ଭୁବନେଶ୍ୱର: ଛତ୍ରପୁର ଲକ୍ଷ୍ମୀଦତ୍ତ ପ୍ରଧାନ ମର୍ଡରର ନୂଆ ଥିଓରି ବାହାର କରିଛନ୍ତି ବିଜେପି ମୁଖପାତ୍ର ଗୋଲକ ମହାପାତ୍ର । ଏସପିଙ୍କ ତଦନ୍ତରେ ବିଜେଡ଼ି ମୋହର ମାରି ନିଜେ ତଦନ୍ତକାରୀ ଅଫିସର ଭଳି ବୟାନ ଦେଇଛନ୍ତି । ତାଙ୍କ ଇନଭେଷ୍ଟିଗେସନ୍ କହୁଛି, ଲକ୍ଷ୍ମୀ ମର୍ଡର ପଛର କାରଣ ବିଜେଡ଼ି ଅର୍ନ୍ତଦ୍ୱନ୍ଦ । ଛତ୍ରପୁର ବିଧାୟକ ପ୍ରିୟାଂଶୁ ପ୍ରଧାନଙ୍କ ସହ ଲକ୍ଷ୍ମୀଙ୍କର ପଡୁ ନ ଥିଲା । ହତ୍ୟାକାଣ୍ଡ ପୂର୍ବରୁ ବିଧାୟକଙ୍କ ଘରେ ହତ୍ୟାକାରୀଙ୍କ ମେଳି ହୋଇଥିଲା । ବିଧାୟକଙ୍କ ସିସିଟିଭି କ୍ୟାମେରାରୁ ଏହା ସ୍ପଷ୍ଟ ହୋଇଯିବ ବୋଲି ଗୋଲକ କହିଛନ୍ତି । ସିଧା ସିଧା କହିଲେ, ସ୍ଥାନୀୟ ବିଜେଡ଼ି ବିଧାୟକ ହିଁ ଲକ୍ଷ୍ମୀ ହତ୍ୟାର ମୁଖ୍ୟ ଷଡ଼ଯନ୍ତ୍ରକାରୀ ବୋଲି ବିଜେପିର ଏହି ନମ୍ବର ଟୁ ମୁଖପାତ୍ର ଦର୍ଶାଇବାକୁ ଚେଷ୍ଟା କରିଛନ୍ତି । ଗତକାଲି ନମ୍ବର ୱାନ୍ ମୁଖପାତ୍ର ସଜ୍ଜନ ଶର୍ମା ଏସପିଙ୍କୁ ବିଜେଡ଼ି ଜିଲ୍ଲା ସମ୍ପାଦକ କହିଥିଲା ବେଳେ ଆଜି ତାଙ୍କ ନମ୍ବର ଟୁ ଏସପିଙ୍କୁ ବିଜେଡ଼ି ଜିଲ୍ଲା ସଭାପତି ଆସନରେ ବସାଇଛନ୍ତି ।
ଗଂଜାମ ଏସପି ଆଶିଷ ସିଂଙ୍କ ତଦନ୍ତ ଫଳକୁ ବିଜେପିର ଏହି ଧର୍ମେନ୍ଦ୍ର ମାର୍କା ନେତା ଫୋପାଡି(ଡିସକାର୍ଡ) ଦେଇଛନ୍ତି । ଲକ୍ଷ୍ମୀ ମର୍ଡରର ମୁଖ୍ୟ ଷଡ଼ଯନ୍ତ୍ରକାରୀ ଭାବେ ବିଜେପି ଜିଲ୍ଲା ସଭାପତି କୃଷ୍ଣଚନ୍ଦ୍ର ନାୟକଙ୍କ ନାଁ ଏସପି ପଦାକୁ ଆଣିଲା ପରେ ସେମାନେ ପ୍ରତିକ୍ରିୟାଶୀଳ ହୋଇ ପଡ଼ିଛନ୍ତି । ଏଇଥିପାଇଁ ଯେ ୪ ମାସ ତଳେ ଧର୍ମେନ୍ଦ୍ର ତାଙ୍କୁ ବିଜେପିକୁ କୋଳେଇ ଆଣିଥିଲେ । ତେଣୁ ହତ୍ୟା ଷଡ଼ଯନ୍ତ୍ରରେ ଧର୍ମେନ୍ଦ୍ର ବ୍ରାଣ୍ଡେଡ୍ କୃଷ୍ଣଚନ୍ଦ୍ରଙ୍କ ନାଁ ଆସିବା ଭୁବନେଶ୍ୱରିଆ ଧର୍ମେନ୍ଦ୍ର ଗୋଷ୍ଠୀଙ୍କୁ କ୍ଷୁବ୍ଧ କରିଛି । ଏସପିଙ୍କୁ ଚୋର ଚାଣ୍ଡାଳ ଭଳି ସେମାନେ ବ୍ୟବହାର କରିଛନ୍ତି । ଲକ୍ଷ୍ମୀଙ୍କ ମର୍ଡର ପ୍ଲଟ୍ ଓ ହତ୍ୟାକାରୀଙ୍କୁ ସେମାନେ ଘରେ ବସି ଠଉରୋଉଛନ୍ତି । ଆଶ୍ଚର୍ଯ୍ୟର କଥା, ଗଂଜାମ ପୁଲିସ ଉପରୁ ସେମାନେ ଭରସା ତୁଟାଇଥିଲେ ମଧ୍ୟ ସିବିଆଇ ତଦନ୍ତ ନାଁ ଧରୁନାହାନ୍ତି । କାରଣ କ’ଣ ସେମାନେ ଜାଣିଛନ୍ତି ।
ଆହୁରି ଗମ୍ଭୀର ପ୍ରଶ୍ନଟି ଆସିଛି, ବଡ଼ବଡ଼ିଆ ମିଡ଼ିଆ ହାଉସ୍ ର ଭୂମିକା ଉପରେ । ଏସପିଙ୍କ ମୁହଁରେ କୃଷ୍ଣଚନ୍ଦ୍ର ନାୟକ ମୁଖ୍ୟ ଷଡ଼ଯନ୍ତ୍ରକାରୀ ଆଖ୍ୟାୟିତ ହେଲା ପରେ ବି ଦୁଇଦିନ ହେଲା ଟିଭି, ପେପରରେ ସବିଶେଷ ଖବର ନଥିଲା । ୧୦ ଦିନ ତଳେ ଯେଉଁ ଟିଭି ଧର୍ମେନ୍ଦ୍ର-କୃଷ୍ଣଚନ୍ଦ୍ରଙ୍କ ଯୁଗଳବନ୍ଦୀର ଫଟୋ ଦେଖାଇ ଅନୁମାନରେ ହେଡଲାଇନ୍ ଷ୍ଟୋରି କରିଥିଲା ଏସପି ତାହାକୁ କନଫର୍ମ କଲାପରେ ବି ସେହି ଟିଭି ଚୁପ୍ ହୋଇଗଲା । ସବୁ ବଡ଼ବଡ଼ିଆ ମାଲିକଙ୍କ ବଡ଼ ଟିଭି କି ବଡ଼ ପେପରରେ ଖବର ନ ଥିଲା । ଆଜି ବିଜେଡ଼ି ଧର୍ମେନ୍ଦ୍ର-କୃଷ୍ଣଚନ୍ଦ୍ରଙ୍କ ଯୁଗଳ ଫଟୋ ଦେଖାଇ ପ୍ରସଙ୍ଗ ଉଠାଇବା ପରେ ଯାଇ ଟିଭିରେ ତାହା ସ୍ଥାନିତ ହୋଇଛି । ‘ଧର୍ମେନ୍ଦ୍ରଙ୍କୁ ବିଜେଡ଼ିର ଟାର୍ଗେଟ୍’ ବୋଲି ବ୍ରେକିଂ ଖବର ହୋଇଛି । ସମଗ୍ର ଘଟଣା ପଛରେ ରହସ୍ୟ କ’ଣ ତାହା କାହାରିକୁ ଅବୁଝା ନାହିଁ ।