ନୂଆଦିଲ୍ଲୀ: ଭାରତର ନୂଆ ଗୃହମନ୍ତ୍ରୀ ହୋଇଛନ୍ତି ଅମିତ୍ ଶାହା । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦ ଛାଡ଼ି କ୍ୟାବିନେଟ୍ ରେ ସାମିଲ ହୋଇଥିବା ଶାହାଙ୍କୁ ପ୍ରଧାନମନ୍ତ୍ରୀ ଏହି ଗୁରୁ ଦାୟିତ୍ୱ ଦେଇଛନ୍ତି । ପୂର୍ବରୁ ଗୃହ ବିଭାଗ ଦାୟିତ୍ୱରେ ଥିବା ରାଜନାଥ ସିଂ ଙ୍କୁ ପ୍ରତିରକ୍ଷା ମନ୍ତ୍ରଣାଳୟର ଦାୟିତ୍ୱ ମିଳିଛି । ସେହି ବିଭାଗ ଦାୟିତ୍ୱରେ ଥିବା ଶ୍ରୀମତୀ ନିର୍ମଳା ସୀତାରମଣଙ୍କୁ ଅର୍ଥ ଏବଂ କର୍ପୋରେଟ୍ ବ୍ୟାପାର ଦାୟିତ୍ୱ ଦିଆଯାଇଛି । ପୂର୍ବତନ ବୈଦେଶିକ ସଚିବ ସୁବ୍ରମଣ୍ୟମ୍ ଜୟଶଙ୍କରଙ୍କୁ ବୈଦେଶିକ ବ୍ୟାପାର ମନ୍ତ୍ରୀ କରାଯାଇଛି ।
୪ ଟି ମୁଖ୍ୟ ମନ୍ତ୍ରଣାଳୟର ଦାୟିତ୍ୱ ପରିବର୍ତ୍ତନ କରାଯାଇଥିବା ବେଳେ ନୂଆ ମନ୍ତ୍ରୀମଣ୍ଡଳରେ ସାମିଲ ହୋଇଥିବା ପୁରୁଣା ମନ୍ତ୍ରୀଙ୍କ ବିଭାଗ ପ୍ରାୟ ଅପରିବର୍ତ୍ତିତ ରହିଛି । ନୀତିନ୍ ଗଡ଼କରୀ, ରବି ଶଙ୍କର ପ୍ରସାଦ, ଧର୍ମେନ୍ଦ୍ର ପ୍ରଧାନ ଓ ପିୟୁଷ ଗୋଏଲ୍ ଙ୍କୁ ତାଙ୍କ ପୂର୍ବ ବିଭାଗ ଦିଆଯାଇଛି । ଧର୍ମେନ୍ଦ୍ର ପ୍ରଧାନଙ୍କୁ ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ ସହ ଇସ୍ପାତ ମନ୍ତ୍ରଣାଳୟର ଦାୟିତ୍ୱ ଦିଆଯାଇଛି । ସ୍ମୃତି ଇରାନୀଙ୍କୁ ଟେକ୍ସଟାଇଲ୍ ବିଭାଗ ସହ ମହିଳା ଓ ଶିଶୁ ବିକାଶ ବିଭାଗର ଦାୟିତ୍ୱ ଦିଆଯାଇଛି । ଡକ୍ଟର ହର୍ଷବର୍ଦ୍ଧନଙ୍କୁ ସ୍ୱାସ୍ଥ୍ୟ, ପ୍ରକାଶ ଜାଭେଡ଼କରଙ୍କୁ ଜଙ୍ଗଲ ପରିବେଶ ଏବଂ ସୂଚନା ଓ ପ୍ରସାରଣ, ରମେଶ ପୋଖରିୟାଲ୍ ନିଶାଙ୍କଙ୍କୁ ମାନବ ସମ୍ବଳ, ଅର୍ଜୁନ ମୁଣ୍ଡାଙ୍କୁ ଆଦିବାସୀ ବ୍ୟାପାର ଏବଂ ନରେନ୍ଦ୍ର ସିଂ ତୋମାରଙ୍କୁ ଗୁରୁତ୍ୱପୂର୍ଣ୍ଣ କୃଷି ମନ୍ତ୍ରଣାଳୟ ଦାୟିତ୍ୱ ମିଳିଛି ।
ରାଷ୍ଟ୍ରମନ୍ତ୍ରୀ ପଦ ପାଇଥିବା ପ୍ରତାପ ଷଡ଼ଙ୍ଗୀଙ୍କୁ ଏମଏସଏମଇ ବିଭାଗ ସହ ପଶୁପାଳନ, ଗୋଖାଦ୍ୟ ଓ ମତ୍ସ୍ୟସମ୍ପଦ ବିଭାଗ ଦାୟିତ୍ୱ ଦିଆଯାଇଛି । ଏମଏସଏମଇ ବିଭାଗର କ୍ୟାବିନେଟ୍ ମନ୍ତ୍ରୀ ହୋଇଛନ୍ତି ନୀତିନ୍ ଗଡ଼କରୀ । ସେହିଭଳି ପଶୁପାଳନ, ଗୋଖାଦ୍ୟ ଏବଂ ମତ୍ସ୍ୟସମ୍ପଦ ବିଭାଗ କ୍ୟାବିଡ଼େଯ୍ ମନ୍ତ୍ରୀ ହୋଇଛନ୍ତି ଗିରିରାଜ ସିଂ ।