୍ୟପକ୍ଷରେ ତିତଲି ରାଜ୍ୟର ୫୨ ଜଣ ଲୋକଙ୍କ ପ୍ରାଣ ନେଇଥିବା ଆଜି ସରକାରୀ ଭାବେ କୁହାଯାଇଛି । ସଚିବାଳୟରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ସମୀକ୍ଷା ବୈଠକ ପରେ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ତିତଲି ଦ୍ୱାରା ଗଜପତି ଜିଲ୍ଲାରେ ସର୍ବାଧିକ ୩୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୧୦ ଜଣଙ୍କ ମୃତ୍ୟୁ ନେଇ ଯାଞ୍ଚ ଚାଲିଛି । ଗଂଜାମରେ ୧୨ ଜଣ ଓ କନ୍ଧମାଳରେ ଜଣଙ୍କର ମୃତ୍ୟୁ ହୋଇଛି । ଏଥିରେ ୨୨୦୦ କୋଟିର କ୍ଷୟକ୍ଷତି ହୋଇଥିବା ପ୍ରାଥମିକ ଆକଳନରୁ ଜଣାପଡ଼ିଥିବା ମୁଖ୍ୟ ଶାସନ ସଚିବ କହିଛନ୍ତି । ସେଥିରେ ରାସ୍ତାଘାଟ କ୍ଷୟକ୍ଷତି ପରିମାଣ ସର୍ବାଧିକ ୫୦୦ କୋଟି ଟଙ୍କା ଆକଳନ କରାଯାଇଛି ।