ଭୁବନେଶ୍ୱର: ସରକାରୀ ଡାକ୍ତରଖାନାଗୁଡ଼ିକରେ ରୋଗୀଙ୍କୁ ମାଗଣା ଖାଦ୍ୟ ଓ ମାଗଣା ପରୀକ୍ଷା ନିରୀକ୍ଷା ପାଇଁ ବ୍ୟବସ୍ଥା ରହିଛି । ଏଥିପାଇଁ ରାଜ୍ୟ ସରକାରଙ୍କ ତହବିଲରୁ ବର୍ଷକୁ ଖର୍ଚ୍ଚ ହେଉଛି ୬ ହଜାର କୋଟି ଟଙ୍କା । ମାତ୍ର ଡାକ୍ତରଖାନା ମାଗଣା ଖାଦ୍ୟରୁ ରୋଗୀଙ୍କୁ ବଞ୍ଚିତ କରୁଥିବା ଏବଂ ରୋଗୀଙ୍କୁ ଘରୋଇ କ୍ଲିନିକ୍ ରେ ପରୀକ୍ଷା ନିରୀକ୍ଷା ପାଇଁ ପ୍ରବର୍ତ୍ତାଉଥିବା ଡାକ୍ତର ଏବେ ରାଜ୍ୟର ପ୍ରମୁଖ ଚାନେଲ୍ ଓଟିଭି ଆଖିରେ ହୀରୋ । ସୁନ୍ଦରଗଡ଼ ମୁଖ୍ୟ ଡାକ୍ତରଖାନାର ନିଲମ୍ବିତ ସିଡ଼ିଏମଓ ଡାକ୍ତର ପଙ୍କଜ ପଟେଲଙ୍କ କ୍ଷେତ୍ରରେ ଏହା ସମ୍ଭବ ହୋଇଛି । ବୈଜୟନ୍ତ ପଣ୍ଡାଙ୍କ ଏହି ଚାନେଲ୍ ତାଙ୍କୁ ଜଣେ ବୀର ସହିଦ ଭାବେ ଉପସ୍ଥାପିତ କରି ଖବର ପରିବେଷଣ କରିବା ବିଭିନ୍ନ ମହଲରେ ଚର୍ଚ୍ଚା ସୃଷ୍ଟି କରିଛି ।
ସୁନ୍ଦରଗଡ଼ ମୁଖ୍ୟ ଡାକ୍ତରଖାନାରେ ରୋଗୀଙ୍କୁ ଠିକଣା ଭାବେ ଖାଦ୍ୟ ଦିଆଯାଉ ନ ଥିଲା । ଫଳରେ ରୋଗୀମାନେ ବାହାରୁ ଖାଦ୍ୟ କିଣି ଖାଇବାକୁ ବାଧ୍ୟ ହେଉଥିଲେ । ସେହିଭଳି ରୋଗୀଙ୍କୁ ମାଗଣାରେ ପରୀକ୍ଷା ନିରୀକ୍ଷା ପାଇଁ ଡାକ୍ତରଖାନାରେ ସବୁପ୍ରକାର ବ୍ୟବସ୍ଥା ଥିଲେ ମଧ୍ୟ ବିଭିନ୍ନ ବାହାନା ଦେଖାଇ ସେମାନଙ୍କୁ ବାହାରେ ପରୀକ୍ଷା କରାଇବାକୁ ପ୍ରବର୍ତ୍ତାଯାଉଥିଲା । ଏହାଦ୍ୱାରା ରୋଗୀମାନେ ଘରୋଇ ପାଥୋଲାବରେ ଅଯଥାରେ ଖର୍ଚ୍ଚାନ୍ତ ହେଉଥିଲେ । ସୁନ୍ଦରଗଡ଼ ମୁଖ୍ୟ ଡାକ୍ତରଖାନାରେ ଏହା ଦିନେ ଓଳିକର କଥା ନୁହେଁ, କ୍ରମାଗତ ଭାବେ ରୋଗୀଙ୍କୁ ଏମିତି ଶୋଷଣ କରାଯାଉଥିବା ନେଇ ଅଭିଯୋଗ ରହିଥିଲା ।
୫-ଟି ସଚିବ ଭି.କାର୍ତ୍ତକେୟ ପାଣ୍ଡିଆନ୍ ଗତ ୧୩ ତାରିଖରେ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ସ୍ଥିତି ପରଖିବାକୁ ଯାଇଥିଲେ । ୱାର୍ଡ ବୁଲିଲା ବେଳେ ବିଭିନ୍ନ ରୋଗୀ ଓ ସମ୍ପର୍କୀୟମାନଙ୍କଠାରୁ ଉପରୋକ୍ତ ଅଭିଯୋଗମାନ ଶୁଣିଥିଲେ । ଡାକ୍ତରଖାନାର ଭାରପ୍ରାପ୍ତ ସିଡ଼ିଏମଓ ପଙ୍କଜ ପଟେଲଙ୍କ ବିରୋଧରେ ସେମାନଙ୍କର ସିଧାସଳଖ ଅଭିଯୋଗ ଥିଲା । ୫-ଟିକୁ ନେଇ ରାଜ୍ୟ ସରକାର କଡ଼ା