ଭୁବନେଶ୍ୱର: ବରିଷ୍ଠ ରାଜନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ଚରଣ ସେଠୀଙ୍କୁ ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଅଶ୍ରୁଳ ବିଦାୟ ଦିଆଯାଇଛି । ଦଳର ବରିଷ୍ଠ ନେତୃବର୍ଗ ଏବଂ କର୍ମୀମାନେ ତାଙ୍କ ମରଶରୀରରେ ପୁଷ୍ପଗୁଚ୍ଛ ଦେଇ ବିଦାୟ ଜଣାଇଥିଲେ । ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପକ୍ଷରୁ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଶ୍ରଦ୍ଧାଞ୍ଜଳୀ ଦେଇଥିଲେ । ଅପରାହ୍ନରେ ଭଦ୍ରକ ନିଜ ଗାଁରେ ସ୍ୱର୍ଗତ ସେଠୀଙ୍କ ଅନ୍ତେଷ୍ଟିକ୍ରିୟା ସମ୍ପନ୍ନ ହେବ ।
୮ ଥର ସାଂସଦ ଓ ୨ ଥର ବିଧାୟକ ଥିବା ଅର୍ଜୁନ ଚରଣ ସେଠୀ ରାଜ୍ୟର ଜଣେ ଲୋକପ୍ରିୟ ନେତା ଥିଲେ । ୭୯ ବର୍ଷ ବୟସ୍କ ଶ୍ରୀ ସେଠୀଙ୍କର ରବିବାର ରାତିରେ ହୃଦଘାତ୍ ହେବାରୁ ଏକ ଘରୋଇ ହସ୍ପିଟାଲ୍ ରେ ଭର୍ତ୍ତି ହୋଇଥିଲେ । ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ରାତିରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ।
୧୯୪୧ ସେପ୍ଟେମ୍ବର ୧୮ ରେ ଭଦ୍ରକ ଜିଲ୍ଲାର ବନ୍ତ ବ୍ଲକ୍ ଓଡ଼ଙ୍ଗ ଗ୍ରାମରେ ଜନ୍ମ ଗ୍ରହଣ କରିଥିବା ଶ୍ରୀ ସେଠୀ ଉକ୍ରଳ ବିଶ୍ୱବିଦ୍ୟାଳୟରୁ ଇତିହାସରେ ଏମଏ କଲା ପରେ ୧୯୬୮ ମସିହାରେ ଶିକ୍ଷକତାରୁ କର୍ମମୟ ଜୀବନ ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ ଏକ ଘରୋଇ କଲେଜରେ ଅଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଇଥିଲେ । ଶିକ୍ଷକତା ସାଙ୍ଗକୁ ଜଣେ ସଫଳ ଚାଷୀ ଭାବେ ନିଜକୁ ପ୍ରତିଷ୍ଠିତ କରିଥିଲେ । ପରେ ରାଜନୀତି ପ୍ରତି ଆକୃଷ୍ଟ ହୋଇ କଂଗ୍ରେସରେ ଯୋଗଦେଇଥିଲେ ଏବଂ ପଞ୍ଚମ ଲୋକସଭା ନିର୍ବାଚନରେ ଭଦ୍ରକ ଆସନରୁ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ । ୧୯୮୦ ରେ ମଧ୍ୟ ଲୋକସଭାକୁ ପୁନଃନିର୍ବାଚିତ ହୋଇଥିଲେ ।
ପରବର୍ତ୍ତୀ ସମୟରେ କଂଗ୍ରେସ ଛାଡ଼ି ସେ ବିଜୁବାବୁଙ୍କ ନେତୃତ୍ୱକୁ ଗ୍ରହଣ କରି ଜନତା ଦଳରେ ଯୋଗଦେଇଥିଲେ । ୧୯୯୦ ନିର୍ବାଚନରେ ଭଣ୍ଡାରିପୋଖରୀ ଆସନରୁ ବିଧାୟକ ଜିତିଥିଲେ । ୧୯୯୧ ରେ ସେ ପୁଣି ଲୋକସଭାକୁ ନିର୍ବାଚିତ ହୋଇଥିଲେ । ୧୯୯୫ ରେ ପୁଣି ଥରେ ଭଣ୍ଡାରିପୋଖରୀରୁ ବିଧାୟକ ପ୍ରାର୍ଥୀ ଭାବେ ଲଢ଼ି ନିର୍ବାଚିତ ହୋଇଥିଲେ । ୧୯୯୮ ରେ ଭଦ୍ରକ ଲୋକସଭା ଆସନରୁ ବିଜେଡ଼ି ଟିକେଟରେ ଲଢ଼ି ତୃତୀୟ ଥର ସଂସଦକୁ ଯାଇଥିଲେ । ୧୯୯୯, ୨୦୦୪,୨୦୦୯ ଏବଂ ୨୦୧୪ ରେ ଲଗାତର ଭାବେ ବିଜେଡ଼ି ଟିକେଟରେ ଲଢ଼ି ସାଂସଦ ହୋଇଥିଲେ ।
୧୯୯୯, ୨୦୦୪ ଓ ୨୦୦୯ ଲୋକସଭାରେ ସେ ବିଜେଡ଼ିର ସଂସଦୀୟ ଦଳ ନେତା ଥିଲେ । ୨୦୦୦ରୁ ୨୦୦୪ ପର୍ଯ୍ୟନ୍ତ ଅଟଳ ବିହାରୀ ବାଜପେୟୀଙ୍କ ମନ୍ତ୍ରୀମଣ୍ଡଳରେ ଜଳ ସମ୍ପଦ ବିଭାଗର କ୍ୟାବିନେଟ୍ ମନ୍ତ୍ରୀ ଥିଲେ । ୨୦୧୯ ନିର୍ବାଚନରେ ବିଜେଡ଼ି ତାଙ୍କୁ ଟିକେଟ ନ ଦେବାରୁ ସେ ଦଳ ଛାଡ଼ି ବିଜେପିରେ ଯୋଗଦେଇଥିଲେ । ତେବେ ନିର୍ବାଚନ ନିଜେ ନ ଲଢ଼ି ପୁଅ ଭଦ୍ରକ ଅଭିମନ୍ୟୁ ସେଠୀଙ୍କୁ ଛାଡ଼ିଥିଲେ । ମାତ୍ର ତାଙ୍କୁ ପରାଜୟ କରିବାକୁ ପଡ଼ିଥିଲା ।
ଅର୍ଜୁନ ସେଠୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡ଼ଙ୍ଗୀ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସମେତ ସବୁ ଦଳର ନେତୃମଣ୍ଡଳୀ ଗଭୀର ଶୋକ ପ୍ରକାଶ କରିଛନ୍ତି । ତାଙ୍କର ମୃତ୍ୟୁ ରାଜ୍ୟ ପାଇଁ ଅପୂରଣୀୟ କ୍ଷତି ବୋଲି କହିଛନ୍ତି ।