ଭୁୁବନେଶ୍ୱର: କୋଭିଡ୍ ନିୟମ ଉଲ୍ଲଂଘନ କରିବାର ପୁଣି ଅଭିଯୋଗ ଆସିଛି ଭୁବନେଶ୍ୱର ସାଂସଦ ଅପରାଜତା ଷଡ଼ଙ୍ଗୀଙ୍କ ନାଁରେ । ହଂସପାଳ ଫ୍ଲାଏ ଓଭର୍ ଶିଳାନ୍ୟାସ କରିବାକୁ ଯାଇ ସାମାଜିକ ଦୂରତା ଭାଙ୍ଗିଛନ୍ତି । ଶିଳାନ୍ୟାସ ଉତ୍ସବର ଚିତ୍ର ସବୁ କ୍ୟାମେରାରେ କଏଦ ହୋଇଛି । ନିଜେ ସାଂସଦ ତାଙ୍କ ଟ୍ୱିଟର୍ ରେ ଫଟୋ ସେୟାର କରିଛନ୍ତି । ତେଣୁ ତାହା ଅଭିଯୋଗରେ ସୀମିତ ନାହିଁ । ସାଂସଦ ସାମାଜିକ ଦୂରତାର ଖୋଲା ଉଲ୍ଲଂଘନ କରିଛନ୍ତି, ତାହା ସ୍ପଷ୍ଟ ।
ସକାଳେ ସାଂସଦଙ୍କର ଏହି କୋଭିଡ୍ ନିୟମ ଉଲ୍ଲଂଘନ କାର୍ଯ୍ୟକୁ ନେଇ ଗଣମାଧ୍ୟମରେ ଚର୍ଚ୍ଚା ହେଲା । ବିଜେଡ଼ି ଅଭିଯୋଗ ଆଣିଲା । ସାଂସଦ ସଫେଇ ଦେଲେ, ସେ ନିୟମ ବହିର୍ଭୂତ କାର୍ଯ୍ୟ କରିନାହାନ୍ତି । କୋଭିଡ୍ ନୀତି ନିୟମ ଭିତରେ କାର୍ଯ୍ୟ କରିଛନ୍ତି । ସାଂସଦ କହିଛନ୍ତି, ସେଦିନ ଜଗନ୍ନାଥ ପ୍ରଧାନଙ୍କ ଘରକୁ ବିଶେଷ ପରିସ୍ଥିତିରେ ପଳାଇଥିଲି । ସେଥିପାଇଁ ସ୍ୱେଚ୍ଛାକୃତ ଭାବେ ଫାଇନ୍ ଦେଇଛି । ଆଜି ସବୁ ନୀତି ନିୟମ ଆପଣେଇଥିଲି ।
ସାଂସଦଙ୍କର ଏହି ସଫେଇ ଅନ୍ଧକୁ ଦର୍ପଣ ବିକିଲା ଭଳି କଥା । ଲୋକ ସବୁ ଦେଖୁଥିଲେ ମଧ୍ୟ ସାଂସଦ ଗୋଟିଏ ପଦରେ ଟାଳି ଦେଇଛନ୍ତି । ନେତାମାନଙ୍କର ଏଭଳି ଆଚରଣ ବିଚତ୍ର ନହେଲେ ମଧ୍ୟ ଅପରାଜିତା ଷଡ଼ଙ୍ଗୀଙ୍କଠାରୁ ଏହା ଆଶା କରାଯାଏନି ବୋଲି ତାଙ୍କୁ ରିଟୁଇଟ୍ କରି ଅନେକ ବ୍ୟକ୍ତି ଉଦବେଗ ଜଣାଇଛନ୍ତି । ୨୫ ବର୍ଷ ଆଇଏଏସ୍ ଚାକିରି କରିଥିବା ଅପରାଜିତା ଯେଉଁ ପ୍ରଧାନମନ୍ତ୍ରୀଙ୍କୁ ଆଦର୍ଶ କରି ରାଜନୀତିକୁ ଆସିଛନ୍ତି ତାଙ୍କଠାରୁ ଆଗ ଶୃଙ୍ଖଳା ଶିଖନ୍ତୁ ବୋଲି କିଛି ଶୁଭେଚ୍ଛୁ ପରାମର୍ଶ ଦେଇଛନ୍ତି ।
ରାଜ୍ୟରେ କରୋନା ସଂକ୍ରମଣ ବଢ଼ି ଚାଲିଥିବା ବେଳେ ସାଂସଦଙ୍କର ପ୍ରଥମ ଦାୟିତ୍ୱ କୋଭିଡ୍ ନିୟମକୁ ଠିକ୍ ଭାବେ ପାଳନ କରିବାକୁ ଲୋକମାନଙ୍କୁ ସଚେତନ କରାଇବା । ମାତ୍ର ଲୋକ ସଚେତନ ହୋଇଥିବା ବେଳେ ଓଲଟି ସାଂସଦ ସେମାନଙ୍କୁ ସାମାଜିକ ଦୂରତା ନିୟମ ଭାଙ୍ଗିବାକୁ ଉସକୋଉଛନ୍ତି କହିଲେ ଭୁଲ୍ ହେବନି । ମିଡ଼ିଆରେ ଚର୍ଚ୍ଚାରେ ରହିବା ପାଇଁ ସାଂସଦ ଜାଣିଶୁଣି ଏଭଳି ଆଚରଣ କରୁଛନ୍ତି ବୋଲି କୁହାଗଲାଣି ।
ଲକ୍ ଡାଉନ୍ ରେ ଦିଲ୍ଲୀରେ ରହିଯାଇଥିବା ସାଂସଦ ଅପରାଜିତା ଭୁବନେଶ୍ୱର ଫେରିଲା ପରଠୁ ବାରମ୍ବାର କୋଭିଡ୍ ନିୟମ ଭାଙ୍ଗି ଚାଲିଥିବାର ଦେଖିବାକୁ ମିଳୁଛି । ଲୋକମାନେ ଯଥେଷ୍ଟ ସଚେତନ ଥିବା ବେଳେ ସାଂସଦଙ୍କର ଏଭଳି ମତିଗତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି । ମିଡ଼ିଆରେ ଚର୍ଚ୍ଚାରେ ରହିବା ପାଇଁ ଅନେକ ଇସ୍ୟୁ ଅଛି । ପବ୍ଲିସିଟି ଷ୍ଟଣ୍ଟ ପାଇଁ ସାଂସଦ ଲୋକଙ୍କ ଜୀବନ ସହ ଖେଳ ଖେଳୁଥିଲେ ଏହାଠାରୁ ବଳି ଅଧିକ ସାଂଘାତିକ କିଛି ହୋଇ ନ ପାରେ ବୋଲି କୁହାଯାଉଛି ।
ସାଂସଦଙ୍କର ଏଭଳି ଅମାନିଆ ଆଚରଣ ସମ୍ପର୍କରେ ‘ମିଡ଼ ଡ଼େ ଓଡ଼ିଶା’ ପୂର୍ବରୁ ଲେଖିଥିଲା । ପାଠକଙ୍କୁ ମନେ ପକାଇ ଦେବା ପାଇଁ ଆମେ ତାହାର ଲିଙ୍କ୍ ଏଠାରେ ଦେଉଛୁ ।
ଲୋକଙ୍କ ଜୀବନ ସାଙ୍ଗରେ ଖେଳନ୍ତୁନି ମ୍ୟାଡାମ୍ !