ଭୁବନେଶ୍ୱର: ଧର୍ମେନ୍ଦ୍ର ପ୍ରଧାନଙ୍କୁ ଏଥର ମିଳିଛି ଦୁଇ ଦୁଇଟି ଗୁରୁତ୍ୱପୂର୍ଣ୍ଣ ତଥା ଦୁଧିଆଳ ବିଭାଗ । ପୂର୍ବପରି ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ସହ ଇସ୍ପାତ ବିଭାଗ ପାଇଛନ୍ତି ଧର୍ମେନ୍ଦ୍ର । ବାଜପେୟୀ ସରକାରଙ୍କ ଅମଳରେ ନବୀନ ପଟ୍ଟନାୟକ ଇସ୍ପାତ ମନ୍ତ୍ରୀ ଥିଲେ । ପରବର୍ତ୍ତୀ କାଳରେ ଦିଲ୍ଲୀପ ରାୟ ଥିଲେ ଇସ୍ପାତ ମନ୍ତ୍ରୀ । ପେଟ୍ରୋଲିୟମ ଏବଂ ଇସ୍ପାତ ଭଳି ବିଭାଗର ତାତ୍ପର୍ଯ୍ୟ କ’ଣ ତାହା ସମସ୍ତଙ୍କୁ ମାଲୁମ । ଗତ ସରକାରରେ ଧର୍ମେନ୍ଦ୍ରଙ୍କ ହାତରେ ମୂଳରୁ ଥିଲା ପେଟ୍ରୋଲିୟମ୍ ବିଭାଗ । ରାଷ୍ଟ୍ରମନ୍ତ୍ରୀ ଭାବେ ସ୍ୱାଧୀନ ଦାୟିତ୍ୱରେ ଥିଲେ । ତେବେ ପରବର୍ତ୍ତୀ ସମୟରେ ତାଙ୍କୁ କ୍ୟାବିନେଟ୍ ପାହ୍ୟାକୁ ଉନ୍ନୀତ କରାଯାଇ ବିଭାଗ ଅପରିବର୍ତ୍ତିତ ରଖାଯାଇଥିଲା । ସାଙ୍ଗକୁ ଦକ୍ଷତା ବିକାଶ ମନ୍ତ୍ରଣାଳର ଅତିରିକ୍ତ ଦାୟିତ୍ୱ ବି ମିଳିଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅମିତ୍ ଶାହାଙ୍କ ବ୍ଲୁ ଆଇଡ୍ ବୟ ଭାବେ ପରିଚିତ ଧର୍ମେନ୍ଦ୍ରଙ୍କ କାର୍ଯ୍ୟଦକ୍ଷତାରେ ଉଭୟ ବେଶ୍ ଖୁସି ଥିଲେ । ତେଣୁ ମୋଦି ତାଙ୍କ ଦ୍ୱିତୀୟ ପାଳିରେ ଧର୍ମେନ୍ଦ୍ରଙ୍କ ହାତରୁ ପୁରୁଣା ବିଭାଗ କାଢ଼ି ନାହାନ୍ତି । ବରଂ ଅଧିକ ଖୁସି ହୋଇ ଇସ୍ପାତ ଭଳି ସମାନ ଗୁରୁତ୍ୱପୂର୍ଣ୍ଣ ବିଭାଗକୁ ବୋନସ୍ ଭଳିଆ ଦେଇଛନ୍ତି ।
ତେଣୁ ମୋଦିଙ୍କ ନୂଆ ଟିମ୍ ରେ ଧର୍ମେନ୍ଦ୍ର ପ୍ରଧାନ ପୂର୍ବଠାରୁ ଅଧିକ ପାୱାରଫୁଲ ହୋଇଛନ୍ତି । ଅନେକ ଦୃଷ୍ଟିରୁ ମୋଦିଙ୍କ କ୍ୟାବିନେଟ୍ ରେ ଏଥର ଅମିତ୍ ଶାହାଙ୍କ ପରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପାୱାରଫୁଲ ମନ୍ତ୍ରୀ ଭାବେ ଦିଲ୍ଲୀ ମହଲରେ ବିବେଚନା କରାଯାଉଛି । ଧର୍ମେନ୍ଦ୍ରଙ୍କ ଏଭଳି ଉତଥାନ କେନ୍ଦ୍ରରେ ତାଙ୍କର ପ୍ରବଳ ପତିଆରାର ଆଭାସ ଦେଉଥିବା ବେଳେ ଓଡ଼ିଶା ବିଜେପିରେ ନୂଆ ନୂଆ ସମୀକରଣର ଆଭାସ ଦେଉଛି । ଖାସ୍ କରି ବୈଜୟନ୍ତ ପଣ୍ଡା ଓ ଅପରାଜିତା ଷଡ଼ଙ୍ଗୀଙ୍କର ଭୂମିକାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ସେମାନଙ୍କ ତାଳମେଳ କିଭଳି ରହିବ ତାହା ଏବେ ସମସ୍ତଙ୍କ ଉତ୍କଣ୍ଠା ବଢ଼ାଇଛି ।
