ଭୁବନେଶ୍ୱର: ପଞ୍ଚମ ଥର ପାଇଁ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବା ଏକ ସହଜ ବ୍ୟାପାର ନ ଥିଲା । ଯୁଦ୍ଧର ଥିଲା ଘନଘଟା । କେତେବେଳେ ନବୀନଙ୍କ ଶରୀର ଅବସ୍ଥାକୁ ନେଇ ଆକ୍ରମଣ ତ କେତେବେଳେ କିଏ ୧୯ ବର୍ଷର ହିସାବ ମାଗୁଥିଲା । ପ୍ରଧାନମନ୍ତ୍ରୀ, ବିଜେପି ସଭାପତିଙ୍କଠାରୁ ଆରମ୍ଭ କରି ୧୯ ଜଣ କେନ୍ଦ୍ରମନ୍ତ୍ରୀ ଓ ୪ ଜଣ ମୁଖ୍ୟମନ୍ତ୍ରୀ ମଧ୍ୟ ନବୀନଙ୍କ ବିରୋଧରେ ଘମାଘୋଟ ପ୍ରଚାର କରିଥିଲେ । ଏସବୁ ଝଡ଼ ନବୀନଙ୍କ ଦେହରେ ବାଜିବା ପୂର୍ବରୁ ତାହାକୁ ଅଟକାଇଥିଲେ ମାତ୍ର ଜଣିଏ ଲୋକ । ସେ ଆଉ କେହି ନୁହଁନ୍ତି । ନବୀନଙ୍କର ବ୍ୟକ୍ତିଗତ ସଚିବ ୪୫ ବର୍ଷୀୟ ଅଫିସର ଭି. କାର୍ତ୍ତିକେୟନ୍ ପାଣ୍ଡିଆନ୍ । ଏବେ ଏହି ଅଫିସରଙ୍କୁ ବୋଧହୁଏ ନବୀନ ବି ହସି ହସି ଜଣେଇଛନ୍ତି ବଧେଇ । ଯାହା ଏହି ବିରଳ ଫଟୋ ସୂଚୀତ କରୁଛି ।
ନବୀନ ପଟ୍ଟନାୟକ ଷ୍ଟେଟସମ୍ୟାନ୍ ଏବଂ ତାଙ୍କର ଦକ୍ଷ ଜେନେରାଲ ହେଉଛନ୍ତି ପାଣ୍ଡିଆନ୍ । ବିଜେଡ଼ି ନେତାମାନେ ଖୋଲାଖୋଲି ଏହା ସ୍ୱୀକାର କରିଛନ୍ତି । ପ୍ରଥମ ଥର ପାଇଁ ଦୁହିଁଙ୍କର ବିଶେଷ ମୁହୁର୍ତ୍ତର ବିରଳ ଫଟୋ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହୋଇ ପ୍ରସଙ୍ଗକୁ ଅଧିକ ଚର୍ଚ୍ଚିତ କରିଛି ।
ବସ୍ ଙ୍କ ପ୍ରତି ପ୍ରଚଣ୍ଡ ଆନୁଗତ୍ୟ, କଠୋର ନିଷ୍ଠା ଓ ପରିଶ୍ରମ ହିଁ ଆଜି ପାଣ୍ଡିଆନ୍ ଙ୍କୁ ଏହି ମର୍ଯ୍ୟାଦା ଦେଇଛି । ବିଜେଡ଼ିର କିଛି ବରିଷ୍ଠ ନେତାଙ୍କ କହିବା ଅନୁଯାୟୀ, ପାଣ୍ଡିଆନ୍ ଙ୍କ ଭଳି ଅତ୍ୟନ୍ତ ଦକ୍ଷ, ସଚ୍ଚୋଟ ଓ ବିଶ୍ୱସ୍ତ ଅଫିସର ଦେଖିନାହାନ୍ତି । ମୁଖ୍ୟମନ୍ତ୍ରୀ କିଛି କରୁନାହାନ୍ତି, ସବୁ ପାଣ୍ଡିଆନ୍ କରୁଛନ୍ତି ବୋଲି ଯେଉଁମାନେ କହୁଛନ୍ତି ତାହା ସମ୍ପୂର୍ଣ୍ଣ ଭୁଲ୍ । ରାଜ୍ୟ ଶାସନ ଓ ପ୍ରଶାସନର ଟିକନିକ କଥା ନିଜେ ମୁଖ୍ୟମନ୍ତ୍ରୀ ବୁଝନ୍ତି ଏବଂ ପାଣ୍ଡିଆନ୍ ତାଙ୍କ ନିର୍ଦ୍ଦେଶକୁ ଅତ୍ୟନ୍ତ ନିଷ୍ଠାର ସହ କାର୍ଯ୍ୟକାରୀ କରନ୍ତି । ମୁଖ୍ୟମନ୍ତ୍ରୀଙ୍କ ବିନା ଇସାରା କିମ୍ବା ସମ୍ମତିରେ ପାଣ୍ଡିଆନ୍ କୌଣସି କାର୍ଯ୍ୟ କରନ୍ତି ନାହିଁ ବୋଲି ସେମାନେ କହିଛନ୍ତି । ବଡ଼କଥା ହେଉଛି, ନବୀନଙ୍କ ବିଫଳତା ପାଇଁ ପାଣ୍ଡିଆନ୍ ପ୍ରବଳ ସମାଲୋଚନା ପାଉଥିଲେ ମଧ୍ୟ ବିଚଳିତ ହୁଅନ୍ତିନି କି ଧର୍ଯ୍ୟ ହରାନ୍ତି ନାହିଁ । ସେଥିପାଇଁ ବୋଧହୁଏ ମୁଖ୍ୟମନ୍ତ୍ରୀଙ୍କର ସେ ଅତ୍ୟନ୍ତ ବିଶ୍ୱସ୍ତ ଓ ପ୍ରିୟପାତ୍ର ହୋଇଛନ୍ତି ।
ପାଣ୍ଡିଆନ୍ ଙ୍କ ନିଷ୍ଠା ଓ କାର୍ଯ୍ୟଦକ୍ଷତା ଆଜିର ନୁହେଁ, ଆଇଏଏସ ଚାକିରି ଆରମ୍ଭ କାଳୁ ସେ ଯେଉଁଠି ରହିଛନ୍ତି ଚମତ୍କାରିତା ଦେଖାଇଛନ୍ତି । ରାଉରକେଲାରେ ଅତିରିକ୍ତ ଜିଲ୍ଲାପାଳ ଭାବେ ତାଙ୍କର କାର୍ଯ୍ୟକୁ ଆଜିଯାଏଁ ରାଉରକେଲାବାସୀ ଝୁରି ହେଉଛନ୍ତି । ଗଞ୍ଜାମରେ ଜିଲ୍ଲାପାଳ ଭାବେ କାର୍ଯ୍ୟ କରି ବିଭିନ୍ନ କ୍ଷେତ୍ରରେ ବେଶ୍ ପ୍ରଶଂସା ସାଉଁଟିଥିଲେ । ୨୦୦୮ ରେ ନରେଗାରେ ଗଂଜାମ ଜିଲ୍ଲାକୁ ଦେଶର ବେଷ୍ଟ ପରଫର୍ମିଂ ଜିଲ୍ଲାର ମାନ୍ୟତା ଆଣିଥିଲେ । ସେହି ସମୟରେ ହିଁ ତାଙ୍କର ଦକ୍ଷତା ମୁଖ୍ୟମନ୍ତ୍ରୀଙ୍କର ଦୃଷ୍ଟି ଆକର୍ଷଣ କରିଥିଲା । ୨୦୧୧ ମେ ରେ ମୁଖ୍ୟମନ୍ତ୍ରୀ ତାଙ୍କୁ ସଚିବାଳୟ ଆଣି ନିଜ ଟିମ୍ ରେ ସାମିଲ କରିଥିଲେ ।
୨୦୧୨ରେ ବିଜେଡ଼ିର ଦ୍ୱିତୀୟ କ୍ଷମତାକେନ୍ଦ୍ର ଭାବେ ପରିଚିତ ପ୍ୟାରୀମୋହନ ମହାପାତ୍ରଙ୍କ ମେ ୨୯ ମିଡ଼ନାଇଟ୍ ଅପରେସନ୍ ଚାଲିଥିବା ବେଳେ ପାଣ୍ଡିଆନ୍ ତାଙ୍କ ଘରେ ନିଜର ୩୮ତମ ଜନ୍ମଦିନ ପାଳନ କରୁଥିଲେ । ବିଜେଡ଼ିରୁ ପ୍ୟାରୀଙ୍କ ବିଲୀନ ପରେ ମୁଖ୍ୟମନ୍ତ୍ରୀ ତାଙ୍କର ଏହି ବ୍ୟକ୍ତିଗତ ସଚିବଙ୍କୁ ଧରି ଆଗକୁ ବଢ଼ିଥିଲେ । ୨୦୧୪ ନିର୍ବାଚନରେ ବିପୁଳ ସଫଳତା ଗୋଟାଇବା ପରେ ୨୦୧୯ ନିର୍ବାଚନରେ ବି ପଛକୁ ଫେରିନାହାନ୍ତି ସେ ।
କାମରେ ଦକ୍ଷ, କଠୋର ଏବଂ ବିଚକ୍ଷଣ ଏହି ଯୁବ ଅଫିସରଙ୍କ ଜୀବନଶୈଳୀ ବେଶ୍ ସାଧାସିଧା । ଅତ୍ୟନ୍ତ ଭଦ୍ର, ନମ୍ର ଓ ମିଷ୍ଟଭାଷୀ ଆଚରଣ । ସର୍ବସାଧାରଣରେ ତାଙ୍କୁ କ୍ୱଚିତ ଦେଖିବାକୁ ମିଳିଥାଏ । ପାଣ୍ଡିଆନ୍ ଙ୍କ ସଂସ୍ପର୍ଶରେ ଆସିଥିବା ନେତା ଓ ଅଫିସରଙ୍କ କହିବାନୁଯାୟୀ, ଏଭଳି ନିଷ୍ଠାବାନ ଓ ପରିଶ୍ରମୀ ଅଫିସର କମ ଦେଖିବାକୁ ମିଳନ୍ତି । ପ୍ରତିଦିନ ଭୋର ସାଢ଼େ ଚାରିଟାରୁ ଉଠି ଅଧଘଣ୍ଟା ଯୋଗ କଲା ପରେ ଅଫିସ କାମ ଆରମ୍ଭ କରିଦିଅନ୍ତି । ପରଦିନ ପାଇଁ ମୁଖ୍ୟମନ୍ତ୍ରୀଙ୍କର ସମସ୍ତ କାର୍ଯ୍ୟକ୍ରମର ପ୍ରସ୍ତୁତି କରନ୍ତି । ସକାଳ ୭ଟାରେ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ବ୍ରିଫ୍ କରି ତାଙ୍କର ପରାମର୍ଶ ନିଅନ୍ତି । ତା ପରେ ସଚିବାଳୟ ଯାଇ କାମ ଆରମ୍ଭ କରିଦିଅନ୍ତି । ସଂଧ୍ୟାରେ ବି ନବୀନ ନିବାସ ଯାଇ ଦିନଯାକର କାର୍ଯ୍ୟର ରିପୋର୍ଟ କରନ୍ତି ମୁଖ୍ୟମନ୍ତ୍ରୀଙ୍କୁ । ଜରୁରୀ ସମୟରେ ସେ ରାତିଦିନ ଏକ କରିଦିଅନ୍ତି । ରାତିରେ ନିଜେ ଶୁଅନ୍ତିନି କି ସହଯୋଗୀମାନଙ୍କୁ ଶୁଆଇ ଦିଅନ୍ତିନି । ମୁଖ୍ୟମନ୍ତ୍ରୀ ଦେଇଥିବା କାମକୁ ଶେଷ ନ କଲା ପର୍ଯ୍ୟନ୍ତ ବିଶ୍ରାମ ନିଅନ୍ତିନି ।
ପାଣ୍ଡିଆନ୍ ଙ୍କର ଏହି ନିଷ୍ଠା ଓ ପରିଶ୍ରମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଖାଲି ସହାୟ ହୋଇନି ବରଂ ତାଙ୍କୁ ସଫଳତାର ଶୀର୍ଷରେ ଅତୁଟ ରଖିପାରିଛି । ଏବେ ବିଜେଡ଼ିର ନେତାମାନେ ଏହାକୁ ଖୋଲାଖୋଲି ସ୍ୱୀକାର କରିବା ସହ ପାଣ୍ଡିଆନ୍ ଙ୍କୁ ମୁଖ୍ୟମନ୍ତ୍ରୀଙ୍କର ଦକ୍ଷ ଜେନେରାଲ୍ ଭାବେ ଅଭିହିତ କରିଛନ୍ତି । ପ୍ରଚାରଠାରୁ ନିଜକୁ ଦୂରେଇ ରଖୁଥିବା ପାଣ୍ଡିଆନ୍ ଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସହ ବିରଳ ଫଟୋଫ୍ରେମ୍ ରେ ଦେଖି ସୋସିଆଲ୍ ମିଡ଼ିଆରେ ଅନେକ ଚର୍ଚ୍ଚା ।
Superb work by Pandiyan Sir.