ଭୁବନେଶ୍ୱର: ଅମିତ୍ ଶାହାଙ୍କ ଜାଗା ନେଇପାରନ୍ତି ଧର୍ମେନ୍ଦ୍ର ପ୍ରଧାନ । ବିଜେପି ରାଷ୍ଟ୍ରୀୟ ସଭାପତି ଭାବେ ଧର୍ମେନ୍ଦ୍ରଙ୍କ ନାଁକୁ ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଆରମ୍ଭ ହୋଇଛି । ଜେ.ପି.ନଡ୍ଡା ଏବଂ ଧର୍ମେନ୍ଦ୍ର ପ୍ରଧାନଙ୍କ ମଧ୍ୟରୁ ଜଣେ ଏହି ପଦ ଅଳଙ୍କୃତ କରିବେ ବୋଲି ଚର୍ଚ୍ଚା ହେଉଛି ।
ବିଜେପି ସଂଗଠନକୁ ସଫଳତାର ସହ ଆଗକୁ ନେଉଥିବା ଅମିତ୍ ଶାହା ଅଧ୍ୟକ୍ଷ ପଦ ଛାଡ଼ିବେ ନା ନାହିଁ ଯଦିଓ ଏଯାଏଁ ସ୍ପଷ୍ଟ ହୋଇନାହିଁ ତେବେ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ଯୋଗଦେବାର ଯଥେଷ୍ଟ ସମ୍ଭାବନା ଥିବା କୁହାଯାଉଛି । ସ୍ୱାସ୍ଥ୍ୟଗତ କାରଣରୁ ଅରୁଣ ଜେଟଲି ଅବ୍ୟାହତି ନେବାକୁ ଚାହିଁଲେ ଗୁରୁତ୍ୱପୂର୍ଣ୍ଣ ଅର୍ଥ ମନ୍ତ୍ରଣାଳୟର ଦାୟିତ୍ୱ ଅମିତ ଶାହା ନେଇପାରନ୍ତି । ଦଳରେ, ଏକ ବ୍ୟକ୍ତି ଏକ ପଦବୀ ନିୟମ ଦୃଷ୍ଟିରୁ ଶାହା ସଂଗଠନ ନେତୃତ୍ୱ ଛାଡ଼ି ସରକାରରେ ବଳିଷ୍ଠ ଭୂମିକାରେ ରହିବେ । ନରେନ୍ଦ୍ର ମୋଦି ତାଙ୍କ ଦ୍ୱିତୀୟ ପାଳିରେ ସରକାରୀ ଯୋଜନା କାର୍ଯ୍ୟକାରିତା ଉପରେ ଯଥେଷ୍ଟ ଗୁରୁତ୍ୱ ଦେଉଥିବାରୁ ଶାହାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିବ । ଏହି କ୍ଷେତ୍ରରେ ମୋଦି ଓ ଶାହା ଏକାଠି ହୋଇ ସରକାରର ବିଭିନ୍ନ କାର୍ଯ୍ୟକ୍ରମକୁ ସଫଳତାର ସହ ଆଗକୁ ନେଇପାରିବେ ବୋଲି ବିଚାର କରାଯାଉଛି ।
ଶାହା ସରକାରକୁ ଗଲେ ତାଙ୍କ ଜାଗାରେ ଜେ.ପି ନଡ୍ଡା କିମ୍ବା ଧର୍ମେନ୍ଦ୍ର ପ୍ରଧାନଙ୍କୁ ଉପଯୁକ୍ତ ବିବେଚନା କରାଯାଉଥିବା କୁହାଯାଉଛି । କେନ୍ଦ୍ରୀୟସ୍ତରରେ ଉଭୟଙ୍କର ସାଂଗଠନିକ ନେତୃତ୍ୱ ଉପରେ ଶାହାଙ୍କ ପୂର୍ଣ୍ଣ ଭରସା ଥିବାରୁ ସେ କାହାରିକୁ ବି ଦାୟିତ୍ୱ ଛାଡ଼ି ଦେଇପାରନ୍ତି । ଦୁହିଁଙ୍କ ଭିତରୁ ଧର୍ମେନ୍ଦ୍ରଙ୍କ ସମ୍ଭାବନା ଅଧିକ ବୋଲି ଦିଲ୍ଲୀ ମହଲରେ ଚର୍ଚ୍ଚା ହେଉଛି ।