ଭୁବନେଶ୍ୱର: ବିଧାନସଭା ଓ ସଂସଦରେ ମହିଳାଙ୍କ ପାଇଁ ୩୩% ସ୍ଥାନ ସଂରକ୍ଷଣ କରିବାକୁ ଗତ ବିଧାନସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ସଂକଳ୍ପ ଆଗତ କରିଥିଲେ । ସର୍ବସମ୍ମତିକ୍ରମେ ବିଧାନସଭାରେ ଏହା ପାରିତ ହୋଇଥିଲା । ଏହାକୁ ସାକାର କରିବା ପାଇଁ ମୁଖ୍ୟମନ୍ତ୍ରୀ ଆଜି ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି । ପ୍ରଧାନମନ୍ତ୍ରୀଙ୍କୁ ଦେଇଥିବା ଚିଠିରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, ମହିଳାମାନେ ସଶକ୍ତ ହେଲେ ଦେଶ ସଶକ୍ତ ହେବ । ମହିଳାଙ୍କ ସଶକ୍ତ ବିନା କୌଣସି ଘର, ସମାଜ, ରାଜ୍ୟ ଏବଂ ଦେଶ ଆଗେଇପାରିବ ନାହିଁ । ସମ୍ବିଧାନରେ ଲିଙ୍ଗଗତ ସମାନତା ନୀତି ହୋଇ ରହିଛି । ଆମ ଜନସଂଖ୍ୟାର ଅର୍ଧେକ ଆମର ମାଆ, ଭଉଣୀ ଏବଂ ଝିଅଙ୍କୁ ରାଜ୍ୟ ଓ ଦେଶର ସର୍ବୋଚ୍ଚ ନୀତି ନିର୍ଦ୍ଧାରକ ବ୍ୟବସ୍ଥାରେ ଭାଗିଦାର କଲେ ଯାଇ ଦେଶ ଦ୍ରୁତ ଗତିରେ ଆଗେଇପାରିବ । ସୁତରାଂ ମହିଳାଙ୍କ ପାଇଁ ଏକ ତୃତୀୟାଂଶ ସ୍ଥାନ ସଂରକ୍ଷଣ ବିଲ୍ ସଂସଦରେ ପାରିତ କରିବାକୁ ଆପଣ ନେତୃତ୍ୱ ନିଅନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ଅନୁରୋଧ କରିବା ସହ ମହିଳାଙ୍କ ନ୍ୟାଯ୍ୟ ଅଧିକାର ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପୂର୍ଣ୍ଣ ସମର୍ଥନର ହାତ ବଢ଼ାଇଛନ୍ତି ।
ମହିଳା ସଶକ୍ତିକରଣରେ ଓଡ଼ିଶା ଅଗ୍ରଣୀ ଭୂମିକାରେ ଥିବା ପ୍ରଧାନମନ୍ତ୍ରୀଙ୍କୁ ମନେ ପକାଇଛନ୍ତି ମୁଖ୍ୟମନ୍ତ୍ରୀ । କହିଛନ୍ତି, ନବେ ଦଶକରେ ସ୍ୱର୍ଗତ ବିଜୁ ପଟ୍ଟନାୟକ ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶାରେ ମହିଳାଙ୍କ ପାଇଁ ପଞ୍ଚାୟତ ଏବଂ ପୌରସଂସ୍ଥାରେ ଏକ ତୃତୀୟାଂଶ ସ୍ଥାନ ସଂରକ୍ଷଣର ନିଷ୍ପତ୍ତି ନେଇଥିଲେ । ଖାଲି ସେତିକି ନୁହେଁ, ପୁରୁଷ ଓ ମହିଳା ଶ୍ରମିକଙ୍କ ପାଇଁ ସେ ସମାନ ମଜୁରି କରିଥିଲେ । ୨୦୧୧ ମସିହାରେ ରାଜ୍ୟ ସରକାର ପଞ୍ଚାୟତ ଓ ପୌରସଂସ୍ଥାଗୁଡ଼ିକରେ ମହିଳା ସ୍ଥାନ ସଂରକ୍ଷଣ ୫୦ ପ୍ରତିଶତକୁ ବୃଦ୍ଧି କରିଥିଲେ । ଉକ୍ତ ନିଷ୍ପତ୍ତି ମହିଳାମାନଙ୍କୁ ଅଧିକ ସଶକ୍ତ କରିଛି ଏବଂ ବିକାଶ ପ୍ରକ୍ରିୟାରେ ସେମାନେ ନିଜକୁ ଆଗଧାଡ଼ିରେ ସାମିଲ କରିପାରିଛନ୍ତି ।
ମହାତ୍ମା ଗାନ୍ଧୀ ସବୁବେଳେ ଲିଙ୍ଗଗତ ସମାନତା ଓ ମହିଳା ସଶକ୍ତିକରଣ କଥା କହୁଥିଲେ । ଦେଶର ମହିଳାଙ୍କୁ ସଶକ୍ତ କଲାଭଳି ଐତିହାସିକ ନିଷ୍ପତ୍ତି ନିଆଗଲେ ତାହା ଜାତିର ପିତାଙ୍କ ୧୫୦ ତମ ଜନ୍ମବାର୍ଷିକୀରେ ତାଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି ପ୍ରଧାନମନ୍ତ୍ରୀଙ୍କୁ ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ।