– ଅକ୍ଟୋବର ୨ରୁ ପୁଲିସ କାର୍ଯ୍ୟର ହିସାବ ନିକାଶ
– ପ୍ରତିଦିନ ୧୦ ଜଣ ଅଭିଯୋଗକାରୀଙ୍କୁ ଫୋନ୍
– ଭଲ କାମ କଲେ ଆଗୁଆ ପ୍ରମୋସନ, ଖରାପ କାମ ପାଇଁ ଦଣ୍ଡ
ଭୁବନେଶ୍ୱର: ନିରୀହ ଲୋକଙ୍କୁ ନାଲି ଆଖି ଦେଖାଇଲେ ପୁଲିସ ବାବୁଙ୍କ ପାଇଁ ଏଣିକି ମହଙ୍ଗା ହେବ । ଥାନାକୁ ଅଭିଯୋଗ ଧରି ଆସୁଥିବା ଲୋକଙ୍କୁ କଦର୍ଯ୍ୟ ବ୍ୟବହାର ଦେଖାଇଲେ ଥାନାବାବୁ ହଇରାଣରେ ପଡ଼ିବାଟା ଥୟ । ମୁଖ୍ୟମନ୍ତ୍ରୀଙ୍କ ସିଧା ନଜରକୁ ଆସିଲେ ଚାକିରି ବି ଚାଲି ଯାଇପାରେ । ଅପରନ୍ତୁ, ନ୍ୟାୟ ଭିକ୍ଷା କରୁଥିବା ଲୋକଙ୍କୁ ମାନବିକତା ଦେଖାଇଲେ ଖୋଦ୍ ମୁଖ୍ୟମନ୍ତ୍ରୀଙ୍କଠାରୁ ପ୍ରଶଂସା ପତ୍ର ପାଇବେ ଥାନା ବାବୁ । ଏପରିକି ଚାକିରିରେ ଆଗୁଆ ପ୍ରମୋସନ୍ ପାଇଯିବେ ।
ଆସନ୍ତା ଅକ୍ଟୋବର ୨ ତାରିଖରୁ ଆରମ୍ଭ ହେଉଥିବା “ମୋ ସରକାର” କାର୍ଯ୍ୟକ୍ରମର ଏହା ହିଁ ବିଷୟବସ୍ତୁ । ରାଜ୍ୟ ସରକାର ଆରମ୍ଭ କରୁଥିବା ଏହି କାର୍ଯ୍ୟକ୍ରମର ଗୁରୁତ୍ୱପୂର୍ଣ୍ଣ ଦିଗ ହେଲା, ନିଜେ ମୁଖ୍ୟମନ୍ତ୍ରୀ ହେଉଛନ୍ତି ଏହି କାର୍ଯ୍ୟକ୍ରମର ବଡ଼ ଅଂଶୀଦାର । ପ୍ରତିଦିନ ଥାନାକୁ ଆସୁଥିବା ଅଭିଯୋଗକାରୀଙ୍କୁ ପୁଲିସ କିଭଳି ବ୍ୟବହାର କରୁଛି, କିଭଳି ସେବା ଦେଉଛି ତାହାର ପ୍ରତ୍ୟକ୍ଷ ଅନୁଧ୍ୟାନ କରିବେ ମୁଖ୍ୟମନ୍ତ୍ରୀ । ପ୍ରତିଦିନ ୧୦ ଜଣ ଲୋକଙ୍କୁ ନିଜେ ଫୋନ୍ କରି ଭଲ ମନ୍ଦ ପଚାରି ବୁଝିବେ । ଆଉ ସେହି ଆଧାରରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ । ଅର୍ଥାତ୍ ଅଭିଯୋଗକାରୀଙ୍କୁ ନାଲି ଆଖି ଦେଖାଇଲେ ପୁଲିସ ବାବୁଙ୍କ ଭାଗ୍ୟ ଖରାପ ପଡ଼ିଯିବ । ମାନବିକତା ଦେଖାଇଲେ ପୁଲିସ ବାବୁଙ୍କ ଭାଗ୍ୟ ଖୋଲିଯିବ ।
“ମୋ ସରକାର” କାର୍ଯ୍ୟକ୍ରମ ଅବ୍ୟବହିତ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ୬୩୫ ଥାନା ଅଧିକାରୀଙ୍କ ସହ ଭିଡ଼ିଓ କନଫରେନ୍ସିଂ କରି କାର୍ଯ୍ୟକ୍ରମର ଗୁରୁତ୍ୱପୂର୍ଣ୍ଣ ଦିଗ ଗୁଡ଼ିକ ଉପରେ ଆଲୋକପାତ କରିଥିଲେ । ପ୍ରତିଦିନ ୧୦ ଜଣ ଅଭିଯୋଗକାରୀଙ୍କୁ ଫୋନ୍ କରି ସେମାନଙ୍କର ଫିଡ଼ବ୍ୟାକ୍ ନେବେ ବୋଲି ଜଣାଇ ଦେଇଥିଲେ ।
ମୁଖ୍ୟମନ୍ତ୍ରୀ କହିଥିଲେ, ଜନସାଧାରଣ ହେଉଛନ୍ତି ପ୍ରକୃତ ସରକାର । ମୋ ସରକାର ହେଉଛି ସେମାନଙ୍କ ସରକାର । ସେମାନଙ୍କ ଟଙ୍କାରେ ପ୍ରଶାସନ ଓ ପୁଲିସ ଷ୍ଟେସନ୍ ଚାଲୁଛି । ତେଣୁ ସେମାନଙ୍କୁ ସମ୍ମାନର ସହିତ ବ୍ୟବହାର କରିବା ଆମର ନୈତିକ ଦାୟିତ୍ୱ । ଯେତେବେଳେ କୌଣସି ଅଭିଯୋଗକାରୀ ଥାନାକୁ ଆସୁଛନ୍ତି, ସେତେବେଳେ ସେମାନଙ୍କୁ ଆମେ ସମ୍ପୂର୍ଣ୍ଣ ବୃତ୍ତିଗତ, ନୈତିକ ଓ ମାନବିକତାର ସହ ବ୍ୟବହାର କରିବା ଅତ୍ୟନ୍ତ ଜରୁରୀ ।
ଲୋକଙ୍କ ମତାମତ ଉପରେ ଭଲ କାମକୁ ତୁରନ୍ତ ପ୍ରଶଂସା କରାଯିବ । ଏଥିପାଇଁ ସେ ନିଜେ ସଂପୃକ୍ତ ଅଧିକାରୀଙ୍କୁ ପ୍ରଶଂସାପତ୍ର ଦେବେ ଏବଂ କାମ ସନ୍ତୋଷଜନକ ନହେଲେ କାର୍ଯ୍ୟାନୁଷ୍ଠାନ କରାଯିବ । ଥାନାକୁ ଆସୁଥିବା ପ୍ରତ୍ୟେକ ଅଭିଯୋଗକାରୀଙ୍କ ଫୋନ ନମ୍ବର ପଂଜୀକରଣ କରାଯିବ ଏବଂ ଏହା ଏସପିଙ୍କଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ନିକଟରେ ଉପବଲବ୍ଧ ହେବ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ।
ମୁଖ୍ୟମନ୍ତ୍ରୀ ସିଧା ସିଧା ଜଣାଇ ଦେଇଥିଲେ କି “ମୋ ସରକାର” କାର୍ଯ୍ୟକ୍ରମରେ କୌଣସି ସେବା ପାଇଁ ଜଣେ ନାଗରିକ ସରକାରଙ୍କ ପଛରେ ଗୋଡ଼ାଇବ ନାହିଁ । ସରକାର ଅଭିଯୋଗକାରୀଙ୍କୁ ଯୋଗାଯୋଗ କରି ସେମାନଙ୍କୁ ଉତ୍ତମ ସେବା ଯୋଗାଇବ । ମହିଳାମାନଙ୍କ ଅଭିଯୋଗକୁ ପ୍ରାଥମିକତା ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ।
ମୁଖ୍ୟ ଶାସନ ସଚିବ ଅସିତ୍ କୁମାର ତ୍ରିପାଠୀ କହିଥିଲେ, ପୁଲିସ ଅଧିକାରୀମାନେ ନିଜକୁ ଜନସେବକ ଭାବି କାର୍ଯ୍ୟ କରନ୍ତୁ । ସବୁ କର୍ମଚାରୀଙ୍କ ୫-ଟି ପ୍ରଦର୍ଶନ ଉପରେ ଗୁରୁତ୍ୱ ଦିଆଯିବ ବୋଲି କହିଥିଲେ ।
