ଭୁବନେଶ୍ୱର: ଘରେ ନ ପଶୁଣୁ ଚାଳ ବାଜିଛି । ଅଶୋକ ପାଣିଗ୍ରାହୀଙ୍କୁ ଦଳରେ ମିଶାଇ ବିଜେପି ନେତୃତ୍ୱ ବିଜେପୁର ଉପନିର୍ବାଚନ ତୟାର୍ କଲାବେଳକୁ କେଁ ପଶିଯାଇଛି । ଜିଲ୍ଲା ବିଜେପି ସଂଗଠନ ଅଶୋକଙ୍କ ପ୍ରାର୍ଥୀତ୍ୱକୁ ଗ୍ରହଣ କରିନି । ଆମ ଦଳରେ ଯୋଗ୍ୟ ପ୍ରାର୍ଥୀଙ୍କର ଅଭାବ ନାହିଁ । ଅନ୍ୟ ଦଳରୁ ଉଧାର ଆଣି ପ୍ରାର୍ଥୀ କରିବାର ଆବଶ୍ୟକତା କ’ଣ ବୋଲି ଜିଲ୍ଲା ବିଜେପି ସଭାପତି ନାରାୟଣ ସାହୁ ହାଇକମାଣ୍ଡଙ୍କୁ ପ୍ରଶ୍ନ କରିଛନ୍ତି । ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କୁ ଚିଠି ଲେଖି ସେ ଜିଲ୍ଲା ବିଜେପିର ମନୋଭାବ ଖାଲି ଜଣାଇନାହାନ୍ତି ବରଂ ଚରମବାଣୀ ଶୁଣାଇଛନ୍ତି ।
ଅଶୋକ ପାଣିଗ୍ରାହୀ ବିଜେପୁରରୁ ବିଜେପି ପ୍ରାର୍ଥୀ ହେଉଥିବା ନିଜେ ଘୋଷଣା କରିଛନ୍ତି । ଆସନ୍ତା ୨ ତାରିଖରେ ତାଙ୍କର ବିଜେପି ମିଶ୍ରଣ ପର୍ବ ବରପାଲ୍ଲୀରେ ହେବ । ଜୁଏଲ୍ ଓରାମ୍, ଧର୍ମେନ୍ଦ୍ର ପ୍ରଧାନ ସେଠି ଉପସ୍ଥିତ ରହିବେ । ୩୦ ହଜାର ସମର୍ଥକଙ୍କ ଗହଣରେ ଅଶୋକ ବିଜେପିରେ ମିଶିବାର ଦମ୍ଭ ଦେଖାଇଛନ୍ତି । ଏହି ଯୋଗଦାନ ପର୍ବକୁ ଚକାଚକ୍ କରିବାକୁ ଅଶୋକଙ୍କ ସମର୍ଥକମାନେ ବିଜେପୁରରେ ବ୍ୟାପକ ପ୍ରଚାର ଚଳାଇଛନ୍ତି । ହେଲେ ଆଜି ଜିଲ୍ଲା ସଭାପତିଙ୍କ ଚିଠି ଏହି ଆୟୋଜନକୁ ବିଗିଡ଼ାଇ ଦେଇଛି । ଅଶୋକଙ୍କ ଥାଟବାଟକୁ ପାଣିଚିଆ କରିଦେଇଛି । ନାରାୟଣ ସାହୁ ଲେଖିଛନ୍ତି, ଆମେ ଅଶୋକଙ୍କ ଯୋଗଦାନକୁ ବିରୋଧ କରୁନାହୁଁ । ମାତ୍ର ତାଙ୍କ ପ୍ରାର୍ଥୀତ୍ୱକୁ ବିରୋଧ କରୁଛୁ ।
ଦିବଂଗତ ବିଧାୟକ ସୁବଳ ସାହୁଙ୍କ ପତ୍ନୀ ରୀତାଙ୍କୁ ବିଜେଡ଼ି ପ୍ରାର୍ଥୀ ଘୋଷଣା କଲା ପରେ ବିଜେପି ଅଶୋକଙ୍କୁ ଧରି ବଢ଼ିଆ ଖେଳ ଖେଳିଥିଲା । ବିଜେଡ଼ିରେ କେଁ ପୂରାଇବାକୁ ଉଦ୍ୟମ କରିଥିଲା । ମାତ୍ର ଏବେ ନିଜେ ସେହି ଖାଲରେ ପଡ଼ିଯାଇଛି । ଅଶୋକଙ୍କ ପ୍ରାର୍ଥୀତ୍ୱକୁ କୌଣସି ହାଲତ୍ ରେ ଗ୍ରହଣ କରାଯିବ ନାହିଁ ବୋଲି ବରଗଡ଼ ଜିଲ୍ଲା ବିଜେପି ସଭାପତି ସିଧା ସିଧା ଶୁଣାଇ ଦେଇଛନ୍ତି ।