ଭୁବନେଶ୍ୱର: ଓଡିଶା ଚଳଚ୍ଚିତ୍ର ଓ ନାଟ୍ୟ ଜଗତର ମହାନ୍ ବ୍ୟକ୍ତିତ୍ୱ, ସଫଳ ସ୍ରଷ୍ଟା ବିଜୟ ମିଶ୍ର ଆଉ ନାହାନ୍ତି । ୮୩ ବର୍ଷ ବୟସରେ ଭୁବନେଶ୍ୱରର ଏକ ଘରୋଇ ନର୍ସିଂ ହୋମ୍ ରେ ଆଜି ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । କିଛି ଦିନ ଧରି ଅସୁସ୍ଥ ଥିବାରୁ ଚିକିତ୍ସିତ ଥିଲେ । ତାଙ୍କ ମୃତ୍ୟୁରେ ନାଟକ କି ଚଳଚ୍ଚିତ୍ର ଜଗତ କେବଳ ନୁହେଁ ସାରା ରାଜ୍ୟର ସାହିତ୍ୟ ଓ କଳାପ୍ରେମୀମାନଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି । ସୃଷ୍ଟିର ଜଣେ ମହାନ୍ ସ୍ରଷ୍ଟାଙ୍କୁ ଆଜି ଓଡ଼ିଶା ହରାଇ ଦେଇଛି ।
ମାତ୍ର ୨୧ ବର୍ଷ ବୟସରେ ତାଙ୍କ ରଚିତ ନାଟକ କଟକ ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚରେ ମଞ୍ଚସ୍ଥ ହୋଇ ଅଦ୍ଭୂତପୂର୍ବ ସଫଳତା ପାଇଥିଲା । ତାପରଠାରୁ ସେ ପଛକୁ ଚାହିଁନାହାନ୍ତି । ଓଡ଼ିଶାରେ ନାଟକକୁ ନୂଆ ଦିଶା ଦେବାରେ ତାଙ୍କର ବହୁତ ଅବଦାନ ଥିଲା । ଓଡ଼ିଆ ଚଳଚ୍ଚିତ୍ର ଜଗତରେ ସଂଳାପ କହିଲେ ଆପେ ଆପେ ବିଜୟ ମିଶ୍ରଙ୍କ ନାଁ ଚାଲି ଆସୁଥିଲା । ନାଟକ ହେଉ କି ଫିଲ୍ମ ହେଉ ରଚନା, ଚିତ୍ରନାଟ୍ୟ ବା ସଂଳାପ କେଉଁଥିରେ କମ ନ ଥିଲେ ସେ । ୬୦ଟି ନାଟକ, ୫୫ ଫିଲ୍ମ ଏବଂ ୭ ଟେଲିଭିଜନ ଧାରାବାହିକ ଥିଲା ତାଙ୍କର ସୃଷ୍ଟି । ଲୋକପ୍ରିୟ ଧାରାବାହିକ ‘ଶ୍ରୀଜଗନ୍ନାଥ’ ର ସଂଳାପ ଲେଖିଥିଲେ ସେ ।
ବିଜୟ ମିଶ୍ରଙ୍କ ନାଟକ ‘ତଟ ନିରଞ୍ଜନା’ ବିଭିନ୍ନ ଭାଷାରେ ଅନୁବାଦିତ ହୋଇ ଲୋକପ୍ରିୟ ହୋଇଥିଲା । ତାଙ୍କର ପୁସ୍ତକ ‘ବାନପ୍ରସ୍ଥ’ ପାଇଁ ୨୦୧୩ ମସିହାରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ । କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ମଧ୍ୟ ପାଇଥିଲେ । ଗତବର୍ଷ ରାଜ୍ୟ ସରକାର ତାଙ୍କୁ ସମ୍ମାନଜନକ ଜୟଦେବ ପୁରସ୍କାରରେ ସମ୍ମାନିତ କରିଥିଲେ । ଓଡ଼ିଆ ସାହିତ୍ୟ ଏକାଡେମୀରୁ ମଧ୍ୟ ତାଙ୍କୁ ସମ୍ମାନିତ କରାଯାଇଥିଲା ।
୧୯୩୬ ମସିହା ଜୁଲାଇ ୧୬ ତାରିଖରେ ବାଲେଶ୍ୱର ଜିଲ୍ଲା ନୀଳଗିରି ଅନ୍ତର୍ଗତ ସନ୍ତରଗଡ଼ିଆରେ ଜନ୍ମ ହୋଇଥିବା ବିଜୟ ମିଶ୍ର ଇଂଜିନିୟରିଂରେ ଡିପ୍ଲୋମା କରି ପରବର୍ତ୍ତୀ ସମୟରେ ଏହାକୁ ପେଶା କରିଥିଲେ ମଧ୍ୟ ଛାତ୍ର ଜୀବନରୁ ତାଙ୍କର ନିଶା ଥିଲା ସାହିତ୍ୟ । ଛାତ୍ରାବସ୍ଥାରୁ ହିଁ ତାଙ୍କ ଲେଖନୀରେ ସୃଜନଶୀଳତା ଭରି ରହିଥିଲା । ତାଙ୍କର ଲେଖନୀ ଯେତିକି ଶକ୍ତ ଥିଲା ତାଙ୍କର ବ୍ୟକ୍ତିତ୍ୱ ମଧ୍ୟ ସେତିକି ଆକର୍ଷଣୀୟ ଥିଲା । ଜଣେ ଦରଦୀ ଓ ମେଳାପୀ ମଣିଷ ଭାବେ ମଧ୍ୟ ସମସ୍ତଙ୍କର ପ୍ରିୟପାତ୍ର ଥିଲେ ।
ବିଜୟ ମିଶ୍ରଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ସେ ଥିଲେ ଜଣେ ଆଗଧାଡ଼ିର ଡ୍ରାମାଟିଷ୍ଟ । ଓଡ଼ିଆ ସାହିତ୍ୟ ଏବଂ ଓଡ଼ିଆ ଫିଲ୍ମ ଜଗତ ପ୍ରତି ତାଙ୍କର ବହୁତ ଅବଦାନ ଥିଲା ବୋଲି ମୁଖ୍ୟମନ୍ତ୍ରୀ ଦର୍ଶାଇବା ସହ ତାଙ୍କର ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ପ୍ରତାପ ଷଡ଼ଙ୍ଗୀ ଗଭୀର ଶୋକପ୍ରକାଶ କରି ତାଙ୍କ ପରବାରବର୍ଗଙ୍କୁ ସମବେଦନା ଜ୍ଞାପନ କରିଛନ୍ତି । ବିଭିନ୍ନ କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତି,ସାହିତ୍ୟିକ, କଳାକାର ଶ୍ରୀ ମିଶ୍ରଙ୍କ ବିୟୋଗରେ ଗଭୀର ଶୋକପ୍ରକାଶ କରିଛନ୍ତି ।