ଭୁବନେଶ୍ୱର: ଛତ୍ରପୁର ଲକ୍ଷ୍ମୀଦତ୍ତ ପ୍ରଧାନ ମର୍ଡର କେସ୍ ଟି ରାଜନୀତି ବୟାନବାଜି ଭିତରେ ବାନ୍ଧି ହୋଇଯାଉଛି । ଘଟଣାର ବାସ୍ତବତା ଛପିଗଲା ଭଳି ଲାଗୁଛି । ପୁଲିସ ତଦନ୍ତ କହୁଛି, ଲକ୍ଷ୍ମୀ ମର୍ଡରର କୃଷ୍ଣଚନ୍ଦ୍ର ନାୟକ ମୁଖ୍ୟ ଷଡ଼ଯନ୍ତ୍ରକାରୀ । ବିଜେପି ମୁଖପାତ୍ରଙ୍କ ବ୍ୟକ୍ତିଗତ ଅନୁଧ୍ୟାନ କହୁଛି, ଛତ୍ରପୁର ବିଧାୟକ ପ୍ରିୟାଂଶୁ ପ୍ରଧାନ ମୁଖ୍ୟ ଷଡ଼ଯନ୍ତ୍ରକାରୀ । ସେପଟେ ବଡ଼ବଡ଼ିଆ ଟିଭି, ପେପର୍ ଭୂମିକା ସନ୍ଦେହରେ । ପୁଲିସ ତଦନ୍ତ ରିପୋର୍ଟକୁ ଆଖି ବୁଜିଦେଇଛନ୍ତି । ନିଜ ଏଜେନ୍ସି ତଦନ୍ତ ଖବର ଦେଖାଇବାକୁ କି ଛାପିବାକୁ ଡରୁଛନ୍ତି । ରାଜନୈତିକ ବୟାନବାଜି ଖବରକୁ ବହୁ କଷ୍ଟରେ ଛାଡୁଛନ୍ତି । କାହାକୁ ଫାସରେ ପକାଇବାକୁ ଚାହୁଁଛନ୍ତି ତାହା ବି ସମସ୍ତଙ୍କୁ ଜଣା । ତେବେ ଏସବୁ ଫାର୍ସ କାହିଁକି ? ଏହା ପଛର ରହସ୍ୟ କ’ଣ ? ଯଦି ବିଜେପି ମୁଖପାତ୍ରଙ୍କ କଥା ସତ ବୋଲି ସେମାନଙ୍କ ବିଶ୍ୱାସ, ତାହାର ପର୍ଦ୍ଦାଫାସ କରି ବିଜେଡ଼ିକୁ ଲଙ୍ଗଳା କରୁନାହାନ୍ତି କାହିଁକି ? ଖାଲି ନେତାଙ୍କ ଅଭିଯୋଗ ଛାପି ଲୋକଙ୍କୁ ଭକୁଆ ବନୋଉଛନ୍ତି କାହିଁକି ?
