ନୂଆଦିଲ୍ଲୀ: ଧାରା ୩୭୦ ଉଚ୍ଛେଦ ପରେ ନବଗଠିତ କେନ୍ଦ୍ର ଶାସିତ ଅଞ୍ଚଳ ଜମ୍ମୁ-କାଶ୍ମୀରର ଉପରାଜ୍ୟପାଳ ପଦ ଅଳଙ୍କୃତ କରିଛନ୍ତି ଓଡ଼ିଆ ପୁଅ ଗିରୀଶ ଚନ୍ଦ୍ର ମୁର୍ମୁ । ୧୯୮୫ ବ୍ୟାଚ୍ ଗୁଜୁରାଟ କ୍ୟାଡରର ଆଇଏଏସ ଶ୍ରୀ ମୁର୍ମୁଙ୍କ ଘର ମୟୁରଭଞ୍ଜ ଜିଲ୍ଲାର ବେତନଟୀ ଅଞ୍ଚଳରେ । କେନ୍ଦ୍ର ସରକାରଙ୍କ ଅର୍ଥ ମନ୍ତ୍ରଣାଳୟରେ ଏକ୍ସପେଣ୍ଡିଚର ସେକ୍ରେଟାରୀ ଭାବେ ଏବେ ସେ କାର୍ଯ୍ୟ କରୁଛନ୍ତି । ମୟୁରଭଞ୍ଜର ଏକ ଅଖ୍ୟାତ ପଲ୍ଲୀରୁ ଯାଇ ଦେଶର ସବୁଠାରୁ ଏହି ଗୁରୁତ୍ୱପୂର୍ଣ୍ଣ ଜମ୍ମୁ-କାଶ୍ମୀରର ପ୍ରଥମ ଉପରାଜ୍ୟପାଳ ପଦରେ ଗିରୀଶଙ୍କ ନିଯୁକ୍ତି ସମଗ୍ର ଓଡ଼ିଶାବାସୀଙ୍କ ପାଇଁ ଗର୍ବର ବିଷୟ ହୋଇଛି ।
ଉତ୍କଳ ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଏମଏ ଏବଂ ବର୍ମିଂହାମ ବିଶ୍ୱବିଦ୍ୟାଳୟରୁ ଏମବିଏ ଡିଗ୍ରୀଧାରୀ ଗିରୀଶ ଗୁଜୁରାଟ ସରକାରଙ୍କ ବହୁ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ କାର୍ଯ୍ୟ କରିଛନ୍ତି । ନରେନ୍ଦ୍ର ମୋଦି ମୁଖ୍ୟମନ୍ତ୍ରୀ ଥିବା ବେଳେ ସେ ତାଙ୍କର ପ୍ରମୁଖ ସଚିବ ପଦରେ ଥିଲେ । ମୋଦି ଦେଶର ପ୍ରଧାନମନ୍ତ୍ରୀ ହେବା ପରେ ଦିଲ୍ଲୀରେ ଗିରୀଶଙ୍କ ପ୍ରଭାବ ଦେଖିବାକୁ ମିଳିଥିଲା । ପ୍ରଧାନମନ୍ତ୍ରୀଙ୍କ ପ୍ରଭାବୀ ଅଫିସର ତାଲିକାରେ ତାଙ୍କୁ ଗଣାଯାଉଥିଲା । ତାଙ୍କର ଦକ୍ଷତାକୁ ବିଚାର କରି କେନ୍ଦ୍ର ସରକାର ତାଙ୍କୁ ଜମ୍ମୁ-କାଶ୍ମୀରର ପ୍ରଥମ ଉପରାଜ୍ୟପାଳ ଦାୟିତ୍ୱ ଦେଇଛନ୍ତି ।
ଆସନ୍ତା ଅକ୍ଟୋବର ୩୧ ତାରିଖରୁ ଜମ୍ମୁ-କାଶ୍ମୀର କେନ୍ଦ୍ର ଶାସିତ ଅଞ୍ଚଳ ଭାବେ କାର୍ଯ୍ୟକ୍ଷମ ହେବ । ବର୍ତ୍ତମାନର ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କୁ ଗୋଆ ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଥିଲା ବେଳେ ୧୯୭୭ ବ୍ୟାଚ୍ ଆଇଏଏସ୍ ରାଧାକୃଷ୍ଣ ମାଥୁରଙ୍କୁ ଲଦାଖ ଉପରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି ।