ଭୁବନେଶ୍ୱର: ରାଜ୍ୟର ମକା ଚାଷୀଙ୍କ ପାଇଁ ଆଶ୍ୱସ୍ତି । ମକା ଚାଷ ପାଇଁ ଘାତକ ବିବେଚନା କରାଯାଉଥିବା ଫଲ୍ ଆର୍ମିୱର୍ମ କୀଟନାଶକ ଜୀବାଣୁ ନିୟନ୍ତ୍ରଣ କରିବାରେ କୃଷି ବିଭାଗ ସଫଳ ହୋଇଛି । ବିଭାଗୀୟ ମନ୍ତ୍ରୀ ଡ. ଅରୁଣ କୁମାର ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କୃଷି ବିଭାଗର ସମୟୋପଯୋଗୀ ପଦକ୍ଷେପ ଯୋଗୁଁ ଫଲ୍ ଆର୍ମିୱର୍ମ ଆକ୍ରମଣରୁ ରାଜ୍ୟର ଲକ୍ଷ ଲକ୍ଷ ମକା ଚାଷୀଙ୍କ ଜୀବିକା ବଞ୍ଚିଯାଇଛି ।
ଓଡ଼ିଶାର ନୂଆପଡ଼ା, କଳାହାଣ୍ଡି, ବଲାଙ୍ଗୀର, ବରଗଡ଼ ଏବଂ ସୋନପୁର ଜିଲ୍ଲାରେ ଚାଷୀମାନେ ପାରମ୍ପରିକ ଭାବେ ମକା ଚାଷ କରିଥାଆନ୍ତି । ନବରଙ୍ଗପୁର, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, ମୟୁରଭଞ୍ଜ ଏବଂ କେନ୍ଦୁଝର ଜିଲ୍ଲାରେ ବି ବ୍ୟାପକ ଭାବେ ମକା ଚାଷ ହୋଇଥାଏ । ଏହିସବୁ ଜିଲ୍ଲାରୁ ବାର୍ଷିକ ୭ ଲକ୍ଷ ଟନ୍ ରୁ ଅଧିକ ମକା ଉତ୍ପାଦନ ହେଉଛି । ଗତବର୍ଷ ସମୁଦାୟ ୨.୨୮ ଲକ୍ଷ ହେକ୍ଟର ଜମିରେ ମକା ଚାଷ ହୋଇଥିବା ବେଳେ ଚଳିତବର୍ଷ ଏହା ୨.୪୦ ଲକ୍ଷ ହେକ୍ଟରକୁ ବୃଦ୍ଧି ପାଇଛି ।
ତେବେ ଆଫ୍ରିକାରେ ମକା ଚାଷକୁ ବ୍ୟାପକ କ୍ଷତି ପହଞ୍ଚାଉଥିବା ଫଲ୍ ଆର୍ମିୱର୍ମ (ପେଷ୍ଟସ୍ ବା ଡେଷ୍ଟ୍ରକ୍ଟିଭ୍ ଇନସେକ୍ଟସ୍)ଏବେ ଭାରତରେ ପ୍ରବେଶ କରିସାରିଛି । ଶସ୍ୟ ବୁଣା ହେବାର ୪୫ ଦିନ ମଧ୍ୟରେ ଏହା ଗଛର ସବୁଜ ପତ୍ରକୁ ଗ୍ରାସି ନଷ୍ଟ କରୁଛି । ଧାନ, ଗହମ, ବାଜରା, ପନିପରିବା ଭଳି ୮୦ଟି ଶସ୍ୟକୁ ଏହା ଆକ୍ରମଣ କରୁଥିଲେ ମଧ୍ୟ ଓଡ଼ିଶାରେ ଏ ପର୍ଯ୍ୟନ୍ତ କେବଳ ମକା ଏହାର ଶିକାର ବନିଛି । ଗତବର୍ଷ ଜୁନ୍ ମାସରେ ଦେଶର ପ୍ରଥମ ରାଜ୍ୟ ଭାବେ କର୍ଣ୍ଣାଟକ ଫଲ୍ ଆର୍ମିୱର୍ମର ଶିକାର ହୋଇଥିଲା । ଓଡ଼ିଶା ସମେତ ୧୦ଟି ରାଜ୍ୟକୁ ଏହି ମରଣାନ୍ତକ ଜୀବାଣୁ ବ୍ୟାପିବାକୁ ଆରମ୍ଭ କରିଛି ।
ଏ ସମ୍ପର୍କରେ କେନ୍ଦ୍ର ସରକାରଙ୍କ କୃଷି ମନ୍ତ୍ରଣାଳୟରୁ ସତର୍କ ସୂଚନା ପାଇବା ପରେ କୃଷି ମନ୍ତ୍ରୀ ଡ. ଅରୁଣ ସାହୁ ବିଶେଷ ତତ୍ପରତା ପ୍ରକାଶ କରିଥିଲେ । ଫଲ୍ ଆର୍ମିୱର୍ମର ପ୍ରତିହତ ପାଇଁ ବିଭାଗୀୟ ବିଶେଷଜ୍ଞ ଓ ଅଧିକାରୀମାନଙ୍କ ସହ ବ୍ୟାପକ ବିଚାରବିମର୍ଷ କରିଥିଲେ । ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଦୁଇଟି ଟିମ୍ ଗଠନ କରାଯାଇ ମକା ଚାଷ ଅଞ୍ଚଳଗୁଡ଼ିକରେ ବ୍ୟାପକ ସର୍ଭେ କରାଯାଇଥିଲା । ଏହି ଟିମ୍ ରେ ବିଭାଗର ଚାରା ସୁରକ୍ଷା ଅଧିକାରୀ, ଓୟୁଏଟି ପ୍ରଫେସର, ଜାତୀୟ ଧାନ ଗବେଷଣା କେନ୍ଦ୍ରର ବିଶେଷଜ୍ଞ ଏବଂ ସିଆଇପିଏମସିର ବିଶେଷଜ୍ଞମାନେ ସାମିଲ ଥିଲେ ।
ଉକ୍ତ ଟିମ୍ ସମ୍ଭାବ୍ୟ କ୍ଷତିଗ୍ରସ୍ତ ଇଲାକା ବୁଲିଲା ବେଳେ ଫଲ୍ ଆର୍ମିୱର୍ମ ର ପ୍ରରମ୍ଭିକ ଆକ୍ରମଣ ଦେଖିବାକୁ ପାଇଥିଲେ । ମକା ଚାଷକୁ ଏହା ସାମାନ୍ୟ କ୍ଷତି ପହଞ୍ଚାଇ ସାରିଥିଲା । ମାତ୍ର ମକା ଚାଷୀମାନେ ଏହା ଉପରେ ସମ୍ପୂର୍ଣ୍ଣ ଅବଜ୍ଞ ଥିଲେ । କୃଷି ବିଭାଗ ପକ୍ଷରୁ ତତକ୍ଷଣାତ ଚାଷୀମାନଙ୍କ ସଚେତନତା ପାଇଁ ବ୍ୟାପକ କାର୍ଯ୍ୟକ୍ରମ କରାଯିବା ସହ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ଯାହାର ସୁଫଳ ପାଇଛନ୍ତି ରାଜ୍ୟର ମକା ଚାଷୀ ।