ଥାନାକୁ ଆସୁଥିବା ପ୍ରତ୍ୟେକ ଲୋକଙ୍କୁ ସମ୍ମାନର ସହିତ ବ୍ୟବହାର କରିବା ଓ ତାର ଅଭିଯୋଗ ପ୍ରତି ସମ୍ବେଦନଶୀଳ ହୋଇ କାର୍ଯ୍ୟ କରିବାକୁ ଥାନା ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ ପୁଲିସ ଡିଜି ବିଜୟ କୁମାର ଶର୍ମା ।
“ମୋ ସରକାର” କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଥିଲେ ୫-ଟି ସଚିବ ଭି.କେ.ପାଣ୍ଡିଆନ୍ । “ମୋ ସରକାର” ୫-ଟି କାର୍ଯ୍ୟକ୍ରମର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଏବଂ ସାରା ଦେଶରେ ଏଭଳି କାର୍ଯ୍ୟକ୍ରମ ଗ୍ରହଣ କରିବାରେ ଓଡ଼ିଶା ହେଉଛି ପ୍ରଥମ ରାଜ୍ୟ । ଏଥିରେ ଅଭିଯୋଗକାରୀଙ୍କୁ ଆଉ କୁଆଡ଼େ ଯିବାକୁ ପଡ଼ିବ ନାହିଁ । ପୁଲିସ ଥାନାରେ ତାର ଅଭିଯୋଗକୁ ଗୁରୁତ୍ୱ ଦେଇ ତୁରନ୍ତ ପଦକ୍ଷେପ ନେବ । ଏହା ହିଁ ପରିବର୍ତ୍ତନ । ଥାନା ଓ ଡାକ୍ତରଖାନାକୁ ଲୋକମାନେ ନିଜ ଦୁଃଖ ଓ କଷ୍ଟ ଲାଘବ ପାଇଁ ଆସିଥାନ୍ତି । ତେଣୁ “ମୋ ସରକାର” କାର୍ଯ୍ୟକ୍ରମ ଏହି ଦୁଇ ବିଭାଗରୁ ହିଁ ପ୍ରଥମେ ଆରମ୍ଭ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଥିବା ଶ୍ରୀ ପାଣ୍ଡିଆନ୍ ଜଣାଇଥିଲେ ।
କେମିତି କଥା ହେବେ ମୁଖ୍ୟମନ୍ତ୍ରୀ
“ମୋ ସରକାର” ପୋର୍ଟାଲ୍ ରୁ ୧୦ଟି ନମ୍ବରକୁ ମନଇଚ୍ଛା ବାଛି ଅଭିଯୋଗକାରୀଙ୍କ ସହିତ ସିଧାସଳଖ ମୁଖ୍ୟମନ୍ତ୍ରୀ କଥା ହେବେ । ଯଦି ଅଭିଯୋଗକାରୀଙ୍କ ମୋବାଇଲ ନମ୍ବର ନ ଥାଏ, ତେବେ ସେ ତାଙ୍କର ଆତ୍ମୀୟ ସ୍ୱଜନଙ୍କ ନମ୍ବର ଦେଇପାରିବେ । ସେହିପରି ଯଦି ଥାନା ଅଧିକାରୀ ଅମାନିଆବଶତଃ ଅଭିଯୋଗକାରୀଙ୍କ ମୋବାଇଲ ନମ୍ବର ପଂଜୀକରଣ ନ କରନ୍ତି, ସେ କ୍ଷେତ୍ରରେ ଅଭିଯୋଗକାରୀ ଟୋଲ୍ ଫ୍ରି ନମ୍ବରକୁ ଫୋନ୍ କଲେ ଏସଏମଏସ ପାଇପାରିବେ । ଥାନା ଅଧିକାରୀଙ୍କ ଏହି ଅବହେଳା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।