ଭୁବନେଶ୍ୱର: କୋଣାର୍କ,ଶ୍ରୀମନ୍ଦିର ଓ ଓଡ଼ିଶାର ସଂସ୍କୃତି,ଐତିହ୍ୟ ଉପରେ କଟୁ ଟିପ୍ପଣୀ ଦେଇ ଜେଲ୍ ଦଣ୍ଡ ଭୋଗୁଥିବା ବୈଜୟନ୍ତ ପଣ୍ଡାଙ୍କ ଅଣଓଡ଼ିଆ ବନ୍ଧୁ ଅଭିଜିତ୍ ଆୟାର ମିତ୍ରଙ୍କୁ ରାଜ୍ୟ ସରକାର କ୍ଷମା କରିଦେଇଛନ୍ତି । ପୁଲିସ ଦ୍ୱାରା ଗିରଫ ହୋଇ ଗତ ଅକ୍ଟୋବର ୨୩ ତାରିଖରୁ ଝାରପଡ଼ା ଜେଲ୍ ରେ ଅଛନ୍ତି ଅଭିଜିତ୍ । କୋର୍ଟ ତାଙ୍କର ଜାମିନ୍ ଆବେଦନ ଅଗ୍ରାହ୍ୟ କରିବାରୁ ସେ ମୁକୁଳି ପାରିନାହାନ୍ତି । ତେବେ ଜେଲ୍ ରେ ଥିବା ଅଭିଜିତ୍ ଙ୍କଠାରୁ କ୍ଷମାପ୍ରାର୍ଥନା ଆବେଦନ ପାଇଲା ପରେ ସରକାର ତାଙ୍କ ପ୍ରତି କୋହଳ ହୋଇଛନ୍ତି । ରାଜ୍ୟ ସରକାର ତାଙ୍କୁ କ୍ଷମା କରିବା ସହ ତାଙ୍କ ନାଁରେ ପ୍ରୋସିକ୍ୟୁସନ୍ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏଥିସହ ତାଙ୍କ ବିରୋଧରେ ଥିବା ମାମଲାଗୁଡ଼ିକର ପ୍ରତ୍ୟାହାର ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ନିଷ୍ପତ୍ତି ନିଆଯାଇଛି ।
ପୂର୍ବରୁ ବିଧାନସଭାର ଗୃହ କମିଟି ଆଗରେ ଅଭିଜିତ୍ ନିଜ ଭୁଲ୍ ପାଇଁ କ୍ଷମାପ୍ରାର୍ଥନା କରିବା ପରେ ଗତ ୧୬ ତାରିଖରେ ଗୃହ କମିଟି ତାଙ୍କୁ କ୍ଷମା କରିଦେଇଥିଲା । ଇତିମଧ୍ୟରେ ଜେଲ୍ ରେ ଥିବା ଅଭିଜିତ୍ ରାଜ୍ୟ ସରକାରଙ୍କୁ ଚିଠି ଲେଖି ସମାନ ଢ଼ଙ୍ଗରେ କ୍ଷମା ପ୍ରାର୍ଥନା କରିଥିଲେ । ଓଡ଼ିଶାବାସୀଙ୍କ ଭାବାବେଗକୁ ଆଘାତ ଦେଇଥିବାରୁ ସେ ନିଃସର୍ତ୍ତ କ୍ଷମାପ୍ରାର୍ଥନା କରିବା ସହ ତାଙ୍କ ବିରୋଧରେ ହୋଇଥିବା ନିର୍ଦ୍ଦିଷ୍ଟ ଅପରାଧିକ ମାମଲାର ପ୍ରୋସିକ୍ୟୁସନ୍ ଉପରେ ମଂଜୁର ନ ଦେବାକୁ ରାଜ୍ୟ ସରକାରଙ୍କୁ ନିବେଦନ କରିଥିଲେ । ଶେଷରେ ରାଜ୍ୟ ସରକାର ତାଙ୍କ ଆବେଦନକୁ ରକ୍ଷା କରିଛନ୍ତି ।
ସୂଚନାଯୋଗ୍ୟ, ଅଭିଜିତ୍ ଏବେ ଅସୁସ୍ଥ ହୋଇ କ୍ୟାପିଟାଲ୍ ହସ୍ପିଟାଲ୍ ରେ ଚିକିତ୍ସିତ ହେଉଛନ୍ତି । ତାଙ୍କର ମଳକଣ୍ଠକ ଚିକିତ୍ସା କରାଯାଉଛି ।