ଭୁବନେଶ୍ୱର: ଏଭରେଷ୍ଟ ଆରୋହଣରୁ ଫେରିଲା ବେଳେ ଜୀବନ ହାରିଥିବା କଳ୍ପନା ଦାସଙ୍କ ମରଶରୀର ଆଜି ଜନ୍ମମାଟିକୁ ଅଣାଯାଇଛି । ଦିଲ୍ଲୀରୁ ବିମାନ ଯୋଗେ ମରଶରୀର ସକାଳ ପ୍ରାୟ ୧୦ ଟା ବେଳେ ଭୁବନେଶ୍ୱରରେ ବିମାନ ବନ୍ଦରରେ ପହଞ୍ଚିଥିଲା । କଳ୍ପନାଙ୍କ ପରିବାର ସମେତ ତାଙ୍କୁ ଭଲ ପାଉଥିବା ଶହ ଶହ ଲୋକ ସେଠାରେ ଅପେକ୍ଷା କରି ରହିଥିଲେ । ସେଠାରୁ ପାର୍ଥିବ ଶରୀର କଳିଷ୍ଟ ଷ୍ଟାଡ଼ିୟମ୍ କୁ ଅଣାଯାଇ ସାଧାରଣ ଜନତାଙ୍କ ଅନ୍ତିମ ଦର୍ଶନ ପାଇଁ ଘଣ୍ଟାଏ କାଳ ରଖାଯାଇଥିଲା ।
ରାଜ୍ୟ ସରକାରଙ୍କ ପକ୍ଷରୁ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା, ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ଟୁକୁନି ସାହୁ, କ୍ରୀଡ଼ା ସଚିବ, ଅନ୍ୟାନ୍ୟ ଅଧିକାରୀ, ବହୁ ବିଶିଷ୍ଟ ଲୋକ, କ୍ରୀଡ଼ାପ୍ରେମୀ, ଶହ ଶହ ଶୁଭେଚ୍ଛୁ କଳ୍ପନାଙ୍କୁ ଅନ୍ତିମ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଦିନ ୧୧.୧୦ ବେଳକୁ କଳିଙ୍ଗ ଷ୍ଟାଡିୟମ୍ ରୁ ପାର୍ଥିବ ଶରୀରକୁ ଏକ ସୁସଜ୍ଜିତ ଗାଡ଼ିରେ କଳ୍ପନାଙ୍କ ଜନ୍ମମାଟି ଢ଼େଙ୍କାନାଳ ନିଆଯାଇଛି । ଢ଼େଙ୍କାନାଳ ସହର ପରିକ୍ରମା କରାଯାଇ କିଛି ସମୟ ସାଧାରଣ ଲୋକଙ୍କ ଅନ୍ତିମ ଦର୍ଶନ ନିମନ୍ତେ ରଖାଯିବ । ପରେ ତାଙ୍କ ଘର ଦେଇ ପୁରୀ ସ୍ୱର୍ଗଦ୍ୱାରରେ ଅନ୍ତିମ ସଂସ୍କାର କରାଯିବ ।
ଓଡ଼ିଶାର ଏଇ ପ୍ରଥମ ମହିଳା ଏଭରେଷ୍ଟ ଆରୋହଣକାରୀଙ୍କର ଗତ ୨୩ ତାରିଖରେ ମୃତ୍ୟୁ ହୋଇଥିଲା । ଏଭରେଷ୍ଟରେ ସବମିଟ୍ ହୋଇ ଫେରୁଥିବା ବେଳେ ବାଟରେ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା । କଳ୍ପନାଙ୍କ ଶବକୁ ଓଡ଼ିଶା ଫେରାଇ ଆଣିବାକୁ ତାଙ୍କ ଭାଇଙ୍କ ସମେତ ୩ ଜଣ କାଠମାଣ୍ଡୁ ଯାଇଥିଲେ । ଆବଶ୍ୟକ କସରତ୍ ସାରି ଶବ ଫେରି ପାଇବାକୁ ସମୟ ଲାଗିଥିଲା । ଶନିବାର ସଂଧ୍ୟାରେ ମରଶରୀର କାଠମାଣ୍ଡୁରୁ ଦିଲ୍ଲୀ ଅଣାଗଲା । ସେଠାରୁ ସିଧା ଭୁବନେଶ୍ୱର ଆଣିବାକୁ ଥିବା ବେଳେ ବିଳମ୍ବ ଯୋଗୁଁ ଦିଲ୍ଲୀ ଭୁବନେଶ୍ୱର ବିମାନ ହାତଛଡ଼ା ହୋଇଥିଲା । ତେଣୁ ରବିବାର ସକାଳ ବିମାନ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିଥିଲା ।
ଏଭରେଷ୍ଟ ଆରୋହଣର ସଫଳତା ବାଣ୍ଟିବାକୁ ଦୁନିଆରେ ନ ଥିବା କଳ୍ପନାଙ୍କ ମୃତୁ୍ୟରେ ଲକ୍ଷ ଲକ୍ଷ ଓଡ଼ିଆ ମର୍ମାହତ ହୋଇଛନ୍ତି । ଓଡ଼ିଶାର ଗୌରବ ବଢ଼ାଇଥିବା ଏହି ଦୁଃସାହାସୀ ମହିଳାଙ୍କର ସବୁଆଡ଼େ ସ୍ମୃତିଗାନ ହେବା ସହ ତାଙ୍କୁ ମରଣୋତ୍ତର ଭାବେ ପଦ୍ମଶ୍ରୀ ସମ୍ମାନରେ ଭୂଷିତ କରିବାକୁ କଳ୍ପନା ପ୍ରେମୀମାନେ ଦାବି କରିଛନ୍ତି ।