ଭୁବନେଶ୍ୱର: କରୋନା ସଙ୍କଟର ମୁକାବିଲା ପାଇଁ ସରକାରୀ କଳକୁ ତର ନାହିଁ । ବିଗିଡ଼ି ଥିବା ଅର୍ଥନୀତିକୁ ସଜାଡ଼ିବା ଏବେ ରାଜ୍ୟ ସରକାରଙ୍କ ପାଇଁ ମୁଖ୍ୟ ଚାଲେଞ୍ଜ । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ପାଇଁ ଏହା ବଡ଼ ଦାୟିତ୍ୱ । କୋଭିଡ୍ ମୁକାବିଲା ପାଇଁ ଗଠିତ ଆନ୍ତଃ ମନ୍ତ୍ରୀସ୍ତରୀୟ କମିଟିର ମୁଖିଆ ଦାୟିତ୍ୱ ବି ତାଙ୍କ ହାତରେ । ଭରପୁର ଦାୟିତ୍ୱ ସତ୍ତ୍ୱେ ନିରଞ୍ଜନ ପୂଜାରୀ ଲକ୍ ଡାଉନ୍ ପରଠାରୁ ଉଭାନ୍ ହୋଇଯାଇଛନ୍ତି । କେହି ତାଙ୍କୁ ଦେଖୁନାହାନ୍ତି । ତେବେ ଅର୍ଥନୀତିର ଏହି ସଙ୍କଟରୁ ରାଜ୍ୟକୁ ମୁକୁଳେଇବା ଉଦ୍ୟମରେ ଆଗକୁ ଆସିଛନ୍ତି ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା ।
କରୋନା ମହାମାରୀ ପରିପ୍ରେକ୍ଷୀରେ ଓ ଏହାର ପରବର୍ତ୍ତୀ ସମୟରେ ରାଜ୍ୟ ଅର୍ଥନୀତିକୁ ଗତିଶୀଳ କରିବା ପାଇଁ ଗୁରୁବାର ଏକ ଉଚ୍ଚସ୍ତରୀୟ ବୈଠକ ଡାକି ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ଉପରେ ଆଲୋଚନା କରିଛନ୍ତି ସଞ୍ଜୟ ଦାସବର୍ମା । ଅର୍ଥନୀତିରେ ଗୁରୁତ୍ୱ ରଖୁଥିବା ବିଭିନ୍ନ କ୍ଷେତ୍ରକୁ ନେଇ ବିସ୍ତୃତ ତର୍ଜମା କରାଯିବା ପରେ ଏକ ରିପୋର୍ଟ ପ୍ରସ୍ତୁତ କରି ରାଜ୍ୟ ସରକାରଙ୍କୁ ପ୍ରଦାନ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି । ବିଶେଷକରି କୃଷି ଓ ଆନୁସଙ୍ଗିକ କ୍ଷେତ୍ର, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ସମୂହ, ଜନସ୍ୱାସ୍ଥ୍ୟ, ପର୍ଯ୍ୟଟନ ଶିଳ୍ପ କ୍ଷେତ୍ର କୁ ଗୁରୁତ୍ୱ ଦିଆଯାଇଛି ।
ବିଭିନ୍ନ କ୍ଷେତ୍ରରେ ଅଭିଜ୍ଞତାସମ୍ପନ୍ନ ବିଶେଷଜ୍ଞ, ସାମାଜିକ କର୍ମୀ, ଅର୍ଥନୀତିଜ୍ଞ ଏବଂ ଉଚ୍ଚ ପଦାଧିକାରୀଙ୍କ ମତାମତ ଆଧାରରେ ଏହି ରିପୋର୍ଟ ପ୍ରସ୍ତୁତ କରିବାକୁ ଶ୍ରୀ ଦାସବର୍ମା ପରାମର୍ଶ ଦେଇଛନ୍ତି । ନବକୃଷ୍ଣ ଚୌଧୁରୀ ଉନ୍ନୟନ ଗବେଷଣା କେନ୍ଦ୍ରକୁ ଏହାର ନୋଡାଲ୍ ଏଜେନ୍ସିଂ ଦାୟିତ୍ୱ ଦିଆଯାଇଛି । ବିଭିନ୍ନ ପର୍ଯ୍ୟାୟରେ ଆଲୋଚନା ପରେ ଚୂଡ଼ାନ୍ତ ରିପୋର୍ଟ ପ୍ରସ୍ତୁତ କରାଯାଇ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯିବ ବୋଲି କହିଛନ୍ତି ଯୋଜନା ବୋର୍ଡ ଉପାଧ୍ୟକ୍ଷ ।
ଆଜିର ଏହି ବୈଠକରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଯୋଜନା ଓ ସଂଯୋଜକ ବିଭାଗର ସ୍ୱତନ୍ତ୍ର ସଚିବ ଗୋପବନ୍ଧୁ ଶତପଥୀ, ନବକୃଷ୍ଣ ଉନ୍ନୟନ ଗବେଷଣା କେନ୍ଦ୍ରର ନିର୍ଦ୍ଦେଶକ ପ୍ରଫେସର ଶ୍ରୀଜିତ ମିଶ୍ର, ଯୋଜନା ଓ ସଂଯୋଜକ ବିଭାଗର ଅନୁଶାସନ ସଚିବ ଅଭୟ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।