ଭୁବନେଶ୍ୱର: ପଞ୍ଚମ ଥର ପାଇଁ ଦାୟିତ୍ୱ ନେଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥର ଭିନ୍ନ ମୁଡ୍ ରେ ଉଭା ହୋଇଛନ୍ତି । ନିଜ ମନ୍ତ୍ରୀମାନଙ୍କ ଉପରେ ରଖିଛନ୍ତି କଡ଼ା ନଜର । ମନ୍ତ୍ରୀମାନେ ଭୁବନେଶ୍ୱରରେ ଅୟସ୍ ନ କରି ନିଜ ବିଭାଗ ଓ ଲୋକଙ୍କ ସମସ୍ୟା ଉପରେ ଯେଭଳି ୨୪ ଘଣ୍ଟିଆ ଧ୍ୟାନ ରଖନ୍ତି ତାହା ଉପରେ ଗୁରୁତ୍ୱ ଦେଇଛନ୍ତି । ସରକାର ଗଠନ ପରେ ପ୍ରଥମ ମନ୍ତ୍ରୀପରିଷଦ ବୈଠକରୁ ମୁଖ୍ୟମନ୍ତ୍ରୀ ତାଙ୍କ ଅନ୍ଦାଜ ସ୍ପଷ୍ଟ କରିଛନ୍ତି । ନିଜ ବିଭାଗର କାର୍ଯ୍ୟକ୍ରମ ସମ୍ପର୍କରେ ମନ୍ତ୍ରୀମାନଙ୍କଠାରୁ ମାସିକିଆ ରିପୋର୍ଟ ପ୍ରଚଳନ କରିଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ନିଶ୍ଚିନ୍ତ ହୋଇପାରିନାହାନ୍ତି । ମନ୍ତ୍ରୀମାନେ ଅଧିକରୁ ଅଧିକ କ୍ରିୟାଶୀଳ ହେବା ପାଇଁ ଗୁରୁମନ୍ତ୍ର ଦେଇଛନ୍ତି । ଆଜି ମନ୍ତ୍ରୀ ପରିଷଦ ବୈଠକ ଡାକି ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଗୁରୁମନ୍ତ୍ର ଜରିଆରେ ୫ ଟି କଡ଼ା ହୁକୁମ ଜାରି କରିଛନ୍ତି ।
ହୁକୁମ ନଂ ୧: ଆପଣମାନେ ଏକ୍ସଟେନସିଭ୍ ଟୁର୍ କରନ୍ତୁ । ଏହାଦ୍ୱାରା ଆପଣ ଆପଣଙ୍କ ବିଭାଗର କାମ ବିଷୟରେ ତୃଣମୂଳସ୍ତରରୁ ଜାଣିପାରିବେ ।
ହୁକୁମ ନଂ ୨: ଆପଣଙ୍କ ବିଭାଗର ବିଭିନ୍ନ ଅଫିସ ଏବଂ ଅନୁଷ୍ଠାନଗୁଡ଼ିକ ଅଚାନକ ପରିଦର୍ଶନ କରନ୍ତୁ । ଏହାଦ୍ୱାରା ସରକାରୀ ସେବା ପ୍ରଦାନ ତ୍ୱରାନ୍ୱିତ ହେବ ।
ହୁକୁମ ନଂ ୩: ଗସ୍ତ ସମୟରେ ଲୋକଙ୍କୁ ଭେଟନ୍ତୁ । ଲୋକଙ୍କ ସମସ୍ୟା ବୁଝନ୍ତୁ । ସରକାରୀ ସେବା ବିଷୟରେ ହିତାଧିକାରୀଙ୍କଠାରୁ ଡାଇରେକ୍ଟ ଫିଡ଼ବ୍ୟାକ୍ ନିଅନ୍ତୁ ।
ହୁକୁମ ନଂ ୪: ୫ଟି (ଟ୍ରାନସପାରେନ୍ସି, ଟେକ୍ନଲୋଜି, ଟିମୱାର୍କ, ଟ୍ରାନସଫରମେସନ୍, ଟାଇମ୍) ପରିବର୍ତ୍ତନ ପାଇଁ ଖୁବ ଗୁରୁତ୍ୱପୂର୍ଣ୍ଣ । ଏଥିପାଇଁ ଆପଣଙ୍କୁ ବ୍ୟକ୍ତିଗତ ଭାବରେ ଦୃଷ୍ଟି ଦେବାକୁ ହେବ ।
ହୁକୁମ ନଂ ୫: ସ୍ୱଚ୍ଛତା ଏବଂ ଦକ୍ଷତା ପାଇଁ କମ୍ପୁ୍ୟଟରାଜାଇସନ୍ ଜରୁରୀ । ତେଣୁ ଆପଣଙ୍କ ବିଭାଗର ଶତ ପ୍ରତିଶତ କାମ ଯେପରି ଓସ୍ୱାସ୍ ଜରିଆରେ ହେବ, ସେଥିପ୍ରତି ଆପଣ ସ୍ୱତନ୍ତ୍ର ଧ୍ୟାନ ଦିଅନ୍ତୁ ।
ପଞ୍ଚମ ଥର ଶାସନ କ୍ଷମତାକୁ ଆସିଲା ପରେ ମୁଖ୍ୟମନ୍ତ୍ରୀ ତାଙ୍କ ମନ୍ତ୍ରୀମାନଙ୍କୁ ଅଧିକ ଗୁରୁତ୍ୱ ଦେବା ବିଭିନ୍ନ ମହଲରୁ ସ୍ୱାଗତ କରାଯାଇଛି । ତେବେ ସାମାଜିକ ନ୍ୟାୟ ଓ ବିକାଶରେ ପ୍ରତିବନ୍ଧକ ସାଜିଥିବା ‘ଦୁର୍ନୀତି ରାକ୍ଷସ’ ର ନିପାତ ପାଇଁ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ଧ୍ୟାନ ଦେବା ଉଚିତ୍ ବୋଲି ବୁଦ୍ଧିଜୀବୀମହଲରେ ମତ ପ୍ରକାଶ ପାଉଛି । ବ୍ଲକ୍, ତହସିଲ୍ ଅଫିସଠାରୁ ଆରମ୍ଭ କରି ସଚିବାଳୟ ଯାଏଁ ସବୁ ସ୍ତରରେ ଦୁର୍ନୀତି କାୟା ବିସ୍ତାର କରିସାରିଛି । ପଇସା ନ ଦେଲେ ଫାଇଲ୍ ଘୁଞ୍ଚୁନି । ବିଭିନ୍ନ ସରକାରୀ ଯୋଜନାର ଫାଇଦା ନେବା ପାଇଁ ହିତାଧିକାରୀଙ୍କୁ ହାତଗୁଞ୍ଜା ଦେବାକୁ ପଡୁଛି । ମନ୍ତ୍ରୀ, ଅଫିସରମାନଙ୍କ ପାଖରେ ଦଲାଲଙ୍କ ରାଜ୍ ଚାଲିଛି । ଏହା ରୋକିବା ପାଇଁ ମୁଖ୍ୟମନ୍ତ୍ରୀ କଠୋର ହୁଅନ୍ତୁ ଏବଂ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରନ୍ତୁ ବୋଲି କୁହାଯାଉଛି ।