ବୈଜୟନ୍ତ ରହୁଥିବା ବଙ୍ଗଳାରେ ରହିବେ ଅନୁଭବ !
ଭୁୁବନେଶ୍ୱର: ସାଂସଦ ପଦରୁ ବିଦାୟ ନେବାର ୧୩ ମାସ ବିତିଗଲାଣି । ଦିଲ୍ଲୀରେ ନିଜର ଗଣ୍ଡା ଗଣ୍ଡା ଘର, ଅଫିସ । ହେଲେ ୨-ମହାଦେବ ରୋଡ୍ ବଙ୍ଗଳାରୁ ମୋହ ତୁଟାଇ ପାରୁନାହାନ୍ତି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା । ବଙ୍ଗଳା ଖାଲି କରିବାକୁ ନୋଟିସ୍ ପାଇ ବି ଖାତିର କରୁନାହାନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ସେଠାରେ ରହିବାକୁ ଆଗ୍ରହ ରଖିଥିବା ନୂଆ ସାଂସଦଙ୍କୁ ସେହି ବଙ୍ଗଳା ଦ୍ୱାର ଖୋଲୁନାହିଁ । ବଙ୍ଗଳାରେ ଏଭଳି ସାଂସଦଙ୍କୁ ପୂରେଇ ନ ଦେବା ପାଇଁ ସିକ୍ୟୁରିଟି ଗାର୍ଡକୁ ବୈଜୟନ୍ତ ନିର୍ଦ୍ଦେଶ ଦେଇଥିବା ଅଭିଯୋଗ ହୋଇଛି ।
ବୈଜୟନ୍ତଙ୍କର ଦିଲ୍ଲୀ ସରକାରୀ ବଙ୍ଗଳା କାହାଣୀ ଆଜି ପଦାକୁ ଆଣିଛନ୍ତି ତାଙ୍କର କେନ୍ଦ୍ରାପଡ଼ା ପ୍ରତିପକ୍ଷ ସାଂସଦ ଅନୁଭବ ମହାନ୍ତି । ଅନୁଭବ ଟୁଇଟ୍ କରି ଏ ବିଷୟରେ ସର୍ବସାଧାରଣଙ୍କୁ ଅବଗତ କରାଇଛନ୍ତି । ଅନୁଭବ ଲେଖିଛନ୍ତି, ପୂର୍ବତନ ଆଇନ ପ୍ରଣେତା ବୈଜୟନ୍ତ ପଣ୍ଡାଙ୍କର ଆଇନ, ନୈତିକତା ଏବଂ ରାଜନୈତିକ ମୂଲ୍ୟବୋଧ ପ୍ରତି ସମ୍ମାନ ନାହିଁ । ଏମପି ପଦ ହରାଇବାର ୧୩ ମାସ ବିତିଯିବା ଏବଂ ଗତ ନିର୍ବାଚନରେ ପରାଜୟ ବରଣ କରିବା ସତ୍ତ୍ୱେ ଦିଲ୍ଲୀର ୨ ମହାଦେବ ରୋଡ ବଙ୍ଗଳା ନ ଛାଡ଼ି ଜବରଦସ୍ତ ରଖିଛନ୍ତି । ଲୋକସଭାର ହାଉସ୍ କମିଟି ଦ୍ୱାରା ଆଲଟମେଣ୍ଟ ପାଇବାକୁ ଥିବା ନୂଆ ଏମପିମାନଙ୍କୁ ସେ ବଙ୍ଗଳା ଦେଖିବାକୁ ଛାଡ଼ି ଦିଆଯାଉନାହିଁ । ସେଥିପାଇଁ ବୈଜୟନ୍ତଙ୍କ ସିକ୍ୟୁରିଟି ଗାର୍ଡ ଟ୍ରେନିଂ ପାଇଛନ୍ତି । ସାଧାରଣ ଜୀବନରେ ନୈତିକତାର ଭାଷଣ ଦେଉଥିବା ବୈଜୟନ୍ତ ପଣ୍ଡା ଭବିଷ୍ୟତରେ ଏହା ବନ୍ଦ କରନ୍ତୁ ବୋଲି ଅନୁଭବ ଟୁଇଟ୍ କରିଛନ୍ତି । ବଙ୍ଗଳା ସାମନାରେ ଅନୁଭବ ଫଟୋ ଉଠାଇ ତାହାକୁ ପୋଷ୍ଟ ବି କରିଛନ୍ତି ।
ଅନୁଭବଙ୍କ ଏହି ଟୁଇଟ୍ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ହୋଇଛି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ୨ ମହାଦେବ ରୋଡ୍ ବଙ୍ଗଳାଟି ଅନୁଭବ ମହାନ୍ତିଙ୍କ ନାଁରେ ଆଲଟ୍ ହେଉଛି । ହାଉସ୍ କମିଟିର ଅନୁମତି ପାଇ ବଙ୍ଗଳା ଦେଖିବାକୁ ଅନୁଭବ ସେଠାକୁ ଯାଇଥିଲେ । ସେତିକିବେଳେ ଭିତରେ ବୈଜୟନ୍ତ ଉପସ୍ଥିତ ଥିଲେ । ଅନୁଭବ ଘର ଦେଖିବାକୁ ଚାହିଁବାରୁ ସିକ୍ୟୁରିଟି ଗାର୍ଡ ବୈଜୟନ୍ତଙ୍କ ଅନୁମତି ପାଇଁ ଭିତରକୁ ଯାଇଥିଲେ । ମାତ୍ର ଗେଟ୍ ଭିତରକୁ ଅନୁଭବଙ୍କୁ ପୂରାଇ ନ ଦେବାକୁ ବୈଜୟନ୍ତ ତାଗିଦ୍ କରିଥିଲେ । ଆଉ ସିକ୍ୟୁରିଟି ଗାର୍ଡଠାରୁ ନାଲି ଆଖି ପାଇ ଅନୁଭବ ସେଠାରୁ ଫେରି ଆସିଥିଲେ ।
ସୂଚନାଯୋଗ୍ୟ, ସାଂସଦ ହେଲା ଦିନୁଁ ୨ ମହାଦେବ ରୋଡ୍ ବଙ୍ଗଳାରେ ବୈଜୟନ୍ତ ରହି ଆସୁଛନ୍ତି । ବଙ୍ଗଳାର ଚାକଚକ୍ୟ ଆଖି ଖୋସିଦେଲା ଭଳି । ସାଂସଦ ପଦରୁ ଯିବା ପରେ ବୈଜୟନ୍ତ ସେହି ବଙ୍ଗଳା ଖାଲି କରିବାକୁ ନୋଟିସ୍ ପାଇଥିଲେ ମଧ୍ୟ ଛାଡୁନାହାନ୍ତି । ବରଂ ସେଠାରେ ତାଙ୍କର ବ୍ୟକ୍ତିଗତ ଅଫିସ କାର୍ଯ୍ୟ ଚାଲୁ ରଖିଛନ୍ତି ।