ଭୁବନେଶ୍ୱର: ବନ୍ଧୁ ଅଭିଜିତ୍ ଆୟାର ମିତ୍ରଙ୍କ ଜେଲ୍ ମିଆଦ ଆଉ ୧୪ ଦିନ ବଢ଼ିଯିବା ପରେ ବୈଜୟନ୍ତ ପଣ୍ଡା ବ୍ୟଥିତ ଓ ଉତକ୍ଷିପ୍ତ ହୋଇପଡ଼ିଛନ୍ତି । ବିଚାର ବିଭାଗ ହାଜତରେ ବନ୍ଧୁଙ୍କ ଲମ୍ବା ରହଣିକୁ ସେ ସହ୍ୟ କରିପାରିନାହାନ୍ତି । ତାଙ୍କ ବିରୋଧରେ ଅଭିଜିତ୍ ଙ୍କଠାରୁ ମିଛ ବୟାନ ପାଇଁ ବାଧ୍ୟ କରାଯିବାର ନୂଆ କୌଶଳ କରାଯାଉଛି କହି ବୈଜୟନ୍ତ ମାମଲାରେ ରାଜ୍ୟ ସରକାରଙ୍କୁ ଟାଣିଛନ୍ତି ଏବଂ ନିଜ ପାଇଁ ସହାନୁଭୂତି ଯୋଗାଡ଼ ଉଦ୍ୟମ କରିଛନ୍ତି । ବୈଜୟନ୍ତଙ୍କ ଆଉ ଜଣେ ଅଣଓଡ଼ିଆ ବନ୍ଧୁ ତଥା ଆଉଟଲୁକ୍ ପତ୍ରିକାର ସମ୍ପାଦକ ରୁବେନ୍ ବାନାର୍ଜୀ ମଧ୍ୟ ଅଭିଜିତ୍ ଆୟାର ଓ ବୈଜୟନ୍ତଙ୍କୁ ସୁରକ୍ଷା ଦେବା ପାଇଁ ଅବାନ୍ତର ଯୁକ୍ତି ରଖିଛନ୍ତି । ଓଡ଼ିଶା ପୁଲିସର ତଦନ୍ତକୁ ସେ ପ୍ରଶ୍ନ କରିଛନ୍ତି ।
ଅଭିଜିତ୍ ମାମଲାକୁ ନେଇ ଆଜି ରୁବେନ୍ ବାନାର୍ଜୀ ପ୍ରଥମେ ଟୁଇଟ୍ କରିଥିଲେ । ଏବଂ ବୈଜୟନ୍ତ ରିଟୁଇଟ୍ କରିଥିଲେ । ତେବେ ଦୁହିଁଙ୍କ ଯୁକ୍ତି ଖାଲି ଅବାନ୍ତର ନୁହେଁ, ବରଂ ଅତ୍ୟନ୍ତ ହାସ୍ୟାସ୍ପଦ । ଆଇନକାନୁନ୍ ପ୍ରତି ଜ୍ଞାନ ଥିବା ଲୋକ ଏଭଳି ଯୁକ୍ତି ରଖିବେ ନାହିଁ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହୋଇଛି । ଅଭିଜିତ୍ ମାମଲାର ଆଇନଗତ ଦିଗ ସମ୍ପର୍କରେ ଆମେ ହାଇକୋର୍ଟର ବରିଷ୍ଠ ଆଇନଜୀବୀ ବିଭୁପ୍ରସାଦ ତ୍ରିପାଠୀଙ୍କ ନିର୍ଦ୍ଦିଷ୍ଟ ମତ ଲୋଡିଥିଲୁ । ତାଙ୍କର କହିବା କଥା, ଅଭିଜିତ୍ ଆୟାର ବର୍ତ୍ତମାନ ବିଚାର ବିଭାଗୀୟ ହାଜତରେ । ସେ ଜାମିନ୍ ପାଇବେ କି ନାହିଁ ସେଥିରେ ପୁଲିସ କିଛି କରିପାରିବନି କି ରାଜ୍ୟ ସରକାର କିଛି କରିପାରିବେନି । ତାଙ୍କୁ ଜାମିନ୍ ଦେବେ ମାନ୍ୟବର ବିଚାରପତି । ଆଇନ ଆଖିରେ ଅନ୍ୟ ବନ୍ଦୀମାନଙ୍କ ଭଳି ଅଭିଜିତ୍ ମଧ୍ୟ ଜଣେ ବନ୍ଦୀ । ତାଙ୍କ ପାଇଁ ସ୍ୱତନ୍ତ୍ର ଆଇନ ନାହିଁ । ଓକିଲମାନଙ୍କ ଆନ୍ଦୋଳନ ପରିପ୍ରେକ୍ଷୀରେ କ୍ୟାମ୍ପ କୋର୍ଟ ଜରିଆରେ ବନ୍ଦୀମାନଙ୍କର ବିଚାର କରାଯାଉଛି । ଅଭିଜିତ୍ ଆୟାର ମାମଲା କ୍ୟାମ୍ପ କୋର୍ଟରେ ବିଚାର ହୋଇଥିଲା । ସେଠି ସରକାରୀ ଓକିଲ ନ ଥିଲେ କି ପୁଲିସର କୌଣସି ଭୂମିକା ନ ଥିଲା ।
ଅତଏବ ଏହା ସ୍ପଷ୍ଟ କୁହାଯାଇପାରେ ଯେ ରୁବେନ୍ ବାନାର୍ଜୀ ଓ ବୈଜୟନ୍ତ ପଣ୍ଡା ଅଯଥାରେ ପୁଲିସ ଏବଂ ସରକାରଙ୍କୁ ମାମଲା ଭିତରକୁ ଟାଣିଛନ୍ତି । ସରକାରଙ୍କର କୌଣସି ହସ୍ତକ୍ଷେପ ନ ଥିଲେ ମଧ୍ୟ ଏହା ସରକାରଙ୍କ ହସ୍ତକ୍ଷେପ କହି ରାଜନୈତିକ ସ୍ତରରେ ବାହାବା ନେବାକୁ ଚେଷ୍ଟା କରୁଛନ୍ତି । ବିଚାର ବିଭାଗୀୟ ହାଜତରେ ଥିବା ଜଣେ ବନ୍ଦୀଙ୍କ ଉପରେ ପୁଲିସ ଓ ସରକାରଙ୍କ ହସ୍ତକ୍ଷେପ କଥା ଉଠାଇ ବିଚାର ବିଭାଗର ବିଶ୍ୱନୀୟତାକୁ ପ୍ରଶ୍ନ ଉଠାଇଛନ୍ତି । ବୈଜୟନ୍ତ କହିଛନ୍ତି- ଅଭିଜିତ୍ ଦୋଷ ସ୍ୱୀକାର କରିବା ସତ୍ତ୍ୱେ ତଦନ୍ତ ଆଳରେ ତାଙ୍କୁ ଅଧିକ ଦିନ ଜେଲ୍ ରେ ରଖି ତାଙ୍କୁ(ବୈଜୟନ୍ତ) ଫସାଇବା ପାଇଁ ଷଡ଼ଯନ୍ତ୍ର କରାଯାଉଥିବା ଆଶଙ୍କା କରୁଛି । ଆଇନଜୀବୀମାନଙ୍କ ମତରେ, ଜଣେ ଅପରାଧୀ କ୍ଷମା ମାଗିଦେଲେ ଯଦି ଦଣ୍ଡମୁକ୍ତ ହୁଅନ୍ତା ତେବେ ଜେଲ୍ ରେ କୌଣସି ଅପରାଧୀ ରୁହନ୍ତେନି । ଥାନାରୁ ଭୁଲ୍ ମାଗି ଅପରାଧୀମାନେ ଘରକୁ ପଳାନ୍ତେ ।
ସୂଚନାଥାଉକି, ଓଡ଼ିଶା ଓ ଓଡ଼ିଶାର ଅସ୍ମିତାକୁ ଦଳିଚକଟି ଦେଇଛନ୍ତି ଅଭିଜିତ୍ ଆୟାର । ତାଙ୍କୁ ଓଡ଼ିଶାକୁ ଡାକି ନିଜ ହେଲିକପ୍ଟରରେ ପୁରୀ, କୋଣାର୍କ,ଚିଲିକା ବୁଲାଇଥିଲେ ବନ୍ଧୁ ବୈଜୟନ୍ତ । ଓଡ଼ିଶା, ମହାପ୍ରଭୁ ଜଗନ୍ନାଥ ଓ କୋଣାର୍କ ଉପରେ ଅତ୍ୟନ୍ତ କଟୁ ଓ ଅରୁଚିକର ଟିପ୍ପଣୀ ଦେଇଥିଲେ ଅଭିଜିତ୍ । ଦୁଇ ଦୁଇଟି ଥାନାରେ ତାଙ୍କ ବିରୋଧରେ ଏତଲା ହେବା ପରେ ଆଇନଗତ ଭାବେ ପୁଲିସ ତାଙ୍କୁ ଗିରଫ କରିଥିଲା । ଖୋଦ୍ ସୁପ୍ରିମକୋର୍ଟ ମଧ୍ୟ ତାଙ୍କର ଜାମିନ୍ ଆବେଦନକୁ ଖାରଜ କରିଥିଲେ । ଜେଲ୍ ତାଙ୍କ ପାଇଁ ସର୍ବଶ୍ରେଷ୍ଠ ସ୍ଥାନ ବୋଲି ସୁପ୍ରିମକୋର୍ଟ ର ମାନ୍ୟବର ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ ଟିପ୍ପଣୀ ଦେଇଥିଲେ । ଗତ ଅକ୍ଟୋବର ୨୩ ତାରିଖରୁ ସେ ବିଚାର ବିଭାଗ ହାଜତରେ ଝାରପଡ଼ା ଜେଲ୍ ରେ ଅଛନ୍ତି ।
ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଅଭିଜିତ୍ ମାମଲାରେ ବୈଜୟନ୍ତ ବି ସହ ଅଭିଯୁକ୍ତ ଅଛନ୍ତି । ପୁଲିସ ଜେରା ବେଳେ ବୈଜୟନ୍ତଙ୍କ ସହ ତାଙ୍କର ବନ୍ଧୁତ୍ୱ ଓଗାଳିଛନ୍ତି ଅଭିଜିତ । ତାଙ୍କ ସହ ହେଲିକପ୍ଟରରେ ବୁଲିଥିବା ମାନିଛନ୍ତି । ଆଇନ କହୁଛି, ପୁଲିସ ଚାହିଁଲେ ବୈଜୟନ୍ତଙ୍କୁ ଜେରା କରିପାରିବ । ପୁଲିସ ପାଖରେ ଅଭିଜିତ୍ ସମ୍ପର୍କ ନେଇ ବୈଜୟନ୍ତଙ୍କ ବାବଦରେ ଅନେକ ତଥ୍ୟ ପ୍ରମାଣ ବି ରହିଥିବା ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି । ମାତ୍ର ପୁଲିସ ଏ ପର୍ଯ୍ୟନ୍ତ ତାଙ୍କୁ ପଚରାଉଚୁରା ପାଇଁ ନ ଡାକିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ବୈଜୟନ୍ତଙ୍କ ପ୍ରତି ସରକାର କାହିଁକି ଏତେ ସହାନୁଭୂତି ବୋଲି ମଧ୍ୟ ବିଭିନ୍ନ ମହଲରେ ଆଲୋଚନା ହେଉଛି ।
ଏହି ମହଲର କହିବା ଅନୁଯାୟୀ, ଅଭିଜିତ୍ ମାମଲାରେ ବୈଜୟନ୍ତ ନିଜେ ଫସିଯିବାର ଆଶଙ୍କା କରୁଥିବାରୁ ସେଥିରେ ରାଜନୈତିକ ରଙ୍ଗ ଦେବାକୁ ଉଦ୍ୟମ ଆରମ୍ଭ କରିଛନ୍ତି । ସରକାରଙ୍କୁ ବଦନାମ କରି ନିଜ ପ୍ରତି ସହାନୁଭୂତି ଗୋଟାଇବା ପାଇଁ ଏହା ତାଙ୍କର ଚାଲ୍ । ଦିଲ୍ଲୀରେ ନିଜର ପ୍ରଭାବଶାଳୀ କୋଟରି ଜରିଆରେ ସେ ଏଥିପାଇଁ କ୍ୟାମ୍ପେନ୍ କରୁଛନ୍ତି । ବୈଜୟନ୍ତ ଓ ତାଙ୍କ କ୍ଷମତାଶାଳୀ ସମ୍ବ୍ରାନ୍ତ ବନ୍ଧୁମାନେ ଭାବିଛନ୍ତି ଯେ ଓଡ଼ିଶା ଲୋକ ମୁର୍ଖ, ଆଇନକାନୁନ ଉପରେ ସେମାନଙ୍କର ଜ୍ଞାନ ନାହିଁ । ତେଣୁ ସୁଦୁ ଗପ କହି ସେମାନଙ୍କୁ ମତେଇ ହେବ । ବୈଜୟନ୍ତଙ୍କ ଚାଲ୍ ରେ ଯୋଡି ହୋଇଛନ୍ତି ରୁବେନ୍ ବାନାର୍ଜୀ । ଗୋଟିଏ ଗୁଳିରେ ଦି ଦିଇଟା ଶିକାର କରିବାକୁ ସେ ଚାହୁଁଛନ୍ତି । ନିଜର ବଙ୍ଗାଳୀ ଜାତିଭାଇ ଅଭିଜିତ୍ ପାଇଁ ଓକିଲାତି କରି ସୁରକ୍ଷା ଦେବେ ଏବଂ ବନ୍ଧୁ ବୈଜୟନ୍ତଙ୍କୁ ସୁରକ୍ଷା ଦେବା ସହ ତାଙ୍କ ରାଜନୈତିକ ସ୍ୱାର୍ଥ ଜଗିବେ । ତେଣିକି ଓଡ଼ିଆ ଅସ୍ମିତା ଚୁଲି କି ଯାଉ ପଛେ ।
ରୁବେନ୍ ବାନାର୍ଜୀ ଓ ବୈଜୟନ୍ତ ପଣ୍ଡାଙ୍କ ମଧ୍ୟରେ କୁଆଡ଼େ କ୍ଷୀର ନିରର ସମ୍ପର୍କ । ଗତ ଅକ୍ଟୋବର ୧୦ ତାରିଖରେ ରୁବେନ୍ ବାନାର୍ଜୀ ତାଙ୍କ ଦ୍ୱାରା ଲିଖିତ ‘ନବୀନ ପଟ୍ଟନାୟକ’ ପୁସ୍ତକ ଉପରେ ଦିଲ୍ଲୀରେ ଯେଉଁ ଆଲୋଚନା ସଭା କରିଥିଲେ ତାହାର ମୁଖ୍ୟ ଉଦ୍ୟୋକ୍ତା ଥିଲେ ବୈଜୟନ୍ତ ପଣ୍ଡା । ସେଥିରେ ସେ ମୁଖ୍ୟମନ୍ତ୍ରୀଙ୍କୁ ମନଭରି ଗାଳି କରିଥିଲେ । ପୂର୍ବରୁ ଭୁବନେଶ୍ୱରରେ ଏହି ପୁସ୍ତକ ଉନ୍ମୋଚନ ହେବା ବେଳେ ବୈଜୟନ୍ତ ବେଶୀ ଉତ୍ସାହିତ ଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜୀବନୀ ସମ୍ବଳିତ ଏହି ପୁସ୍ତକ ପ୍ରକାଶନ ପଛରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅବଦାନ ଥିବା ପୂର୍ବରୁ ଚର୍ଚ୍ଚା ହୋଇଛି । କୁଆଡ଼େ ନବୀନଙ୍କୁ ନିନ୍ଦିତ କରିବା ଥିଲା ପୁସ୍ତକ ପ୍ରକାଶନର ମୁଖ୍ୟ ଉଦେ୍ଦଶ୍ୟ । ମାତ୍ର ପୁସ୍ତକଟି ଓଡ଼ିଶା ଲୋକଙ୍କ ଦ୍ୱାରା ସେଭଳି ଆଦୃତ ହୋଇନାହିଁ ।