ଭୁବନେଶ୍ୱର: ୨୦ ବର୍ଷ ଧରି ବିଜେଡ଼ିର ଅଭେଦ୍ୟ ଗଡ଼ ରହିଥିବା ଓଡ଼ିଶାକୁ ବିଜେପି ଅଭେଦ୍ୟ ଗଡ଼ କରିବ । ମୋଦିଙ୍କ ନେତୃତ୍ୱରେ ବିକାଶଶୀଳ ରାଜ୍ୟ ହେବ ଓଡ଼ିଶା । ବର୍ଷକର ନିରବତା ପରେ ଆଜି ଦିଲ୍ଲୀରୁ ଭର୍ଚୁଆଲ୍ ରାଲି ଜରିଆରେ ଏହି ସନ୍ଦେଶ ଦେଇଛନ୍ତି ବିଜେପି ହାଇକମାଣ୍ଡ ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା । ପୂର୍ବ ଭାରତରେ ଓଡ଼ିଶା ହିଁ ଦଳର ଫୋକସ୍ । ତେଣୁ ବିଜେପିକୁ ଏଠାରେ ଅଭେଦ୍ୟ ଗଡ଼ କରିବାର ସ୍ୱପ୍ନକୁ ସାକାର କରାଯିବ ବୋଲି ଶାହା ତାଙ୍କ ବାର୍ତ୍ତାରେ ଜଣାଇଛନ୍ତି ।
ରୋଚକ କଥା ହେଉଛି, ଦୁଇ ଦଶନ୍ଧୀର ବିଜେଡ଼ି ଗଡ଼କୁ ଭାଙ୍ଗିବାର ସଂକଳ୍ପ ଦେଖାଇଥିବା ଅମିତ୍ ଶାହା ବିଜେଡ଼ି ସରକାରଙ୍କ ବିରୋଧରେ କିନ୍ତୁ ପାଟି ଖୋଲିନାହାନ୍ତି । ବରଂ ଓଡ଼ିଶାରେ ସମ୍ପୂର୍ଣ୍ଣ ଦୁର୍ବଳ ସ୍ଥିତିରେ ଥିବା କଂଗ୍ରେସକୁ ଶାହା ଟାର୍ଗେଟ୍ କରିଛନ୍ତି । ମୁଖ୍ୟ ଶତ୍ରୁକୁ ନଜର ଅନ୍ଦାଜ କରି ଓଡ଼ିଶାକୁ ବିଜେପିର ଅଭେଦ୍ୟ ଗଡ଼ କେମିତି କରାଯିବ ସେହି ଅଙ୍କ ଦଳୀୟ ନେତା ଓ କର୍ମୀଙ୍କୁ ବାଉଳା କରିଛି ।
ସ୍ମରଣଥାଉକି, ଗତ ସାଧାରଣ ନିର୍ବାଚନର ଢ଼େର୍ ପୂର୍ବରୁ ଓଡ଼ିଶା ହୋଇଥିଲା ବିଜେପିର ଫୋକସ୍ ପଏଣ୍ଟ । ଓଡ଼ିଶାରେ କ୍ଷମତା ଦଖଲର ବ୍ଲୁ ପ୍ରିଣ୍ଟ୍ ଧରି ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ଅମିତ୍ ଶାହା ବାରମ୍ବାର ଓଡ଼ିଶା ଆସୁଥିଲେ । ନବୀନ ପଟ୍ଟନାୟକ ପୋଡା ଟ୍ରାନସଫରମର୍ । ତାଙ୍କୁ ବଙ୍ଗୋପସାଗରରେ ଫିଙ୍ଗିଦିଅ । ଓଡ଼ିଶାରେ ବିଜେପିକୁ କ୍ଷମତା ଦଖଲରୁ କେହି ଏଥର ଅଟକାଇପାରିବେ ନାହିଁ । ଏଭଳି ଗରମାଗରମ ଭାଷଣ ଦେଇ ବିଜେପି କର୍ମୀଙ୍କ ମନୋବଳ ବଢ଼ାଇବାକୁ ଉଦ୍ୟମ କରିଥିଲେ । ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଓଡ଼ିଶାକୁ ବହୁବାର ନିର୍ବାଚନ ପ୍ରଚାରରେ ଆସିଥିଲେ । ବିଜେଡ଼ିର କୁଶାସନ ଏବଂ ରାଜ୍ୟର ବିକାଶ ଥିଲା ମୁଦ୍ଦା । ତେବେ କ୍ଷମତା ଦଖଲର ଉଦ୍ୟମରେ ଫେଲ୍ ହେଲେ ମୋଦି ଏବଂ ଶାହା ।
ରାଜ୍ୟରେ ପଞ୍ଚମ ଥର କ୍ଷମତାକୁ ଆସିଥିବା ନବୀନ ପଟ୍ଟନାୟକ ଏବଂ କେନ୍ଦ୍ରରେ ଦ୍ୱିତୀୟ ଥର କ୍ଷମତାକୁ ଆସିଥିବା ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ଇତିମଧ୍ୟରେ ସମ୍ପର୍କ ନିବିଡ଼ ହୋଇଯାଇଛି । ନିର୍ବାଚନ ପରଠାରୁ ଉଭୟ ମିଳିମିଶି ଚଳୁଛନ୍ତି । କେନ୍ଦ୍ର-ରାଜ୍ୟ ସହଯୋଗ ଆଳରେ କେହି କାହା ବିରୋଧରେ ପାଟି ଖୋଲୁନାହାନ୍ତି । ବିଜେଡ଼ି ଓ ବିଜେପି ମଧ୍ୟରେ ଉତ୍ତମ ବୁଝାମଣା ଆଉ ଅଭିଯୋଗରେ ସୀମିତ ନାହିଁ । ଏହା କାର୍ଯ୍ୟରେ ପ୍ରତିଫଳିତ ହେଉଛି । ସରକାରୀସ୍ତରରେ ଉଭୟ ଉଭୟଙ୍କୁ ପ୍ରଶଂସାରେ ମାତିଛନ୍ତି । ଏହିଭଳି ସମୟରେ ଓଡ଼ିଶାକୁ ବିଜେପିର ଅଭେଦ୍ୟ ଦୁର୍ଗ ଭାବେ ଗଢ଼ି ତୋଳିବାର ଅମିତ୍ ଶାହାଙ୍କ ସଂକଳ୍ପ ରାଜ୍ୟବାସୀଙ୍କୁ କୌତୁହଳରେ ପକାଇଛି ।
