ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ମାଡ଼ି ଚାଲିଛି । ଗତ ୨୪ ଘଣ୍ଟା ଭିତରେ ୧୭ ଟି ଜିଲ୍ଲାରୁ ୧୪୬ ପଜିଟିଭ୍ ଚିହ୍ନଟ ହେବା ପରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧୪୦ ରେ ପହଞ୍ଚିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୨୭ ଜଣ କ୍ୱାରେଣ୍ଟାଇନ୍ ରେ ଥିଲା ବେଳେ ୧୯ ଜଣ ସ୍ଥାନୀୟ ଅଞ୍ଚଳର । ବଡ଼କଥା ହେଉଛି ଅମ୍ଫନ୍ ବାତ୍ୟାରେ କ୍ଷତିଗ୍ରସ୍ତ କୋଲକତାକୁ ଉଦ୍ଧାର କାର୍ଯ୍ୟରେ ଯାଇଥିବା ଏନଡିଆରଏଫ ଏବଂ ଓଡ୍ରାଫ୍ ଟିମ୍ ର ୬୧ ସଦସ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଦୁଇଦିନ ତଳେ କରୋନାମୁକ୍ତ ହୋଇଥିବା ମାଲକାନଗିରି ଜିଲ୍ଲାକୁ ପୁଣି କରୋନା ଫେରିଛି ।
୧୪୬ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଏନଡିଆରଏଫ ଏବଂ ଓଡ୍ରାଫ୍ ଟିମ୍ ର ୬୧ ସଦସ୍ୟଙ୍କୁ ଛାଡ଼ି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୯ ଜଣ ଅଛନ୍ତି । ଗଞ୍ଜାମରୁ ଅଛନ୍ତି ୧୮ ଜଣ । ଦୁଇଦିନ ତଳେ କରୋନାମୁକ୍ତ ହୋଇଥିବା ମାଲକାନଗିରି ଜିଲ୍ଲାକୁ ପୁଣି କରୋନା ଫେରି ଜଣଙ୍କୁ ଆକ୍ରାନ୍ତ କରିଛି । ଜଗତସିଂହପୁରରୁ ୮, କେନ୍ଦୁଝର ୨, କଟକ ୨, ନୟାଗଡ଼ ୩, ଯାଜପୁର ୧, ମୟୁରଭଞ୍ଜ ୩, ଢ଼େଙ୍କାନାଳ ୧, କଳାହାଣ୍ଡି ୩, କନ୍ଧମାଳ ୨, ଦେବଗଡ଼ ୫, ବଲାଙ୍ଗୀର ୧, ସୁନ୍ଦରଗଡ଼ ୭, କେନ୍ଦ୍ରାପଡ଼ା ୨, ବାଲେଶ୍ୱରରୁ ୭ ପଜିଟିଭ୍ ଅଛନ୍ତି ।
ବର୍ତ୍ତମାନ ରାଜ୍ୟରେ ମୋଟ ୩୧୪୦ ଆକ୍ରାନ୍ତଙ୍କ ମଧ୍ୟରୁ ୧୯୯୩ ଜଣ ସୁସ୍ଥ ହୋଇସାରିଲେଣି । ତେଣୁ ଆକ୍ଟିଭ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୧୩୬ । କରୋନାରେ ୯ ଜଣଙ୍କର ମୃତ୍ୟୁ ହୋଇଛି । କରୋନାରେ ଆକ୍ରାନ୍ତ ଅନ୍ୟ ୨ ଜଣଙ୍କର ଅନ୍ୟ ରୋଗରେ ମୃତ୍ୟୁ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।
କୋଲକତାକୁ ଅମ୍ଫନ ଉଦ୍ଧାର କାର୍ଯ୍ୟରେ ଯାଇଥିବା ୧୨ ଜଣ ଅଗ୍ନିଶମ କର୍ମଚାରୀ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିବା ବିଭାଗ ପକ୍ଷରୁ କୁହାଯାଇଛି ।
ସେପଟେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୯,୯୮୭ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୩୩୧ ଜଣଙ୍କର ମୃତ୍ୟୁ ହୋଇଛି ।