ଭୁବନେଶ୍ୱର: ଷୋଡ଼ଶ ବିଧାନସଭାର ବାଚସ୍ପତି ହେଲେ ସୂର୍ଯ୍ୟ ନାରାୟଣ ପାତ୍ର । ଆଜି ବିଧାନସଭାରେ ତାଙ୍କୁ ସର୍ବସମ୍ମତି କ୍ରମେ ବାଚସ୍ପତି ନିର୍ବାଚିତ କରାଯାଇଛି । ଏଥିସହ ୨୨ ତମ ବାଚସ୍ପତି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଶ୍ରୀ ପାତ୍ର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, କଂଗ୍ରେସ ବିଧାୟକ ନରସିଂହ ମିଶ୍ର ପ୍ରମୁଖ ତାଙ୍କୁ ସ୍ୱାଗତ ଜଣାଇ ବାଚସ୍ପତି ଆସନ ପର୍ଯ୍ୟନ୍ତ ପାଛୋଟି ନେଇଥିଲେ ।
ଆଜି ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ଗୃହର ନେତା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାଚସ୍ପତି ଚୟନ ନେଇ ପ୍ରସ୍ତାବ ଆଗତ କରିଥିଲେ । ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ ଆରୁଖ ପ୍ରସ୍ତାବକୁ ସମର୍ଥନ କରିଥିଲେ । ପରେ ବାଚନିକ ଭୋଟରେ ଶ୍ରୀ ପାତ୍ରଙ୍କୁ ନିର୍ବାଚିତ ଘୋଷଣା କରାଯାଇଥିଲା । ବାଚସ୍ପତି ଭାବେ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ନାଁକୁ ନେଇ ଗତକାଲିଠାରୁ ଔପଚାରିକତା ଶେଷ ହୋଇଥିଲା । ବିଜେପି କିମ୍ବା କଂଗ୍ରେସ ପକ୍ଷରୁ ଏହି ପଦ ପାଇଁ କାହାରି ନାମ ଦିଆଯାଇ ନ ଥିଲା । ତେବେ ଆଜି ବାଚସ୍ପତି ନିର୍ବାଚନ ବେଳେ ଗୃହରେ ବିଜେପି ବିଧାୟକମାନେ ଅନୁପସ୍ଥିତ ଥିଲେ ।
୭ ଥରର ବିଧାୟକ ସୂର୍ଯ୍ୟନାରାୟଣ ପାତ୍ର ଦିଗପହଣ୍ଡି ବିଧାନସଭାସଭା ଆସନରୁ ବିଜେଡ଼ି ପ୍ରାର୍ଥୀ ଭାବେ ନିର୍ବାଚିତ ହୋଇଛନ୍ତି । ମୋହନାରୁ ସେ ଚାରି ଥର ବିଧାନସଭାକୁ ନିର୍ବାଚିତ ହୋଇଥିବା ବେଳେ ଦିଗପହଣ୍ଡିରୁ ଏଥରକୁ ମିଶାଇ ତିନି ଥର ନିର୍ବାଚିତ ହେଲେଣି । ବିଜେଡ଼ି ସରକାରରେ ସେ ଅନେକବାର ମନ୍ତ୍ରୀ ହୋଇ ଗୁରୁତ୍ୱପୂର୍ଣ୍ଣ ବିଭାଗ ସମ୍ଭାଳିଛନ୍ତି । ଗଲା ମନ୍ତ୍ରୀମଣ୍ଡଳରେ ସେ ଖାଦ୍ୟ ଯୋଗାଣ ଓ ଖାଉଟୀ କଲ୍ୟାଣ ବିଭାଗର ମନ୍ତ୍ରୀ ଥିଲେ ।