ଭୁୁବନେଶ୍ୱର: ଆଲୋକର ପର୍ବ ଦୀପାବଳିକୁ ଆଜି ନିଆରା ଢ଼ଙ୍ଗରେ ପାଳିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଲୋକର ପର୍ବରେ ଅନାଥ ନିଷ୍ଫାପ ଶିଶୁଙ୍କ ମୁହଁରେ ହସ ଫୁଟାଇବାକୁ ଯାଇ ପହଞ୍ଚିଥିଲେ ଭୁବନେଶ୍ୱରସ୍ଥିତ ଏସଓସି ଭିଲେଜରେ । ପିଲାଙ୍କୁ ମିଠା ଖୁଆଇ ମଜାଖୁସି କଲେ ଆଉ ସେମାନଙ୍କ ମେଳରେ ବାଣ ଫୁଟାଇ ଦୀପାବଳିର ଖୁସି ବାଣ୍ଟିଲେ । ଖାଲି ସେତିକି ନୁହେଁ, ଅନାଥ ଶିଶୁଙ୍କ ଏହି ଆଶ୍ରୟସ୍ଥଳୀ ଏସଓସି ଭିଲେଜର ଉନ୍ନତି ପାଇଁ ୨୦ ଲକ୍ଷ ଟଙ୍କାର ଅନୁଦାନ ଘୋଷଣା କରି ଫେରିଥିଲେ ମୁଖ୍ୟମନ୍ତ୍ରୀ ।

ରବିବାର ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ନିବାସର ପ୍ରାୟ ୧୦ କିଲୋମିଟର ଦୂରରେ ଥିବା ଏସଓସି ଭିଲେଜରେ ପହଞ୍ଚିଥିଲେ । ଶତାଧିକ ଅନ୍ତେବାସୀ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ ଜଣାଇ ଭିତରକୁ ପାଛୋଟି ନେଇଥିଲେ । ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ମିଠା ଖୁଆଇ ଦୀପାବଳିର ଶୁଭେଚ୍ଛା ଜଣାଇବା ସହ କିଛି ପିଲାଙ୍କୁ ଡାକି ସେମାନଙ୍କ ପାଠପଢ଼ା ବିଷୟରେ ପଚାରି ବୁଝିଥିଲେ । ଭଲ ପାଠ ପଢ଼ ଓ ଭଲ ମଣିଷ ହୁଅ ବୋଲି ମୁଖ୍ୟମନ୍ତ୍ରୀ ସେମାନଙ୍କୁ ସ୍ନେହଭରା ପରାମର୍ଶ ଦେଇଥିଲେ ।
ପିଲାଙ୍କ ମେଳରେ କିଛି ସମୟ ବସି ମୁଖ୍ୟମନ୍ତ୍ରୀ ସେମାନଙ୍କ ନାଚଗୀତ ଶୁଣିଥିଲେ । ଶେଷରେ ପିଲାମାନଙ୍କ ସହ ଝିର ଝିର୍ ବାଣ ମାରି ଦୀପାବଳିର ଖୁସି ମନାଇଥିଲେ । ସେଠାରୁ ଫେରିଲା ବେଳେ ଏସଓସି ଭିଲେଜକୁ୨୦ ଲକ୍ଷ ଟଙ୍କାର ଅନୁଦାନ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ସହ ତାଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବ ଭି.କେ. ପାଣ୍ଡିଆନ୍ ସେଠାକୁ ଯାଇଥିଲେ ।

ସେପଟେ ମୁଖ୍ୟ ଶାସନ ସଚିବ ଅସିତ୍ କୁମାର ତ୍ରିପାଠୀ ଭୁବନେଶ୍ୱରସ୍ଥିତ ଚେତନା ଗୃହକୁ ଯାଇ ଅନାଥ ଶିଶୁଙ୍କୁ ମିଠା ବାଣ୍ଟିଥିଲେ ଏବଂ ବାଣ ଫୁଟାଇ ଦୀପାବଳି ପାଳିଥିଲେ ।
୫-ଟି ସଚିବ ଶ୍ରୀ ପାଣ୍ଡିଆନ୍ କଳିଙ୍ଗ ଷ୍ଟାଡିୟମ୍ ପରିସରରେ ଥିବା ସ୍ପୋଟର୍ସ ହଷ୍ଟେଲ ଯାଇ ଅନ୍ତୋବାସୀଙ୍କୁ ମିଠା ଖୁଆଇ ଦୀପାବଳୀ ପାଳିଥିଲେ । ତାଙ୍କ ସହ ଥିଲେ କ୍ରୀଡ଼ା ସଚିବ ଭିନୀଲ୍ କ୍ରିଷ୍ଣା । ଉଭୟ ଅଧିକାରୀ ସେଠାରେ କିଛି ସମୟ ବିତାଇବା ପରେ ଅନ୍ତୋବାସୀଙ୍କ ସହ ଖାଇବାକୁ ଭୁଲି ନ ଥିଲେ । ହଷ୍ଟେଲ୍ ର ସୁବିଧା ଅସୁବିଧା ପଚାରି ଫେରିଥିଲେ ।