ଅମିତ୍ ଶାହା ତାଙ୍କ ଭାଷଣରେ କେନ୍ଦ୍ରରେ କଂଗ୍ରେସ ଓ ବିଜେପି ସରକାରର ଓଡ଼ିଶାକୁ ଅବଦାନର ତୁଳନାତ୍ମକ ଚିତ୍ର ଦେଇ କଂଗ୍ରେସକୁ ତୀର ଦେଖାଇଛନ୍ତି । ଶାହା କହିଛନ୍ତି, ଆପଣମାନେ ୭୦ ବର୍ଷରେ କ’ଣ କରିଛନ୍ତି ହିସାବ ଦିଅନ୍ତୁ । ଓଡ଼ିଶାବାସୀଙ୍କ ପାଇଁ ମୋଦି ସରକାର ଅନେକ କିଛି କାମ କରିଛନ୍ତି । ନିକଟରେ ଘୋଷିତ ସ୍ୱତନ୍ତ୍ର ପ୍ୟାକେଜରେ ଓଡ଼ିଶା ବହୁତ ଫାଇଦା ପାଇବ । ପାଇକ ସ୍ମାରକୀ ବିକାଶ ପାଇଁ ୧୦୦ କୋଟି ଟଙ୍କା ଦିଆଯାଇଛି । କୃଷକଙ୍କୁ ସର୍ବାଧିକ ଲାଭ ଦେବାକୁ ଫସଲ ଏମଏସପି ବୃଦ୍ଧି କରାଯାଇଛି । ଓଡ଼ିଶାର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ମୋଦି ପ୍ରତିଶ୍ରୁତିବଦ୍ଧ ।
ଓଡ଼ିଶା ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ପ୍ରଶଂସା କରି ଶାହା କହିଛନ୍ତି, ଓଡ଼ିଶାରେ ସଂଗଠନକୁ ଆହୁରି ମଜବୁତ କରିବାକୁ ପଡ଼ିବ । ଓଡ଼ିଶାକୁ ବିଜେପିର ଅଭେଦ୍ୟ ଗଡ଼ ଭାବେ ବନାଇବାକୁ ପଡ଼ିବ । ଏଥିପାଇଁ ସବୁ ବିଜେପି କାର୍ଯ୍ୟକର୍ତ୍ତା ଆଗେଇ ଆସନ୍ତୁ ।
ଲୋକସଭା ନିର୍ବାଚନରେ ଓଡ଼ିଶାବାସୀ ମୋଦିଙ୍କ ହାତ ମଜବୁତ କରିଛନ୍ତି । ଓଡ଼ିଶା ୩୮.୪% ଭୋଟ ଏବଂ ୮ଟି ଲୋକସଭା ସିଟ୍ ଦେଇଛି । ୯୧ ଲକ୍ଷରୁ ଅଧିକ ଲୋକ ମୋଦିଙ୍କୁ ଆଶିର୍ବାଦ ଦେଇଛନ୍ତି । ଓଡ଼ିଶାକୁ ବିକଶିତ ରାଜ୍ୟ କରିବା ଆମର ପ୍ରତିଶ୍ରୁତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯାହା କହନ୍ତି, ସେୟା କରନ୍ତି ବୋଲି ଶାହା କହିଥିଲେ ।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ, ବଦଳି ଯାଇଥିବା ବିଶ୍ୱରେ ଭାରତବର୍ଷ ଏକ ନୂଆ ଆତ୍ମବିଶ୍ୱାସର ସହ ଆଗକୁ ଯାଉଛି । ମୋଦିଙ୍କ ନେତୃତ୍ୱରେ ଭାରତ ଦ୍ରୁତ ବିକାଶର ରାସ୍ତା ଧରିଛି । ପୂର୍ବ ଭାରତର ବିକାଶ ନ ହେଲା ପର୍ଯ୍ୟନ୍ତ ଭାରତବର୍ଷର ସାମୁହିକ ବିକାଶ ହୋଇଛି କହିବା ଭୁଲ୍ ହେବ । ପ୍ରଧାନମନ୍ତ୍ରୀ ଆଜି ପୂର୍ବ ଭାରତର ବିକାଶ ପାଇଁ ପ୍ରତିଶ୍ରୁତିବଦ୍ଧ । ମୋଦିଙ୍କ ପ୍ରତି ଓଡ଼ିଶାବାସୀଙ୍କ ଆର୍ଶିବାଦ ସବୁବେଳେ ରହିଛି । ବର୍ଷୱାରୀ ହିସାବ ଦେବାକୁ ମୋଦି ଯେଉଁ ପ୍ରତିଶ୍ରୁତି ଦେଇଥିଲେ ଆଜି ଅମିତ୍ ଶାହା ସେହି ହିସାବ ଦେବାକୁ ଆସିଛନ୍ତି ।