ଭୁବନେଶ୍ୱର: ବହୁ ଚର୍ଚ୍ଚିତ, ବିବାଦୀୟ ଅଶୋକ ପାଣିଗ୍ରାହୀ ଆଜି ଆନୁଷ୍ଠାନିକ ଭାବେ ବିଜେପି ହାତ ଧରିଛନ୍ତି । ବରପାଲ୍ଲୀରେ ଆୟୋଜିତ ବିଶାଳ ସମାବେଶରେ ଅଶୋକ ନିଜ ସମର୍ଥକମାନଙ୍କ ସହ ବିଜେପିରେ ଯୋଗ ଦେଇଛନ୍ତି । ଜୁଏଲ୍ ଓରାମ୍ ଓ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଥିଲେ ଅରୁଣ ସିଂ, ବସନ୍ତ ପଣ୍ଡା, କନକ ବର୍ଦ୍ଧନ ସିଂହଦେଓ, ସୁରେଶ ପୂଜାରୀ, ପ୍ରଦୀପ ପୁରୋହିତ, ସୁବାସ ଚୌହାନ ପ୍ରମୁଖ । ଧର୍ମେନ୍ଦ୍ର ପ୍ରଧାନ ଜିନ୍ଦାବାଦ, ଜୁଏଲ୍ ଓରାମ୍ ଜିନ୍ଦାବାଦ, ଅଶୋକ ପାଣିଗ୍ରାହୀ ଜିନ୍ଦାବାଦ ଧ୍ୱନିରେ ବରପାଲ୍ଲୀର ଗଗନ ପବନ ପ୍ରକମ୍ପିତ ହେଲା ବେଳକୁ ନାରାୟଣ ସାହୁଙ୍କ ଅନୁପସ୍ଥିତି ବିଜେପି ମିଶ୍ରଣ ପର୍ବକୁ କିଛିଟା ବେଙ୍ଗା କରିଦେଇଥିଲା ।
ବରଗଡ଼ ବିଜେପି ଜିଲ୍ଲା ସଭାପତି ହେଉଛନ୍ତି ନାରାୟଣ ସାହୁ । ଅଶୋକ ପାଣିଗ୍ରାହୀ ବିଜେପିରେ ମିଶିବା କଥା ଘୋଷଣା କଲା ପରଠୁଁ ସେ ବିଦ୍ରୋହୀ ହୋଇପଡ଼ିଛନ୍ତି । ଦଳରେ ମିଶିବା ମନା ନାହିଁ, ହେଲେ ଉପନିର୍ବାଚନରେ ଅଶୋକ ବିଜେପିରୁ ପ୍ରାର୍ଥୀ ହେଲେ ଜିଲ୍ଲା ବିଜେପି ତାଙ୍କୁ ଗ୍ରହଣ କରିବ ନାହିଁ ବୋଲି ସେ ପ୍ରଥମରୁ ରୋକଠୋକ୍ ଶୁଣାଇଥିଲେ । କିନ୍ତୁ ଅସଲରେ ବିଜେପିରେ ଅଶୋକଙ୍କ ଯୋଗଦାନକୁ ମଧ୍ୟ ଗ୍ରହଣ କରିପାରିନାହାନ୍ତି ନାରାୟଣ । ଗତକାଲି ମିଶ୍ରଣ ପର୍ବର ପ୍ରସ୍ତୁତି ବୈଠକରେ ନାରାୟଣ ମଧ୍ୟ ଅନୁପସ୍ଥିତ ଥିଲେ । ବିଜେପି ନେତୃତ୍ୱ ତାଙ୍କୁ ବୁଝାସୁଝା କରିବାକୁ ଉଦ୍ୟମ କରିଥିଲେ ମଧ୍ୟ ସଫଳ ହୋଇ ନ ଥିଲେ । ଓଲଟି ସେ ମିଶ୍ରଣ ପର୍ବ ପାଇଁ ଲୋକ ଯୋଗାଡରେ ବ୍ୟସ୍ତ ଅଛନ୍ତି ବୋଲି ମିଛ କହି ବିଧାୟକ ପ୍ରଦୀପ ପୁରୋହିତ କଥା ବାଆଁରେଇଥିବା ଆଜି ଧରାପଡ଼ିଛି । ନାରାୟଣ ବିଜେପିରୁ ଇସ୍ତଫା ଦେଇଥିବା ଚର୍ଚ୍ଚା ଜୋର୍ ହୋଇଥିଲେ ମଧ୍ୟ ଏହାର ସତ୍ୟାସତ୍ୟ ଜଣାପଡ଼ିନାହିଁ । ଏ ସମ୍ପର୍କରେ ଆମେ ତାଙ୍କ ସହ ଯୋଗାଯୋଗ ଚେଷ୍ଟା କରି ପାଇନାହୁଁ ।
ଅଶୋକ ପାଣିଗ୍ରାହୀ ବିଜେପୁରରୁ ପ୍ରାର୍ଥୀ ହେବା ନିଶ୍ଚିତ ହୋଇଥିବା ବେଳେ ନାରାୟଣ ସାହୁଙ୍କ ବିଦ୍ରୋହ ଦଳୀୟ ରାଜନୀତିକୁ ଗଡ଼ବଡ଼ କରିଛି । ନାରାୟଣଙ୍କ ନେତୃତ୍ୱରେ ବିଜେପୁରର ତୃଣମୂଳ ଦଳୀୟ କର୍ମୀମାନେ ଏକପାଖିଆ ହେବା ବିଜେପି ପାଇଁ ସମସ୍ୟା ହୋଇଛି । ଯେନତେନ ପ୍ରକାରେ ସେମାନଙ୍କୁ ବୁଝାଇ ସାଙ୍ଗରେ ନେବାକୁ ଉଦ୍ୟମ ଚାଲିଛି । ସେପଟେ ମିଶ୍ରଣ ପର୍ବରେ ଚାଷୀଙ୍କ ଋଣଛାଡ଼ ପ୍ରସଙ୍ଗ ଉଠାଇ ନବୀନ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ଧର୍ମେନ୍ଦ୍ର । ବିଜେପି ଶାସିତ ରାଜସ୍ଥାନ, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ଓ ମହାରାଷ୍ଟ୍ରରେ ଚାଷୀଙ୍କୁ ଋଣଛାଡ଼ ହେଲା ଭଳି ଓଡ଼ିଶାରେ ତାହା କାହିଁକି ହେଉନାହିଁ କହି ଚାଷୀଙ୍କ ସମବେଦନା ତୋଳିବାକୁ ଉଦ୍ୟମ କରିଛନ୍ତି । ଏହାକୁ ମୁଖ୍ୟ ଅସ୍ତ୍ର କରି ବିଜେପୁର ସମ୍ଭାବ୍ୟ ବିଜୟପଥ ର ଇନିଂସ ଆରମ୍ଭ କରିଛନ୍ତି ଧର୍ମେନ୍ଦ୍ର । ତେବେ ଆଜି ଉତ୍ସବରେ ଧର୍ମେନ୍ଦ୍ରଙ୍କ ଗଳାକୁ ଫୁଲତୋଡ଼ା ଯିବା ପୂର୍ବରୁ ତାହା ଛିଣ୍ଡିଯିବା ଦଳର ପଣ୍ଡିତ/ପୁରୋହିତଙ୍କୁ ବିଚଳିତ କରିଥିଲା । ଏହାକୁ ଅଶୁଭ ମନେ କରି ସେମାନେ ଟୁପୁରୁଟାପର ହୋଇଥିଲେ ।