ଭୁୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉତ୍ତରାଧିକାରୀ ଭାବେ ତାଙ୍କ ପୁତୁରା ଅରୁଣ ପଟ୍ଟନାୟକଙ୍କୁ ନେଇ ହେଉଥିବା ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି ନିଜେ ନବୀନ । ତାଙ୍କ ପରିବାରୁ କେହି ଉତ୍ତରାଧିକାରୀ ହେବେ ନାହିଁ ବୋଲି ସେ ସ୍ପଷ୍ଟ କରିଦେଇଛନ୍ତି । ବିଜେଡ଼ି ଭିତରୁ ହିଁ ତାଙ୍କର ଉତ୍ତରାଧିକାରୀ ଚୟନ କରାଯିବ ବୋଲି ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାରରେ ନବୀନ କହିଛନ୍ତି ।
ନବୀନ ପଟ୍ଟନାୟକଙ୍କ ପରେ ଭାଇ ପ୍ରେମ ପଟ୍ଟନାୟକଙ୍କ ପୁଅ ଅରୁଣ ବିଜେଡ଼ିର ନେତୃତ୍ୱ ନେବେ ବୋଲି ବହୁ ଆଗରୁ ଚର୍ଚ୍ଚା ହୋଇ ଆସୁଥିଲା । ହିଂଜିଳିରୁ ଜିତି ଆସୁଥିବା ନବୀନ ଏଥର ଦ୍ୱିତୀୟ ଆସନ ଭାବେ ବିଜେପୁରରୁ ପ୍ରାର୍ଥୀ ହେଲା ପରେ ଏହି ଚର୍ଚ୍ଚା ବଢ଼ିଯାଇଥିଲା । ନବୀନ ହିଂଜିଳି ଆସନକୁ ଅରୁଣଙ୍କ ପାଇଁ ଛାଡ଼ିଦେବେ ବୋଲି ଚର୍ଚ୍ଚା ହେଲା । ମାତ୍ର ସେହି ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ଟାଣି ଦେଇଛନ୍ତି ନବୀନ ।
ନବୀନ କହିଛନ୍ତି, ରାଜ୍ୟର ବିକାଶକୁ ଆହୁରି ତ୍ୱରାନ୍ୱିତ କରିବାକୁ ଅନବରତ ଚେଷ୍ଟା ଜାରି ରଖିଛନ୍ତି । ପଞ୍ଚମ ଥର ପାଇଁ ରାଜ୍ୟବାସୀ ତାଙ୍କ ଉପରେ ପୂର୍ଣ୍ଣ ଆସ୍ଥା ସ୍ଥାପନ କରିଥିବାରୁ ତାଙ୍କର ଦାୟିତ୍ୱ ଆହୁରି ବଢ଼ିଯାଇଛି । ବିଜେଡ଼ିର ନେତା ଓ କର୍ମୀମାନେ ଅକ୍ଲାନ୍ତ ପରିଶ୍ରମ କରି ଦଳର ସଫଳତାକୁ ଶୀର୍ଷରେ ପହଞ୍ଚାଇଛନ୍ତି । ମହିଳାମାନଙ୍କର ବିପୁଳ ସମର୍ଥନ ଦଳ ଉପରେ ରହିଛି । ତାଙ୍କର ଉତ୍ତରାଧିକାରୀ ଚୟନର ବେଳ ଏବେ ଆସିନାହିଁ । ଠିକ୍ ସମୟରେ ଦଳ ଭିତରୁ ସର୍ବମାନ୍ୟ ନେତା ବଛାଯିବ ।