ନୂଆଦିଲ୍ଲୀ: ୫ ଟି ରାଜ୍ୟରେ ନୂଆ ରାଜ୍ୟପାଳ ନିଯୁକ୍ତ ହୋଇଛନ୍ତି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ଏହି ନିଯୁକ୍ତି ଦେଇଛନ୍ତି । ନୂଆ ରାଜ୍ୟପାଳମାନେ ହେଲେ
ଅରୁଣାଚଳ ପ୍ରଦେଶ- ବ୍ରିଗେଡ଼ୟର୍ ଡକ୍ଟର ବିଡ଼ି ମିଶ୍ର (ଅବସରପ୍ରାପ୍ତ)
ବିହାର- ସତ୍ୟପାଲ ମଲିକ୍
ତାମିଲନାଡୁ- ବନୱରିଲାଲ୍ ପୁରୋହିତ
ଆସାମ- ପ୍ରଫେସର ଜଗଦୀଶ ମୁଖି
ମେଘାଳୟ- ଗଙ୍ଗା ପ୍ରସାଦ
ଏଥିସହ ଆଡମିରାଲ୍(ଅବସରପ୍ରାପ୍ତ) ଦେବେନ୍ଦ୍ର କୁମାର ଯୋଶୀଙ୍କୁ ଆଣ୍ଡାମାନ୍ ଏବଂ ନିକୋବରର ଲେଫଟନାଣ୍ଟ ଗଭର୍ଣ୍ଣର ଭାବେ ରାଷ୍ଟ୍ରପତି ନିଯୁକ୍ତି ଦେଇଛନ୍ତି । ଯୋଶୀ ଭାରତୀୟ ନୌସେନାର ମୁଖ୍ୟ ଭାବେ ଅଗଷ୍ଟ ୨୦୧୨ ରୁ ଫେବୃଆରୀ ୨୦୧୪ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ । ୧୯୯୬ ରୁ ୧୯୯୯ ଯାଏଁ ସିଙ୍ଗାପୁରରେ ଭାରତୀୟ ହାଇକମିଶନଙ୍କ ପ୍ରତିରକ୍ଷା ପରାମର୍ଶଦାତା ଭାବେ ମଧ୍ୟ କାର୍ଯ୍ୟ କରିଥିଲେ ।
ରାଜନୈତିକ ଗୁରୁତ୍ୱ ବହନ କରୁଥିବା ତାମିଲନାଡୁରେ ବନୱରିଲାଲ୍ ପୁରୋହିତଙ୍କୁ ପୂର୍ଣ୍ଣକାଳୀନ ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି । ମହାରାଷ୍ଟ୍ରର ରାଜ୍ୟପାଳ ଚୌଧୁରୀ ବିଦ୍ୟାସାଗର ରାଓ ତାମିଲନାଡୁ ରାଜ୍ୟପାଳ ଭାବେ ଅତିରିକ୍ତ ଦାୟିତ୍ୱରେ ଥିଲେ । ବିଦର୍ଭାର ଭେଟେରାନ୍ ନେତା ଶ୍ରୀ ପୁରୋହିତ ଆସାମର ରାଜ୍ୟପାଳ ଥିଲେ । ସେହିଭଳି ରାମନାଥ କୋବିନ୍ଦ ରାଷ୍ଟ୍ରପତି ନିର୍ବାଚିତ ହେବା ପରଠୁ ବିହାର ରାଜ୍ୟପାଳ ପଦବୀ ଖାଲି ଥିଲା । ପୂର୍ବତନ ସାଂସଦ ତଥା ବିଜେପିର ରାଷ୍ଟ୍ରୀୟ ଉପସଭାପତି ସତ୍ୟପାଲ୍ ମଲିକ ସେହି ସ୍ଥାନ ପୂରଣ କରିଛନ୍ତି ।