ଗତ ସାଢ଼େ ଚାରି ବର୍ଷ ହେଲା ଓଡ଼ିଶା ବିଜେପି କହିଲେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ହିଁ ବୁଝାଯାଉଥିଲା । ମାତ୍ର ନିର୍ବାଚନ ଅବ୍ୟବହିତ ପୂର୍ବରୁ ବିଜେପିର ରାଜନୈତିକ ଦୃଶ୍ୟପଟ ବଦଳିଥିଲା । ବୈଜୟନ୍ତ ପଣ୍ଡା ଓ ଅପରାଜିତା ଷଡ଼ଙ୍ଗୀ ଦିଲ୍ଲୀ ପତିଆରା ଧରି ଦଳରେ ଝଡ଼ ଭଳି ପ୍ରବେଶ କରିଥିଲେ । ଦଳରେ ମିଶୁ ମିଶୁ ବୈଜୟନ୍ତ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ପଦ ହାତେଇ ନେଇଥିଲେ । କେନ୍ଦ୍ରାପଡ଼ାରୁ ପ୍ରାର୍ଥୀ ହୋଇ ଶୋଚନୀୟ ପରାଜୟ ବରଣ କଲା ପରେ ବି ଦିଲ୍ଲୀ କାଟତିରେ କେନ୍ଦ୍ରରେ ମନ୍ତ୍ରୀପଦ ପାଇବାକୁ ଆଶା ରଖିଥିବା ଚର୍ଚ୍ଚା ହୋଇଥିଲା । ସେହିଭଳି ଆଇଏଏସ୍ ଚାକିରି ଛାଡ଼ି ବିଜେପି ଟିକେଟରେ ଭୁବନେଶ୍ୱରରୁ ସାଂସଦ ହୋଇଥିବା ଅପରାଜିତା ଷଡ଼ଙ୍ଗୀ ବି ମନ୍ତ୍ରୀ ଆଶାୟୀ ତାଲିକାରେ ଥିଲେ । କେନ୍ଦ୍ରମନ୍ତ୍ରୀ ହୋଇଗଲେ ଆଗାମୀ ଦିନରେ ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ହେବାର ବାଟ ସଫା ହୋଇଯିବ ବୋଲି ପୃଥକ୍ ଭାବେ ଉଭୟ ପକ୍ଷର ସମର୍ଥକମାନଙ୍କ ବିଶ୍ୱାସ ଥିଲା ।
ତେବେ ଦୁହିଁଙ୍କୁ ମନ୍ତ୍ରୀ ପଦ ତ ମିଳିଲାନି, ବରଂ ଏକାଥରକେ ଦୁଇ ଦୁଇଟି ଝଟକା ଲାଗିଛି । ପ୍ରଥମ ଝଟକା ହେଉଛନ୍ତି ପ୍ରତାପ ଷଡ଼ଙ୍ଗୀ । ବାଲେଶ୍ୱରରୁ ନିର୍ବାଚିତ ହେବା ପରେ ସୋସିଆଲ୍ ମିଡ଼ିଆ ଏବଂ ଜାତୀୟ ଗଣମାଧ୍ୟମରେ ତାଙ୍କର ନିରାଡ଼ମ୍ବର ଜୀବନ ଓ ଉଚ୍ଚ ବ୍ୟକ୍ତିତ୍ୱକୁ ନେଇ ପ୍ରବଳ ଚର୍ଚ୍ଚା ଲାଗି ରହିଛି । ସେତିକିବେଳେ ବିନା ଲବି କି ପତିଆରାରେ ପ୍ରତାପ ଷଡ଼ଙ୍ଗୀ ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ । ନିଜେ ପ୍ରଧାନମନ୍ତ୍ରୀ ତାଙ୍କୁ ପସନ୍ଦ କରିଛନ୍ତି । ତାଙ୍କୁ ଗୁରୁତ୍ୱପୂର୍ଣ୍ଣ ଏମଏସଏମଇ ବିଭାଗ ସହ ମତ୍ସ୍ୟ ଓ ପଶୁପାଳନ ବିଭାଗର ରାଷ୍ଟ୍ରମନ୍ତ୍ରୀ କରାଯାଇଛି । ପ୍ରତାପ ଷଡ଼ଙ୍ଗୀଙ୍କ ପ୍ରଶଂସାରେ ଜାତୀୟ ଗଣମାଧ୍ୟମଗୁଡ଼ିକ ଶତମୁଖର ହୋଇ ତାଙ୍କୁ ‘ଓଡ଼ିଶାର ମୋଦି’ ଭାବେ ନାମିତ କରିଛନ୍ତି । ଓଡ଼ିଶାରେ ପ୍ରଶଂସକମାନେ ବି ସେମାନଙ୍କ ପ୍ରିୟ ‘ନନା’ ଙ୍କ ପାଇଁ ଗର୍ବ କରୁଛନ୍ତି । ସୋସିଆଲ୍ ମିଡ଼ିଆରେ ତାଙ୍କୁ ଓଡ଼ିଶାର ଭାବି ମୁଖ୍ୟମନ୍ତ୍ରୀ ଭାବେ ଟ୍ରେଣ୍ଡ କରାଗଲାଣି ।
ଗୋଟିଏ ପଟେ ମୋଦି ଓ କେନ୍ଦ୍ରୀୟ ନେତୃତ୍ୱ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପରେ ଅଧିକ ଆସ୍ଥାପ୍ରକଟ କରି ତାଙ୍କୁ ଅଧିକ ଶକ୍ତିଶାଳୀ କରିଥିବା ବେଳେ ପ୍ରତାପ ଷଡ଼ଙ୍ଗୀଙ୍କୁ କେନ୍ଦ୍ରମନ୍ତ୍ରୀ ପଦ ଦେଇ ଭରସାକୁ ଆଣିଛନ୍ତି । ତେଣୁ ଉଭୟଙ୍କ ନେତୃତ୍ୱରେ ଓଡ଼ିଶା ବିଜେପିକୁ ଶକ୍ତିଶାଳୀ କରିବା ଯୋଜନା ରହିଥିବା ସ୍ପଷ୍ଟ ହେଉଛି । ଏହି ନୂଆ ସମୀକରଣରେ ବୈଜୟନ୍ତ ଓ ଅପରାଜିତାଙ୍କ ଭୂମିକାକୁ ସ୍ୱାଭାବିକ ଭାବେ ସମସ୍ତଙ୍କ ଅପେକ୍ଷା ରହିଛି ।
ଜୁଏଲ୍ ଙ୍କ ମାନଭଂଜନ କଲେ ଧର୍ମେନ୍ଦ୍ର, ପ୍ରତାପ
ମନ୍ତ୍ରୀପଦ ନ ପାଇ ନିରାଶ ହୋଇଛନ୍ତି ଜୁଏଲ୍ ଓରାମ୍ । ଗତଥର ଏକମାତ୍ର ବିଜେପି ସାଂସଦ ଭାବେ ଓଡ଼ିଶାରୁ ଯାଇ କେନ୍ଦ୍ରରେ କ୍ୟାବିନେଟ୍ ମନ୍ତ୍ରୀ ହୋଇଥିଲେ । ଏଥର ବହୁ ବ୍ୟବଧାନରେ ଜିତିଥିବାରୁ ତାଙ୍କ ନାଁ କଟିବ ନାହିଁ ବୋଲି ଦୃଢ଼ ଆଶା ରଖିଥିଲେ । ମାତ୍ର ମୋଦିଙ୍କ ଭରସା ତାଙ୍କ ଉପରୁ ତୁଟିଯାଇଛି । ମନ୍ତ୍ରୀ ନ ହେଲେ ନାଇଁ, ଉପବାଚସ୍ପତି ପଦରେ ଖୁସି ହେବାକୁ ଚାହୁଁଥିଲେ ବି ପ୍ରତିଶ୍ରୁତି ନ ମିଳିବାରୁ ତାଙ୍କ ମନ ଖରାପ ହୋଇଯାଇଛି । ଜୁଏଲ୍ ଙ୍କ ମାନଭଂଜନ ପାଇଁ ଆଜି ତାଙ୍କ ଦିଲ୍ଲୀ ବାସଭବନକୁ ଯାଇଥିଲେ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀ । ମିଠା ଖୁଆଇ ତାଙ୍କ ମାନଭଂଜନ ଭାଙ୍ଗିବାକୁ ଉଦ୍ୟମ କରିଥିଲେ । ଜୁଏଲ୍ ନିଜ କଷ୍ଟ ଚାପିବାକୁ ଚାହିଁ ବି ଚାପି ପାରି ନ ଥିଲେ ।