ଆଭିମୁଖ୍ୟ ରଖିଥିବାରୁ ଶ୍ରୀ ପାଣ୍ଡିଆନ୍ ସଂପୃକ୍ତ ସିଡ଼ିଏମଓଙ୍କୁ ଚାକିରିରୁ ନିଲମ୍ବନ ପାଇଁ ସରକାରଙ୍କୁ ସୁପାରିଶ କରିବା ସହ ସୁନ୍ଦରଗଡ଼ ଜିଲ୍ଲାପାଳଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲେ । ସୁତରାଂ ଦୁର୍ନୀତିକୁ ପ୍ରୋତ୍ସାହନ ଦେଉଥିବା ଅଧିକାରୀଙ୍କ ଉପରେ ଏହା ଥିଲା ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ।
ତେବେ ଦୁର୍ନୀତିକୁ ନେଇ ହୁଙ୍କାର ମାରୁଥିବା ବୈଜୟନ୍ତଙ୍କ ଓଟିଭିକୁ ଦୁର୍ନୀତି ବିରୋଧୀ କାର୍ଯ୍ୟାନୁଷ୍ଠାନ ପସନ୍ଦ ହୋଇନି । ନିଲମ୍ବିତ ସିଡ଼ିଏମଓ ପଙ୍କଜ ପଟେଲଙ୍କୁ ‘ଖୋଲାକଥା’ରେ ବସାଇ ଏଭଳି ଉପସ୍ଥାପନ କରାଗଲା, ଯେଭଳି ଡାକ୍ତର ପଟେଲ ଜଣେ ବୀର ସହିଦ ପୁରୁଷ । ଖାଲି ‘ଖୋଲାକଥା’ ନୁହେଁ, ପ୍ରତିଦିନ ଖବରରେ ତାଙ୍କୁ ସାଧୁ, ସଚ୍ଚୋଟ ପୁରୁଷ ଭାବେ ଉପସ୍ଥାପିତ କରିଚାଲିଛି ଏହି ଟିଭି । ପ୍ରଶାସନିକ କାର୍ଯ୍ୟାନୁଷ୍ଠାନରେ ରାଜନୀତିର ରଙ୍ଗ ବୋଳି ତାଙ୍କ ବିରୋଧରେ ରହିଥିବା ଅଭିଯୋଗଗୁଡ଼ିକୁ ଘଣ୍ଟ ଘୋଡାଇ ଚାଲିଛି ।
ଚାନେଲ ମାଲିକ ରାଜନୈତିକ ବ୍ୟକ୍ତି ହୋଇଥିବାରୁ ଓଟିଭିର ରାଜନୈତିକ ଏଜେଣ୍ଡା ଥିଲା, ଅଛି ଏବଂ ରହିବ ଏହା ସମସ୍ତେ ଜାଣନ୍ତି । ତେବେ ରାଜ୍ୟ ସରକାରଙ୍କ ବିରୋଧରେ ଦୁର୍ନୀତିକୁ ଅସ୍ତ୍ର କରୁଥିବା ଏହି ଚାନେଲ୍ ଦୁର୍ନୀତିକୁ ପ୍ରଶୟ ଦେଉଥିବା ଜଣେ ଡାକ୍ତରଙ୍କ ବିରୋଧରେ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନକୁ ସମାଲୋଚନା କରି ତାଙ୍କୁ ହୀରୋ କରିବା ବୁଦ୍ଧିଜୀବୀଙ୍କୁ ଆନ୍ଦୋଳିତ କରିଛି । ସାଧାରଣ ଜନତାଙ୍କ ପାଇଁ ଏହା ପରିହାସର ଖୋରାକ ଦେଇଛି ।
ସୂଚନାଥାଉକି, ସୁନ୍ଦରଗଡ଼ ସିଡ଼ିଏମଓଙ୍କ ନିଲମ୍ବନର ବିରୋଧ କରି ବିଜେପି ଜିଲ୍ଲା ବନ୍ଦ ଆନ୍ଦୋଳିତ କରିଥିଲା । ଟିଭିରେ ମୁହଁ ଦେଖାଇବାର ସୁଯୋଗ ପାଇ ନେତାମାନେ ରାଜନୈତିକ ତମ୍ବିତୋଫାନ କରିଥିଲେ । ସିଡ଼ିଏମଓଙ୍କ ଉପରୁ ନିଲମ୍ବନ ଆଦେଶକୁ ସରକାର ପ୍ରତ୍ୟାହାର କରିବାକୁ ସମ୍ଭବତଃ ବାଧ୍ୟ ହେଲେ । ତାଙ୍କୁ ଅନ୍ୟତ୍ର ଅବସ୍ଥାପିତ କରାଯାଇଛି ।