ମୁଖ୍ୟ ଷଡ଼ଯନ୍ତ୍ରକାରୀ ବୋଲି ପୁଲିସ ଦର୍ଶାଇଥିବା କୃଷ୍ଣ ନାୟକ ବିଜେପିର ଜିଲ୍ଲା ସମ୍ପାଦକ । ଧର୍ମେନ୍ଦ୍ର ପ୍ରଧାନଙ୍କ ଗଂଜାମ ଯୁଦ୍ଧର ନୂଆ ସାରଥୀ । ତେଣୁ ଏସପି ତାଙ୍କ ନାଁ ପ୍ରକାଶ କଲା ପରେ ଧର୍ମେନ୍ଦ୍ରଙ୍କ ଗୋଷ୍ଠୀ ବିଚଳିତ ହୋଇପଡ଼ିଛନ୍ତି । ଏସପିଙ୍କୁ ସେମାନେ ବିଜେଡ଼ି ଏଜେଣ୍ଟ ବୋଲି କହୁଛନ୍ତି । ହତ୍ୟାକାଣ୍ଡର ଠିକ୍ ୧୨ ଦିନ ପରେ ବିଜେପି ମୁଖପାତ୍ର ଗୋଲକ ମହାପାତ୍ର ସ୍ଥାନୀୟ ବିଜେଡ଼ି ବିଧାୟକଙ୍କୁ ହତ୍ୟାକାଣ୍ଡର ମୁଖ୍ୟ ଷଡ଼ଯନ୍ତ୍ରକାରୀ ଦର୍ଶାଉଛନ୍ତି । ତେବେ ତାଙ୍କ କହିବାର ଆଧାର କ’ଣ ? ବିନା ତଦନ୍ତ କି ଆଧାରରେ ବିଜେପି ମୁଖପାତ୍ର ଏହି ଆରୋପ ଲଗାଇଥିଲେ ନିଶ୍ଚିତ ସାଂଘାତିକ ।
ଘଟଣା ଉପରେ ଧର୍ମେନ୍ଦ୍ର ପ୍ରଧାନ ମୁହଁ ଖୋଲିନାହାନ୍ତି । ଗତକାଲି ସାମ୍ବାଦିକମାନେ ତାଙ୍କୁ ଏ ସମ୍ପର୍କରେ ପ୍ରଶ୍ନ ପଚାରିଥିଲେ ମଧ୍ୟ ସେ ଏଡାଇ ଚାଲିଯାଇଥିଲେ । ଖାଲି ସେତିକି ନୁହେଁ, ଫେସବୁକ୍ ଓ ସୋସିଆଲ୍ ମିଡ଼ିଆରେ ସବୁବେଳେ ଆକ୍ଟିଭ୍ ଥିବା ଧର୍ମେନ୍ଦ୍ରଙ୍କ ଫେସବୁକ୍ ଆକାଉଣ୍ଟରୁ ବ୍ରହ୍ମପୁର ମିଶ୍ରଣ ପର୍ବର ଫଟୋ ଗାଏବ ହୋଇଯାଇଛି । ମେ ୨୦ ତାରିଖରେ ଓଡ଼ିଶାରେ ଅମିତ୍ ଶାହାଙ୍କ ମୋର ବୁଥ ସବୁଠୁ ମଜବୁତ କାର୍ଯ୍ୟକ୍ରମ ବ୍ରହ୍ମପୁରରୁ ଆରମ୍ଭ ହୋଇଥିଲା । ବେଶ୍ ଜାକଜମକରେ ଅନୁଷ୍ଠିତ ଏହି ଉତ୍ସବ ଅବସରରେ କୃଷ୍ଣ ଓ ଦୁର୍ଯୋଧନ ବିଜେପିରେ ମିଶିଥିଲେ । ଧର୍ମେନ୍ଦ୍ର ସେମାନଙ୍କ ହାତଟେକି, କୋଳେଇ, କୁଣ୍ଢେଇ ଫଟୋ ଉଠାଇଥିଲେ । ମାତ୍ର ଧର୍ମେନ୍ଦ୍ରଙ୍କ ବ୍ରହ୍ମପୁର ସ୍ମରଣୀୟ ମୁହୁର୍ତ୍ତର ଫଟୋ ତାଙ୍କ ଫେସବୁକ୍ ରେ ନାହିଁ । କୃଷ୍ଣଙ୍କ ସହ ଯୁଗଳବନ୍ଦୀର ଫଟୋ ତାଙ୍କ ଫେସବୁକ୍ ଆଲବମ୍ ରୁ ଗାଏବ ହୋଇଯାଇଛି । କୃଷ୍ଣଚନ୍ଦ୍ରଙ୍କୁ ନେଇ ଧର୍ମେନ୍ଦ୍ରଙ୍କ ମନରେ ପାପ ଥିଲା କି ବୋଲି ଏବେ ପ୍ରଶ୍ନ ଉଠୁଛି ।