ଭୁବନେଶ୍ୱର: 5-Tକାର୍ଯ୍ୟକ୍ରମରେ ପଶିଛି ରାଜନୀତି । ୨୦ ବର୍ଷ ଧରି ଏହା ହୋଇ ନ ଥିଲା, ଆଜି କାହିଁକି? ଏହି ପ୍ରଶ୍ନ ଧରି ବିରୋଧୀ ଦଳ ରାଜ୍ୟ ସରକାରଙ୍କୁ ଘେରୁଛନ୍ତି । ତେବେ ବିରୋଧୀଙ୍କ ସମାଲୋଚନାକୁ ସରକାରଙ୍କର ଭୃକ୍ଷେପ ନାହିଁ । ବରଂ 5-Tଅସ୍ତ୍ରକୁ ଧରି ସରକାର ଆଗକୁ ମାଡୁଛନ୍ତି । ପ୍ରଶାସନ ସକ୍ରିୟ ଓ ଚଳଚଞ୍ଚଳ ହୋଇଛି । ମଜ୍ଜା କଥା ହେଲା, ରାଜ୍ୟ ସରକାରଙ୍କ 5-Tକାର୍ଯ୍ୟଧାରାକୁ ସମାଲୋଚନା କରୁଥିବା ବିରୋଧୀଙ୍କ ଟାର୍ଗେଟ୍ ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବେଶୀ ନାହାନ୍ତି । ଅଛନ୍ତି, 5-Tସଚିବ ଭି. କାର୍ତ୍ତକେୟ ପାଣ୍ଡିଆନ୍ । ପାଣ୍ଡିଆନ୍ ଙ୍କ 5-T ଛାନଭିନ୍ ଓ ପବ୍ଲିକ୍ ଆପିଆରନ୍ସ ବିରୋଧୀ ଶିବିରକୁ ସମ୍ଭବତଃ ହଜମ ହେଉନାହିଁ ।
ମସୌରୀରେ ଆଇଏଏସ୍ ଟ୍ରେନିଂ ବେଳେ 5-T ପାଠ ପଢ଼ିଥିଲେ ଅପରାଜିତା ଷଡ଼ଙ୍ଗୀ । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ୨୫ ବର୍ଷ ତଳର ସେହି ସ୍ମୃତିକୁ ମନେ ପକାଇଛନ୍ତି । କହିଛନ୍ତି, 5-T କାର୍ଯ୍ୟକ୍ରମରେ କୌଣସି ନୂତନତ୍ୱ ନାହିଁ । ପ୍ରଶାସନରେ ଏହା ଚିରାଚରିତ କାର୍ଯ୍ୟକ୍ରମ । ୨୦ ବର୍ଷର ନବୀନ ସରକାରଙ୍କର ଆଜି ଯାଏଁ ଏହା ମନେ ପଡୁ ନ ଥିଲା କାହିଁକି? 5-T ସଚିବ ଭି.କାର୍ତ୍ତିକେୟ ପାଣ୍ଡିଆନ୍ ଙ୍କୁ ଟାର୍ଗେଟ୍ କରିବାକୁ ଯାଇ ଅପରାଜିତା ପୂର୍ବତନ ବ୍ୟୁରୋକ୍ରାଟ୍ ସହଯୋଗୀ ଓ ମନ୍ତ୍ରୀମାନଙ୍କ ଯୋଗ୍ୟତା, ପାରିବାପଣିଆକୁ ପ୍ରଶ୍ନ କରିଛନ୍ତି । ଗୋଟିଏ ବିଭାଗ ଅଧୀନରେ ଏହା କାହିଁକି ରହିଛି ବୋଲି ପଚାରିଛନ୍ତି ।
ତେବେ ଅପରାଜିତାଙ୍କର ଏହି ମନ୍ତବ୍ୟର ଜବାବ ଦେଇଛନ୍ତିି ଭୁବନେଶ୍ୱରରେ ତାଙ୍କ ସହ ଲଢ଼ିଥିବା ଆଇପିଏସ୍ ତଥା ପୂର୍ବତନ ମୁମ୍ବାଇ ପୁଲିସ କମିଶନର ଅରୂପ ପଟ୍ଟନାୟକ । କହିଛନ୍ତି, ଆଇଏଏସ୍/ଆଇପିଏସ୍ ଟ୍ରେନିଂ ବେଳେ କ’ଣ ହୁଏ ମୁଁ ଜାଣିଛି । ସେହି ଟ୍ରେନିଂରେ ଲୋକଙ୍କ ସହ କିପରି ବସିବେ, କେମିତି ମିଶିବେ ତାହା ଶିଖାଯାଏ ନାହିଁ । ସେ ଭଦ୍ର ମହିଳା(ଅପରାଜିତା) ତାଙ୍କ ଟ୍ରେନିଂରେ 5-T ଶିଖିଥିବେ । ମୁଁ କିନ୍ତୁ ଟ୍ରେନିଂରେ କେବଳ ଲେଫ୍ଟ ରାଇଟ୍ ପରେଡ୍ ଶିଖିଛି । ହଉ ହେଲା । ସେ ଯେବେ ମୁଖ୍ୟମନ୍ତ୍ରୀ ହେବେ 5-T ବାତିଲ କରିଦେବେ । ଅପରାଜିତାଙ୍କୁ ଏମିତି କଟାକ୍ଷ କରିଛନ୍ତି ଅରୂପ ।
ସେପଟେ ବିଜେଡ଼ି ମୁଖପାତ୍ର ସାଂସଦ ଡ. ସସ୍ମିତ୍ ପାତ୍ର ଅପରାଜିତାଙ୍କୁ 5-T ପାଠର ଫଣ୍ଡା ବୁଝାଇଛନ୍ତି । ସେ କହିଛନ୍ତି, 5-T ସଂକ୍ରାନ୍ତରେ ଅପରାଜିତା ଆଦୌ ଅବଗତ ନାହାନ୍ତି । ଏହା ଏକ ବିଭାଗ ନୁହେଁ, ଏକ ଚାର୍ଟର । ପ୍ରତ୍ୟେକ ବିଭାଗକୁ ଅଧିକ ଲୋକାଭିମୁଖୀ କରି ଉତ୍ତମ ମାନର କାର୍ଯ୍ୟ ଦକ୍ଷତା ବୃଦ୍ଧି କରିବା ପାଇଁ ଏହା ଦିଗ, ଦିଶା ଓ ଆଭିମୁଖ୍ୟ ଦେଉଛି । ଅପରାଜିତା ଯଦି ଟ୍ରେନିଂରେ 5-T ପଢ଼ିଥିଲେ, ରାଜ୍ୟର ଜଣେ ଦୀର୍ଘକାଳୀନ ପ୍ରଶାସକ ଭାବେ କେଉଁଠି ଏହି କାର୍ଯ୍ୟ କରିଥିଲେ ବୋଲି ସସ୍ମିତ୍ ପ୍ରଶ୍ନ କରିଛନ୍ତି । 5-T ଭଳି ପ୍ରଶଂସନୀୟ କାର୍ଯ୍ୟକୁ ରାଜନୀତିକରଣ କରି ଗୌଣ କରିବା ଉଦ୍ୟମ ଶ୍ରୀମତୀ ଷଡ଼ଙ୍ଗୀଙ୍କଠାରୁ ଆଶା କରାଯାଏନି ବୋଲି ଡ. ପାତ୍ର କହିଛନ୍ତି ।