କଟକ: ଲକ୍ ଡାଉନ୍ ରେ ଅଟକି ଯାଇଥିବା କଟକ ଏସସିବି ମେଡ଼ିକାଲ୍ କଲେଜ ଏବଂ ହସ୍ପିଟାଲ୍ ଓ ତାଳଦଣ୍ଡା କେନାଲ୍ ରୋଡ୍ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ବ୍ଲୁ ପ୍ରିଣ୍ଟ୍ ପ୍ରସ୍ତୁତ ହୋଇଛି । ଆଜି କଟକ ସ୍ପେଶାଲ୍ ସର୍କିଟ୍ ହାଉସ୍ ଠାରେ ପୂର୍ତ୍ତ ସଚିବ ଡକ୍ଟର କ୍ରିଷନ୍ କୁମାର ଏକ ଉଚ୍ଚସ୍ତରୀୟ ବୈଠକରେ ଏହାର ପୁଙ୍ଖାନୁପୁଙ୍ଖ ଆଲୋଚନା କରି ବକେୟା ପ୍ରାଥମିକ କାର୍ଯ୍ୟକୁ ତୁରନ୍ତ ଶେଷ କରିବା ପାଇଁ ସମୟସୀମା ଧାର୍ଯ୍ୟ କରିଛନ୍ତି ।
ଏସସିବି ମେଡ଼ିକାଲ୍ କଲେଜ ଏବଂ ହସ୍ପିଟାଲ୍
୧- ଏସସିବି ପରିସରରେ ଥିବା ଜଳସେଚନ ଏବଂ ମତ୍ସ୍ୟ ବିଭାଗର ଅଫିସ ଏବଂ ଆବାସିକ କ୍ୱାଟର୍ସ ଗୁଡ଼ିକୁ ଚଳିତ ମାସ ଶେଷ ସୁଦ୍ଧା ସ୍ଥାନାନ୍ତର କରାଯିବ । ଏ ସମ୍ପର୍କିତ ବିବାଦଗୁଡ଼ିକର ସମାଧାନ ପାଇଁ କେନ୍ଦ୍ରାଞ୍ଚଳ ଆରଡ଼ିସିଙ୍କୁ ଦାୟିତ୍ୱ ଦିଆଯାଇଛି ।
୨- ସୁଇପର୍ ଏବଂ ବେହେରା ସାହି କଲୋନୀବାସିନ୍ଦାଙ୍କୁ ନିକଟସ୍ଥ ସରକାରୀ ଜାଗାରେ ଥଇଥାନ କରାଯିବ ।
୩- ୫ଟି ଘରୋଇ ପ୍ଲଟ୍ ଅଧିଗ୍ରହଣ ପ୍ରସ୍ତାବକୁ ସ୍ୱାସ୍ଥ୍ୟ ବିଭାଗକୁ ପଠାଯାଇ ପ୍ରକଳ୍ପ ଖର୍ଚ୍ଚର ତୁରନ୍ତ ମଂଜୁର ଅଣାଯିବ ।
ତାଳଦଣ୍ଡା କେନାଲ୍ ରୋଡ୍
୧- ତାଳଦଣ୍ଡା କେନାଲ୍ ର ଡାହାଣ ପାଶ୍ୱର୍ରେ ଥିବା ବିଦୁ୍ୟତ ସରଞ୍ଜାମଗୁଡ଼ିକୁ ତୁରନ୍ତ ସ୍ଥାନାନ୍ତର କରାଯିବ ।
୨- ତାଳଦଣ୍ଡା ଆରଏଚଏସ୍ ରେ ଆସୁଥିବା ଏସସିବି ମେଡିକାଲ୍ କଲେଜ ଓ ହସ୍ପିଟାଲ୍ ର ପାଚେରୀର ସ୍ଥାନାନ୍ତର କାର୍ଯ୍ୟରେ ଥିବା ସମସ୍ୟାକୁ ଜୁନ୍ ୧୫ ସୁଦ୍ଧା ସମାଧାନ କରାଯିବ । ଏଥିପାଇଁ ଜିଲ୍ଲାପାଳଙ୍କୁ ଦାୟିତ୍ୱ ଦିଆଯାଇଛି ।
୩- ତାଳଦଣ୍ଡା ପରିସୀମାରେ ଥିବା ସମସ୍ତ ଜବରଦଖଲକୁ ତୁରନ୍ତ ଉଚ୍ଛେଦ କରାଯିବ ।
୪- ଡିଟିଇଟି ବିଲଡିଂ ଭଙ୍ଗା କାର୍ଯ୍ୟ ଜୁନ୍ ୧୫ ସୁଦ୍ଧା ସରିବ । ଅନ୍ୟାନ୍ୟ ଜମି ବିବାଦର ବି ସମାଧାନ କରାଯିବ ।
୫– ତାଳଦଣ୍ଡା ଆରଏଚଏସ ଉପରେ ୩ଟି ପୋଲ୍ ର ପେଣ୍ଡିଂ ଥିବା ଡିଜାଇନ୍ ପ୍ଲାନ୍ ଜୁନ୍ ୯ ସୁଦ୍ଧା ସମ୍ପୂର୍ଣ୍ଣ ହେବ ।
୬- ତାଳଦଣ୍ଡା କେନାଲ୍ ରୋଡ୍ ଏବଂ ରିଙ୍ଗ୍ ରୋଡ୍ ରେ ସଂଯୋଗ ସ୍ଥଳର ଉନ୍ନତିକରଣ ଯୋଜନା ତୁରନ୍ତ ସରିବ ।
ସୋମବାର ଏହି ବୈଠକରେ ପୂର୍ତ୍ତ ବିଭାଗର ସ୍ୱତନ୍ତ୍ର ସଚିବ, କେନ୍ଦ୍ରାଞ୍ଚଳ ଆରଡିସି, କଟକ ଜିଲ୍ଲାପାଳ, ସିଏମସି କମିଶନରଙ୍କ ସମେତ ବିଭାଗୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ ।