ଭୁବନେଶ୍ୱର: ଆଇଏନଏକ୍ସ ମିଡ଼ିଆର ବେଆଇନ ଅର୍ଥ କାରବାର ମାମଲାରେ ସିବିଆଇ ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦମ୍ବରମ୍ ଙ୍କ ପୁଅ କାର୍ତ୍ତିଙ୍କୁ ଗିରଫ କରିଛି । ଇନ୍ଦ୍ରାଣୀ ମୁଖାର୍ଜୀ ଓ ପିଟର ମୁଖାର୍ଜୀଙ୍କ ସଂସ୍ଥା ଆଇଏନଏକ୍ସକୁ ବେଆଇନ ଭାବେ ବିଦେଶୀ ପୁଂଜି ଯୋଗାଡ଼ କରିବାରେ କାର୍ତ୍ତି ସହଯୋଗ କରିଥିଲେ ଏବଂ ମୋଟା ଅଙ୍କର ଲାଂଚ ନେଇ ସହାୟତା ଯୋଗାଡ଼ କରିଥିବା ଅଭିଯୋଗ ହୋଇଛି । ଏହି ମାମଲାରେ ସିବିଆଇ ଇନ୍ଦ୍ରାଣୀଙ୍କୁ ଜେରା କରି ଗିରଫ କରିଥିବା ବେଳେ ଏବେ କାର୍ତ୍ତି ଗିରଫ ହୋଇ ଜେରା ହେଉଛନ୍ତି । ତେବେ ସେହି କାର୍ତ୍ତି ବୈଜୟନ୍ତ ପଣ୍ଡାଙ୍କ ପରିବାରର ମାଲିକାନାରେ ଥିବା ଓରଟେଲ୍ ସଂସ୍ଥାକୁ ମଧ୍ୟ ବିଦେଶୀ ପୁଂଜି ଯୋଗାଡ଼ କରିବାରେ ସାହାଯ୍ୟ କରିଥିଲେ । ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଜିତ୍ ଯୋଗୀ ଗତ ଅଗଷ୍ଟ ମାସରେ ଏହି ଚାଞ୍ଚଲ୍ୟକର ଅଭିଯୋଗ ଆଣି ବୈଜୟନ୍ତଙ୍କୁ ସିବିଆଇ ତଦନ୍ତ ପରିସରଭୁକ୍ତ କରିବାକୁ ଦାବି କରିଥିଲେ । କାର୍ତ୍ତିଙ୍କ ଗିରଫ ପରେ ଏବେ ସମସ୍ତଙ୍କ ଆଖି ବୈଜୟନ୍ତଙ୍କ ଉପରକୁ ଯାଇଛି ।
ଯୋଗୀଙ୍କ ଅଭିଯୋଗ ଥିଲା, ଜୟଙ୍କ ଓରଟେଲ୍ କମ୍ୟୁନିକେସନ୍ ସଂସ୍ଥା ପାଇଁ ବିଦେଶୀ ଟଙ୍କା ଯୋଗାଡ଼ରେ ସାହାଯ୍ୟ କରିଛନ୍ତି କାର୍ତ୍ତି । ଓରଟେଲ୍ ସଂସ୍ଥାକୁ ଫରେନ୍ ଇନଭେଷ୍ଟମେଣ୍ଟ ପ୍ରମୋସନ୍ ବୋର୍ଡ ର ଅନୁମତି ଆଣିବାରେ କାର୍ତ୍ତିଙ୍କ ମୁଖ୍ୟ ଭୂମିକା ଥିଲା । ପି.ଚିଦମ୍ବରମ୍ ଅର୍ଥମନ୍ତ୍ରୀ ଥିବା ବେଳେ କାର୍ତ୍ତି ବାପାଙ୍କ କ୍ଷମତା ପ୍ରୟୋଗ କରି ଜୟ ପଣ୍ଡାଙ୍କ ଏହି ମିଡ଼ିଆ କମ୍ପାନୀକୁ ସହଯୋଗ ଢ଼ାଳିଦେଇଥିଲେ । ଯୋଗୀ ଏକଥା ବି କହିଥିଲେ କି ଓଡ଼ିଶାର ଏହି ବିଜେଡ଼ି ସାଂସଦ ଜୟ ପଣ୍ଡା ବିଜେପି ସରକାରଙ୍କ ସହ ନିବିଡ଼ ସମ୍ପର୍କରେ ଥିବାରୁ ତଦନ୍ତ କି କାର୍ଯ୍ୟାନୁଷ୍ଠାନ ପାଇଁ ମୋଦି ପଛାଉଛନ୍ତି ।
ଯୋଗୀ କହିଥିଲେ, ଜୟ ପଣ୍ଡାଙ୍କ ପରିବାରର ଇମଫା କମ୍ପାନୀରେ ମଧ୍ୟ ଚିଦମ୍ବରମ୍ ପରିବାରର ଟଙ୍କା ଲାଗିଛି । ଇମଫାର ସେୟାର ହୋଲଡ଼ର ତାଲିକାରେ ଅଛନ୍ତି ଚିଦାମ୍ବରମ୍ ଙ୍କ ପତ୍ନୀ ନଳିନୀ । ଚିଦାମ୍ବରମ୍ ତାଙ୍କର ୨୦୦୪,୨୦୦୯ ଏବଂ ୨୦୧୪ ନିର୍ବାଚନୀ ସତ୍ୟପାଠରେ ପତ୍ନୀଙ୍କ ଇମଫା ସେୟାର ହୋଲଡର ତଥ୍ୟକୁ ଲୁଚାଇଛନ୍ତି । ଯୋଗୀ ଅଭିଯୋଗ କରିଥିଲେ ଯେ ବିଜେଡ଼ିର ଏହି ସାଂସଦ ତାଙ୍କର କାରବାର ପାଇଁ କଂଗ୍ରେସର ପୁରୁଣା ବନ୍ଧୁ ଚିଦମ୍ବରମ୍ ଙ୍କୁ ହାତେଇ ତାଙ୍କଠାରୁ ଯଥେଷ୍ଟ ଅନୁଗ୍ରହ ହାସଲ କରିଥିଲେ । ଇମଫା କମ୍ପାନୀରେ ଚିଦମ୍ବରମ୍ ଙ୍କ ପତ୍ନୀଙ୍କୁ ସେୟାର ହୋଲଡ଼ର କରି ନିଜ ପାଇଁ ସୁରକ୍ଷାବଳୟ ସୃଷ୍ଟି କରିଥିଲେ ।
ଯୋଗୀଙ୍କ ଅଭିଯୋଗ ପରେ ଦିଲ୍ଲୀ ମହଲରେ ଏହାକୁ ନେଇ ବେଶ୍ ଚର୍ଚ୍ଚା ହୋଇଥିଲା । ଚିଦାମ୍ବରମ୍ ଙ୍କ ସହ ଜୟ ପଣ୍ଡାଙ୍କ ବ୍ୟବସାୟିକ ଲିଙ୍କ୍ ସମ୍ପର୍କରେ ସିବିଆଇ ଓ ଆୟକର ବିଭାଗ ଭଲ ଭାବେ ଅବଗତ ଥିବା କୁହାଯାଇଥିଲା । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଗତବର୍ଷ ମେ ୧୯ ତାରିଖରେ ସିବିଆଇ ଚିଦମ୍ବରମ୍ ଙ୍କ ଦିଲ୍ଲୀ ବାସଭବନରେ ଚଢ଼ାଉ ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିଥିଲା । ପୁଅ କାର୍ତ୍ତିଙ୍କ ମୁଖ୍ୟ ବ୍ୟବସାୟିକ କେନ୍ଦ୍ର କୋଲକତା ଥିଲେ ମଧ୍ୟ ଓଡ଼ିଶା ସମେତ ଚେନ୍ନାଇ, ଅହମ୍ମଦାବାଦ ଓ ମୁମ୍ବାଇରେ ରାଜନେତା, ବ୍ୟବସାୟୀ, ଟ୍ରେଡର ଓ ବ୍ରୋକରଙ୍କ ସହ ତାଙ୍କର ଗୋପନ ଯୋଗସୂତ୍ର ଥିଲା । ଏହା ଦ୍ୱାରା ସେ କିଛି ନାମୀ ଓ ଶତାଧିକ ବେନାମୀ କମ୍ପାନୀ ଚଳାଉଥିବା ସିବିଆଇ ପାଖରେ ଖବର ଅଛି । ତେବେ ସବୁ ଜାଣି ମଧ୍ୟ ମୋଦିଙ୍କ ଇସାରାରେ ସିବିଆଇ ଜୟଙ୍କୁ ସୁରକ୍ଷା ଦେଉଥିବା କୁହାଯାଇଥିଲା । ଏବେ କାର୍ତ୍ତିଙ୍କ ଗିରଫ ପରେ ବୈଜୟନ୍ତ ଲିଙ୍କ୍ ଉପରେ ସିବିଆଇ କି କାର୍ଯ୍ୟାନୁଷ୍ଠାନ ନେଉଛି ତାହା ଆଲୋଚନାର ବିଷୟ ହୋଇଛି ।