ଖଡ଼ଗପୁର: ଆଇଆଇଟି, ଖଡ଼ଗପୁରର ବାର୍ଷିକ, ସାମାଜିକ ଓ ସାଂସ୍କୃତିକ ମହୋତ୍ସବ ସ୍ପ୍ରିଙ୍ଗ୍ ଫେଷ୍ଟ୍ ଆସନ୍ତା ଜାନୁଆରୀ ୨୫ ତାରିଖରୁ ୨୭ ତାରିଖ ଯାଏଁ ଅନୁଷ୍ଠିତ ହେବ । ଏସିଆ ମହାଦେଶର ଅନ୍ୟ ଏକ ବୃହତ୍ତମ ଉତ୍ସବ ଭାବେ ପରିଚିତ ଏହି ମହୋତ୍ସବ ପାଇଁ ଆଇଆଇଟି ପରିସରରେ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି । ୩ ଦିନ ବ୍ୟାପୀ ମହୋତ୍ସବରେ ୧୦୦ ଟି ବିଭାଗରେ ପ୍ରତିଯୋଗିତା ହେବ । ସମଗ୍ର ଭାରତବର୍ଷରୁ ପ୍ରାୟ ୫୦୦ କଲେଜରୁ ପ୍ରତିଯୋଗୀମାନେ ଏଥିରେ ଭାଗନେବେ ।
ପ୍ରତିଯୋଗିତାରେ ୧୧ଟି ସର୍ବସାଧାରଣସ୍ତର ଓ ୧୩୦ ରୁ ଅଧିକ ଏକକ ସ୍ତରର ଆୟୋଜନ କରାଯାଇଛି । ଶ୍ରେଷ୍ଠ ପ୍ରତିଯୋଗୀମାନଙ୍କୁ ପ୍ରାୟ ୩୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଦିଆଯିବ । ତାରକା ଖଚିତ(ଷ୍ଟାର୍ ନାଇଟ୍) ମହୋତ୍ସବର ଅନ୍ୟ ଏକ ଆକର୍ଷଣ । ବଲିଉଡ ତାରକା ବିଶାଲ୍-ଶେଖର, ଫରହାନ ଆଖତର୍, ଅମିତ ତ୍ରିବେଦୀ, ଶଙ୍କର-ଏହସାନ୍-ସଲିମ୍-ସୁଲେମାନ୍, କେ.କେ ପ୍ରମୁଖ ଦର୍ଶକଙ୍କୁ ମନୋରଂଜନ ଦେବେ । ଆନ୍ତର୍ଜାତିକ ବ୍ୟାଣ୍ଡ୍ ଡେଡ୍, ବାଏ ଏପ୍ରିଲ୍, ମୋନୁମେଣ୍ଟ୍, ଟେସେରାକ୍ସ ଆଦି ମଧ୍ୟ ସେମାନଙ୍କ କାର୍ଯ୍ୟକ୍ରମ ପରିବେଷଣ କରିବେ ବୋଲି ସୂଚନା ଦିଆଯାଇଛି ।
ଆୟୋଜିତ ଇଭେଣ୍ଟ୍ ଗୁଡ଼ିକର ନୂତନତ୍ୱ ଓ ବହୁବିଧ ମନୋରଂଜନ ଦର୍ଶକଙ୍କ ଭାବାବେଗକୁ ଉଦବେଳିତ କରିବା ସହ ଅନ୍ତର୍ନିହିତ ପ୍ରତିଭା ବିକାଶରେ ସହାୟକ ହେବ ବୋଲି ଆୟୋଜକମାନେ କହିଛନ୍ତି ।