ଭୁବନେଶ୍ୱର: ଓଡ଼ିଶାର ଖ୍ୟାତାନାମା କଣ୍ଠଶିଳ୍ପୀ, ବିଶିଷ୍ଟ ଭଜନ ଗାୟକ ଅରବିନ୍ଦ ମୁଦୁଲି ଆଉ ନାହାନ୍ତି । ଗତ ରାତିରେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୫୬ ବର୍ଷ ହୋଇଥିଲା । ନିମାଁଇ ଚରଣ ହରିଚନ୍ଦନ ଓ ଭିକାରୀ ବଳଙ୍କ ପରେ ଓଡ଼ିଶାର ପୁରପଲ୍ଲୀରେ ଭଜନ ଗାୟନ କ୍ଷେତ୍ରରେ ଅରବିନ୍ଦ ମୁଦୁଲି ଘରେ ଘରେ ପରିଚିତ ଥିଲେ । ତାଙ୍କ ମୃତ୍ୟୁରେ ଓଡ଼ିଶା ସଙ୍ଗୀତ ଜଗତରେ ଶୋକର ଛାୟା ଖେଳିଯାଇଛି ।
ଗତକାଲି ରାତିରେ ଅରବିନ୍ଦ ଶୋଇଥିବା ବେଳେ ହଠାତ୍ ଅସୁସ୍ଥ ଅନୁଭବ କରିଥିଲେ । ରାତି ୨ଟାରେ ପରିବାର ଲୋକେ ତାଙ୍କୁ ଏକ ଘରୋଇ ହସ୍ପିଟାଲ୍ ରେ ଭର୍ତ୍ତି କରିଥିଲେ । ତେବେ ଡାକ୍ତରମାନଙ୍କ ଅକ୍ଲାନ୍ତ ଉଦ୍ୟମ ସତ୍ତ୍ୱେ ତାଙ୍କ ଜୀବନ ବଞ୍ଚିପାରିଲାନି । ରାତି ସାଢ଼େ ତିନିଟାରେ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା ।
ଖୋର୍ଦ୍ଧା ଜିଲ୍ଲା ଖଣତି ଗାଁରେ ଜନ୍ମିତ ଅରବିନ୍ଦ ପିଲାଦିନରୁ ସଙ୍ଗୀତ ପ୍ରତି ଆକୃଷ୍ଟ ଥିଲେ । ଭଜନ ଗାୟନ କ୍ଷେତ୍ରରେ ସେ ଏକ ମାଇଲ ଖୁଣ୍ଟ ସ୍ଥାପନ କରିଥିଲେ । ତାଙ୍କର ଭଜନ ଓଡ଼ିଶାର ପୁରପଲ୍ଲୀରେ ବେଶ୍ ପ୍ରସିଦ୍ଧ ଅର୍ଜନ କରିଥିଲା । ଜଗନ୍ନାଥଙ୍କର ଏହି ପରମ ଭକ୍ତ ଖାଲି ସଙ୍ଗୀତ ସାଧନା କ୍ଷେତ୍ରରେ ପ୍ରସିଦ୍ଧି ଅର୍ଜି ନ ଥିଲେ ତାଙ୍କର ଅମାୟିକ ବ୍ୟକ୍ତିତ୍ୱ ଓ ପରୋପକାରୀ ମନୋଭାବ ତାଙ୍କୁ ବେଶ୍ ଲୋକପ୍ରିୟ କରିଥିଲା । ଭୁବନେଶ୍ୱରର ଭୀମଟାଙ୍ଗୀରେ ରହୁଥିବା ଅରବିନ୍ଦ ମୁଦୁଲିଙ୍କ ପାର୍ଥିବ ଶରୀର ଆଜି ତାଙ୍କୁ ଗାଁକୁ ନିଆ ଯିବା ପରେ ସେଠାରୁ ପୁରୀ ନିଆଯାଇ ସ୍ୱର୍ଗଦ୍ୱାରରେ ଶେଷକୃତ୍ୟ ସମ୍ପନ୍ନ ହେବ ।